କଟକ ଜିଲ୍ଲାରେ ୯ ବର୍ଷରେ ମାଛ ଉତ୍ପାଦନ ଦୁଇଗୁଣ ବୃଦ୍ଧି, ତଥାପି ଆନ୍ଧ୍ର ମାଛ ନ ଆସିଲେ ଅଚଳ

୪ କୋଟିରେ କୃଷକ ବଜାର ଓ ଆଠଗଡ଼ରେ ହେବ ହାଇଜିନିକ୍‌ ମାଛ ମାର୍କେଟ୍‌, କୋଭିଡ୍ ପର ସ୍ଥିତିରେ ମାଛ ଉତ୍ପାଦରେ ମହିଳା ଅଧିକ ସକ୍ରିୟ

କଟକ: ଗଲା ୯ ବର୍ଷ ଭିତରେ କଟକରେ ମାଛ ଉତ୍ପାଦନ ଦୁଇ ଗୁଣ ବୃଦ୍ଧି ପାଇଛି। ତଥାପି ଆନ୍ଧ୍ରରୁ ମାଛ ନ ଆସିଲେ କାମ ଅଚଳ। ଓଡ଼ିଶାର ମାଛ ଚାହିଦା ମୁଖ୍ୟତଃ ଆନ୍ଧ୍ର ହିଁ ଏଯାଏ ମେଣ୍ଟାଇ ଆସୁଛି। ଏଭଳି ସ୍ଥିତିରେ ମାଛ ବିକ୍ରିକୁ ବ୍ୟବସ୍ଥିତ କରିବା ଓ ବିକ୍ରି ହୋଇ ପାରୁ ନଥିବା ମାଛକୁ ସଂରକ୍ଷଣ କରି ରଖିବା ପାଇଁ କଟକର କୃଷକ ବଜାରରେ କରାଯିବ ହାଇଜିନିକ୍‌ ମାଛ ମାର୍କେଟ। ଆଠଗଡ଼ରେ ମଧ୍ୟ ଏକ ହାଇଜିନିକ ମାଛ ମାର୍କେଟ ପାଇଁ ସ୍ଥାନ ଚିହ୍ନଟ ସରିଛି। କୃଷକ ବଜାରରେ ୩ କୋଟି ଓ ଆଠଗଡ଼ରେ କୋଟିଏ ଟଙ୍କା ବ୍ୟୟରେ ଏହି ମାଛ ମାର୍କେଟ କରାଯିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ତହସିଲ ପ୍ରଶାସନ ପକ୍ଷରୁ ଯଦି ଆବଶ୍ୟକ ସ୍ଥାନ ଯୋଗାଇ ଦିଆଯାଏ ତାହେଲେ କଟକରେ ୫ଟି ମାଛ ମାର୍କେଟ ପାଇଁ ବିଭାଗ ଯୋଜନା ରଖିଥିବା ସୂଚନା ମିଳିଛି।
କଟକ ଜିଲ୍ଲାରେ ୩୧ହଜାର ମେଟ୍ରିକ୍ ଟନ୍ ମାଛର ଆବଶ୍ୟକତା ରହିଥିବା ବେଳେ ବର୍ଷକୁ ୨୫ ହଜାର ୫୧୯ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହେଉଥିବା ସରକାରୀ ତଥ୍ୟ କହୁଛି। କଟକ ଜିଲ୍ଲାରେ ବର୍ଷକୁ ପାଖାପାଖି ୪ ହଜାର ହେକ୍ଟର ପୋଖରୀରୁ ୨୩ ହଜାରରୁ ଅଧିକ ମେଟ୍ରିକ୍ ଟନ୍ ମାଛ ଓ ନଦୀ ତଥା ବିଭିନ୍ନ ଜଳଭଣ୍ଡାରରୁ ପାଖାପାଖି ୨ ହଜାର ଟନ୍ ମାଛ ଧରାଯାଉଛି।

୨୦୧୩-୧୪ରେ କଟକ ଜିଲ୍ଲାରୁ ୧୦ ହଜାର ୧୩୧ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ ହୋଇଥିବା ବେଳେ ୨୦୧୪-୧୫ରେ ୧୦ ହଜାର ୪୨୫, ୨୦୧୫-୧୬ରେ ୧୨ ହଜାର ୬୨୩, ୨୦୧୬-୧୭ରେ ୧୫ ହଜାର ୨୬୦, ୨୦୧୭-୧୮ରେ ୧୭ ହଜାର ୪୯୬, ୨୦୧୮-୧୯ରେ ୧୯ ହଜାର ୯୫୪, ୨୦୧୯-୨୦ରେ ୨୨ ହଜାର ୨୦୬, ୨୦୨୦-୨୧ରେ ୨୩ ହଜାର ୬୯୨, ୨୦୨୧-୨୨ରେ ୨୫ ହଜାର ୫୧୯ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ ହୋଇଛି। ୯ ବର୍ଷ ଭିତରେ କଟକ‌ ଜିଲ୍ଲାରେ ଦୁଇଗୁଣା ମାଛ ଉତ୍ପାଦନ ବଢ଼ିଥିଲେ ବି ଏହା ଜିଲ୍ଲାର ଚାହିଦା ମେଣ୍ଟାଇ ପାରୁନି। ମହାନଦୀ, କାଠଯୋଡ଼ି ମାଛର ଚାହିଦା ଥିଲେ ବି ତାହା ପର୍ଯ୍ୟାପ୍ତ ମିଳୁନି। ଜିଲ୍ଲାର ମାଛର ଚାହିଦାକୁ ଆନ୍ଧ୍ର ମାଛ ସହ ଚିଲିକା, ପାରାଦୀପରୁ ଆସୁଥିବା ମାଛ ମେଣ୍ଟାଉଛି। ମାଛ ବ୍ୟବସାୟକୁ ଏବେ ବ୍ୟବସ୍ଥିତ କରିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟରେ ସିଡିଏ କୃଷକ ବଜାରରେ ହାଇଜିନିକ୍ ମାଛ ମାର୍କେଟ ଖୋଲିବା ପାଇଁ ଯୋଜନା କରାଯାଇଛି। ଏଥି ପାଇଁ ଜମି ଯୋଗାଇ ଦିଆଯାଇଛି। ସେହିପରି ଆଠଗଡ଼ରେ ମଧ୍ୟ କୋଟିଏ ଟଙ୍କା ବ୍ୟୟରେ ମାଛ ମାର୍କେଟ ପାଇଁ ଜମି ଚିହ୍ନଟ ସରିଛି। ଅନ୍ୟପଟେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ଜୈବ ପୁଞ୍ଜ ଟାଙ୍କୀ ମାଧ୍ୟମରେ ମଧ୍ୟ ମାଛ ଚାଷ କରାଯାଉଛି। ଜିଲ୍ଲାର ୧୭୪ଟି ମହିଳା ଗୋଷ୍ଠୀ ୧୮୫ଟି ପୋଖରୀରେ ମାଛ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। କୋଭିଡ୍‌ ପରଠାରୁ ମତ୍ସ୍ୟ ଉତ୍ପାଦନ ମହିଳା ଗୋଷ୍ଠୀଙ୍କ ଦ୍ବାରା ବୃଦ୍ଧି ପାଇଛି। ନିଆଳି, କଣ୍ଟାପଡ଼ା, ବାଙ୍କୀ, ଡମପଡ଼ା ଓ ତିଗିରିଆରେ ମହିଳା‌ ଗୋଷ୍ଠୀ ସକ୍ରୀୟ ଭାବେ ମାଛ ଚାଷ କରି ବେଶ୍‌ ସଫଳ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର