ଘଣ୍ଟାଏ ବର୍ଷାରେ ଆଣ୍ଠୁଏ ପାଣି, ଡ୍ରେନ୍ ଜାମ୍ ଯୋଗୁଁ ଅରୁଣୋଦୟନଗର ଅଞ୍ଚଳରେ ସଂଗିନ ସ୍ଥିତି

କଟକ: ଅସରାଏ ବର୍ଷା ହେଲେ ଅରୁଣୋଦୟ ନଗର ସ୍ଥିତି ସଂଗିନ ହୋଇ ପଡ଼ୁଛି। ଅଧିକ ପ୍ରଭାବିତ ହେଉଛି ଗୋପବନ୍ଧୁ ଲେନ୍। ଶନିବାର ସଂଧ୍ୟାରେ ଅସରାଏ ବର୍ଷାରେ ଏଠି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣି ରାସ୍ତାରେ ଜମି ରହି ଗୁରୁତର ପରିସ୍ଥିତି ସୃଷ୍ଟି କରିଛି। ଶନିବାର ଅପରାହ୍ନ ୫ଟା ୩୦ରୁ ୬ଟା ୩୦ ଯାଏ ଘଣ୍ଟାଏ ବର୍ଷାରେ ଅରୁଣୋଦୟ ନଗର ସ୍ଥିତି ସଂଗିନ ହୋଇପଡ଼ି ଥିଲା। ଗୋପବନ୍ଧୁ ଲେନ୍‌ରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିଲା। ଖାନନଗର ପ୍ରାଇମେରି ସ୍କୁଲ ନିକଟରୁ ଆସିଥିବା ଡ୍ରେନ୍ ବଜାର ଇଣ୍ଡିଆ ନିକଟରେ ବାଦାମବାଡ଼ି ପଟୁ ଆସିଥିବା ମୁଖ୍ୟ ଡ୍ରେନ୍ ସହିତ ମିଶିଛି। ସ୍କୁଲ ପଟୁ ଆସିଥିବା ଏହି ଡ୍ରେନରେ ପିସି ସର୍କାର ଲେନ୍, ଗୋପବନ୍ଧୁ ଲେନ୍, ସାଉଥ ପଏଣ୍ଟ ହସପିଟାଲ୍ ପଛପଟ ଡ୍ରେନ ସମେତ ଲିଙ୍କ୍ ପଲିକ୍ଲିନିକ୍ ନିକଟରେ ଥିବା ଆହୁରି ତିନୋଟି ସବ୍-ଲେନର ଆବର୍ଜନା ମିଶୁଛି। ଅଳ୍ପ ଓସାର ବିଶିଷ୍ଟ ଡ୍ରେନରେ ନର୍ଦ୍ଦମା ପାଣି ସହିତ ବର୍ଷା ପାଣି ମିଶିବା ଫଳରେ ସ୍ଥିତି ସଂଗିନ ହୋଇପଡ଼ୁଛି। ତଥ୍ୟ ଅନୁଯାୟୀ ପୂର୍ବରୁ ଅରୁଣୋଦୟ ନଗର ନିକଟ ଶିବ ମନ୍ଦିର ଅଞ୍ଚଳରେ ରହୁଥିବା ପ୍ରାୟ ୭୦ ଘରେ ବର୍ଷା ସମୟରେ ଅଣ୍ଟାଏ ଉଚ୍ଚର ପାଣି ହେଉଥିଲା।

ଏହି ଅଞ୍ଚଳର ସମସ୍ତ ଆବର୍ଜନା ପାଣି ପିସି ସରକାର ଲେନ୍ ନିକଟ ଡ୍ରେନରେ ମିଶୁଥିଲା। ପାଣି ନଷ୍କାସନ ଠିକ୍ ଢଙ୍ଗରେ ହୋଇପାରୁ ନଥିବାରୁ ୧୯୯୫ରେ ୨୨ ଲକ୍ଷ ଟଙ୍କା ବଜେଟରେ ଏକ ନୂଆ ଡ୍ରେନ୍ କରି ଅରୁଣୋଦୟ ମାର୍କେଟ ପେଟ୍ରୋଲ ପମ୍ପ ନିକଟ ଡ୍ରେନରେ ମିଶା ଗଲା। ସେହି ସମୟରେ ଗୋପବନ୍ଧୁ ଲେନର ଡ୍ରେନ୍ ପାଣି ଶିବ ମନ୍ଦିର ନିକଟରେ ଖୋଲାଯାଇଥିବା ନୂଆ ଡ୍ରେନରେ ମିଶାଇବାକୁ ଯୋଜନା କରାଯାଇଥିଲା। ଯାହା ଫଳରେ ଗୋପବନ୍ଧୁ ଲେନର ପାଣି ଶିବ ମନ୍ଦିର ଡ୍ରେନ୍ ଦେଇ ବାହାରକୁ ନିଷ୍କାସନ ହୋଇପାରିଥାନ୍ତା। ଗୋପବନ୍ଧୁ ଲେନର ପାଣି ବର୍ଷା ଦିନେ ଜମି ନଥାନ୍ତା। କିନ୍ତୁ ଏହି ନିଷ୍ପତ୍ତିକୁ ବିରୋଧ କରାଯିବାରୁ ଗୋପବନ୍ଧୁ ଲେନର ଡ୍ରେନ୍ ଶିବ ମନ୍ଦିର ଡ୍ରେନ୍ ସହିତ ସଂଯୋଗ ହୋଇପାରିଲା ନାହିଁ। ପୂର୍ବ ଭଳି ଲିଙ୍କ୍ ପଲ୍ଲି କ୍ଲିନିକ୍ ନିକଟରେ ଡ୍ରେନ ସହିତ ସଂଯୋଗ ହୋଇ ରହିଲା। ଯାହା ଫଳରେ ଲିଙ୍କ ପଲ୍ଲି କ୍ଲିନିକ ନିକଟ ଡ୍ରେନ୍ ଜାମ ରହୁଥିବାରୁ ଗୋପବନ୍ଧୁ ଲେନ ପଟ ଡ୍ରେନ୍ ପାଣି ସହଜରରେ ନିଷ୍କାସନ ହୋଇପାରୁନାହିଁ। ବର୍ଷା ହେଲେ ପାଣି ଜମି ରହୁଛି। ଯାତାୟାତ ପ୍ରଭାବିତ ହେଉଛି।
ଅନ୍ୟପଟେ ଗୋପବନ୍ଧୁ ଲେନ୍ ପଟ ସମସ୍ତ ଡ୍ରେନ୍ ମୁକୁଳା ପଡ଼ିଥିବାରୁ ବର୍ଷାରେ ଦୁର୍ଘଟଣାର ଭୟ ରହୁଛି। ମୁକୁଳା ଡ୍ରେନରେ ଯାବତୀୟ ଆବର୍ଜନା ମିଶୁଥିବାରୁ ଡ୍ରେନ୍ ପୋତି ହେବାକୁ ବସିଲାଣି। ନିୟମିତ ଡ୍ରେନ୍ ସଫା ହେଉ ନଥିବାରୁ ବର୍ଷା ଦିନେ ସଂଗିନ ସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ‌ ଦାବି ହେଉଛି।

ସମ୍ବନ୍ଧିତ ଖବର