ଏନ୍‌ସିବିଆର୍‌ବି ରିପୋର୍ଟ: ଗତବର୍ଷ ଆତ୍ମହତ୍ୟା କରିଛନ୍ତି ୧ ଲକ୍ଷ ୬୪ ହଜାର

କଟକ : ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ୨୦୨୧ ରିପୋର୍ଟରେ ଗତ ବର୍ଷ ୧ ଲକ୍ଷ ୬୪ ହଜାର ଲୋକ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି। ପୂର୍ବ ବର୍ଷ ଅପେକ୍ଷା ୨୦୨୧ ମସିହାରେ ଆତ୍ମହତ୍ୟା ହାର ୭.୧ ପ୍ରତିଶତ ବୃଦ୍ଧି ପାଇଛି। ଭାରତରେ ସର୍ବାଧିକ ଆତ୍ମହତ୍ୟା କରୁଥିବା ରାଜ୍ୟ ଗୁଡିକ ହେଲା ମହାରାଷ୍ଟ୍ରରେ (୧୩.୫%), ତାମିଲନାଡୁ(୧୧.୫% ), ମଧ୍ୟପ୍ରଦେଶ (୯.୧%), ପଶ୍ଚିମବଙ୍ଗ (୮.୨%)। ଯୁବବର୍ଗର (୧୮-୩୦ବର୍ଷ) ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟା ସର୍ବାଧିକ ଅର୍ଥାତ୍‌ ୩୪.୫ ପ୍ରତିଶତ ରହିଛି। ପାଖପାଖି ୧୧ ହଜାର ୧୮ ବର୍ଷରୁ କମ ପିଲା ଏବଂ କିଶୋର ଓ କିଶୋରୀ ମାନେ ୨୦୨୧ ମସିହାରେ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି।

ଦେଶରେ ହୋଇଥିବା ଆତ୍ମହତ୍ୟା ମଧ୍ୟରୁ ପାରିବାରିକ କଳହ ଯୋଗୁଁ ୩୩.୨ ପ୍ରତିଶତ, ବିଭିନ୍ନ ରୋଗ (ମାନସିକ ରୋଗ, ବିଭିନ୍ନ ଦୂରାରୋଗ୍ୟ) ଯୋଗୁଁ ୧୮.୬ ପ୍ରତିଶତ, ବିଭିନ୍ନ ନିଶାଦ୍ରବ୍ୟ ସେବନ ପାଇଁ ୬.୪ ପ୍ରତିଶତ, ବୈବାହିକ ସମ୍ପର୍କରେ ତିକ୍ତତା ଯୋଗୁଁ ୪.୮ ପ୍ରତିଶତ, ପ୍ରେମ ସମ୍ପର୍କରେ ବିଫଳତା ଯୋଗୁଁ ୪.୬ ପ୍ରତିଶତ, ଆର୍ଥିକ ସଙ୍କଟ ଯୋଗୁଁ ୪ ପ୍ରତିଶତ, ବେରୋଜଗାରୀ ଯୋଗୁଁ ୨ ପ୍ରତିଶତ, ପରୀକ୍ଷାରେ ଖରାପ ପ୍ରଦର୍ଶନ, ଚାକିରି ଜନିତ ସମସ୍ୟା ଓ ଆତ୍ମୀୟ ଲୋକର ହଠାତ ମୃତ୍ୟୁ ଆଦି କାରଣରୁ ମଧ୍ୟ ଅନେକ ଆତ୍ମହତ୍ୟା କରୁଛନ୍ତି।

ମାନସିକ ରୋଗ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ କିଶୋର ଅଥବା ଯୁବାବସ୍ଥାରୁ ଏବେ କାଉନସେଲିଂର ଆବଶ୍ୟକତା ରହୁଛି। ପାରିବାରିକ ସଂପର୍କ ଏ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ। ଏକୁଟିଆପଣ ରହିଲେ ଆତ୍ମହତ୍ୟା ଭଳି ଚିନ୍ତା ମନରେ ଆସେ। ତେଣୁ ‌ଯାହା କ୍ଷେତ୍ରରେ ବି ଏଭଳି କିଛି ଆଶଙ୍କା ରହୁଛି, ସେମାନଙ୍କୁ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ।

ସମ୍ବନ୍ଧିତ ଖବର