ନକଲି ବିଶ୍ୱବିଦ୍ୟାଳୟ ‘ନବଭାରତ ଶିକ୍ଷା ପରିଷଦ’, ଦଶ ବର୍ଷ ହେଲା ବନ୍ଦ ପଡ଼ିଥିଲେ ବି ତାଲିକାରୁ ହଟୁନି

୧୦ ବର୍ଷରେ ଶିକାର ହୋଇଥିଲେ ସହସ୍ରାଧିକ ଛାତ୍ରଛାତ୍ରୀ

ରାଉରକେଲା: ଦେଶରେ ୨୧ଟି ନକଲି ଶିକ୍ଷାନୁଷ୍ଠାନ ଥିବା ଦିନକପୂର୍ବେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସୂଚନା ଦିଆଯାଇଛି। ଏହି ତାଲିକାରେ ଓଡ଼ିଶାର ଦୁଇଟି ଅନୁଷ୍ଠାନ ଅନ୍ତର୍ଭୁକ୍ତ, ସେଗୁଡ଼ିକ ହେଲା,- ରାଉରକେଲା ଶକ୍ତିନଗରସ୍ଥ ପାଣି ଟାଙ୍କି ରୋଡ୍‌ ଅନ୍ନପୂର୍ଣ୍ଣା ଭବନରେ ଥିବା ‘ନବଭାରତ ଶିକ୍ଷା ପରିଷଦ’ ଓ ବାରିପଦା ନର୍ଥ‌୍ ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଆଗ୍ରିକଲଚର୍‌ ଆଣ୍ଡ୍‌ ଟେକ୍ନୋଲୋଜି। ପାଖାପାଖି ୧୦ ବର୍ଷ ଧରି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ ଦେଇ ଲୁଟିଥିବା ରାଉରକେଲାର ଏହି ବିଶ୍ବବିଦ୍ୟାଳୟ ଏବେ ବନ୍ଦ ହୋଇଗଲାଣି। ୨୦୧୨ ମସିହାରୁ ଏହି ଅନୁଷ୍ଠାନ ବନ୍ଦ ପଡ଼ିଥିବାବେଳେ ଏହାର ମାଲିକଙ୍କ ମଧ୍ୟ ମୃତ୍ୟୁ ହୋଇସାରିଛି।

ସେ‌ତେବେଳେ ଏହି ଅନୁଷ୍ଠାନ କିମ୍ବା ମାଲିକଙ୍କ ଉପରେ ଜିଲ୍ଲା ପ୍ରଶାସନ, ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ କିମ୍ବା ୟୁଜିସି ପକ୍ଷରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ବିଡ଼ମ୍ବନା ଏହା ଯେ, ଏହି ନକଲି ଅନୁଷ୍ଠାନ ବିଷୟରେ ସମସ୍ତେ ଅବଗତ ଥିଲେ। କେବେଳ କାଗଜପତ୍ରରେ ନିର୍ଦ୍ଦେଶନାମା ସୀମିତ ରହିବାରୁ ବାସ୍ତବରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହୋଇପାରିନଥିଲା। ଗତକାଲି ଏହି ନକଲି ତାଲିକା ପ୍ରକାଶିତ ହେବାପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି ସାମାଜିକ ଗଣମାଧ୍ୟମ ଟ୍ବିଟର୍‌, ଫେସ୍‌ବୁକ ଆଦି ମାଧ୍ୟମରେ ସଚେତନ କରିଛି। ବାସ୍‌ ଏତିକିରେ ସୀମିତ ରହିଛି ଜିଲ୍ଲା ପ୍ରଶାସନର ଦାୟିତ୍ବ। ଏହି ନକଲି ବିଶ୍ବବିଦ୍ୟାଳୟ ବିରୋଧରେ ପ୍ରଶାସନ ଚିରାଚରିତଭାବେ ଆଖିବନ୍ଦ ରଖିବ, ନା ଆଖିଦୃଶିଆ କିଛି ପଦକ୍ଷେପ ନେବ ତାହା ସମୟ କହିବ। ତେବେ ଅନ୍ତତଃପକ୍ଷେ ଜିଲ୍ଲା ପ୍ରଶାସନ ଏହି ଅନୁଷ୍ଠାନକୁ ଆନୁଷ୍ଠାନିକଭାବେ ବାଦ୍‌ଦେବାକୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଜରିଆରେ ପ୍ରକ୍ରିୟା ଆରମ୍ଭ କରିବା ଶ୍ରେୟସ୍କରବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ରାଉରକେଲା ଶକ୍ତିନଗର ଅଞ୍ଚଳର ଚନ୍ଦନ ବେହେରା ନାମକ ଜଣେ ବ୍ୟକ୍ତି ୨୦୦୩ ମସିହାରେ ଏହି ନକଲି ‘ନବଭାରତ ଶିକ୍ଷା ପରିଷଦ’ ବିଶ୍ବବିଦ୍ୟାଳୟ ସ୍ଥାପନ କରିଥିଲେ। ଏଠାରେ ବିନା ଶିକ୍ଷାଦାନରେ ବିଭିନ୍ନ କୋର୍ସ, ଯଥା-ସିଟି, ବି.ଇଡି, ଏମ୍‌.ଇଡି, ଏଲଏଲ୍‌ବି, ଏଲ୍‌ଏଲ୍‌ଏମ୍‌, ବି.ଟେକ୍‌, ଏମ୍‌.ଟେକ୍‌ ଆଦି ସାର୍ଟିଫିକେଟ୍‌ ଦିଆଯାଉଥିଲା। କୋର୍ସ‌୍ ମୂଲ୍ୟ ୨୦/୩୦ ହଜାରଠାରୁ ଆରମ୍ଭକରି ୬୦/୭୦ ହଜାର ପର୍ଯ୍ୟନ୍ତ ରହିଥିଲା। ଏମିତିକି ଫର୍ମପୂରଣ, ପାଠ୍ୟପୁସ୍ତକ, ଲାଇବ୍ରେରୀ ଫି’ ଆଦି ଭିନ୍ନ ଭିନ୍ନ କାରଣ ଦର୍ଶାଇ ଅତିରିକ୍ତ ଫି’ ଆଦାୟ କରାଯାଉଥିଲା। ବାସ୍ତବରେ ଏଠାକାର ଅନ୍ନପୂର୍ଣ୍ଣା ଭବନରେ କେବଳ କାର୍ଯ୍ୟାଳୟ ଚାଲିଥିବାବେଳେ ବାକି ସବୁ କାମ ଫୋନ୍‌, ଇଣ୍ଟରନେଟ୍‌ ମାଧ୍ୟମରେ ଚାଲିଥିଲା।

ଛାତ୍ରଛାତ୍ରୀମାନଙ୍କୁ କ୍ଲାସ୍‌ କରିବାକୁ ପଡ଼ୁନଥିଲା। ଯଦ୍ବାରା ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ,ଠାରେ ନାମ ଳେଖାଇଥିଲେ। କୋର୍ସ ସରିବାପରେ ସେମାନଙ୍କୁ ସାର୍ଟଫିକେଟ୍‌ ମଧ୍ୟ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସାର୍ଟଫିକେଟ୍‌ ଦେଖାଇ ଛାତ୍ରଛାତ୍ରୀ ଚାକିରୀ ଆବେଦନ କରିବାରୁ ତାହା ନକଲି ଥିବା ଜଣାପଡ଼ିଥିଲା। ୨୦୦୩ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ, ଫୁଲଦମ୍‌ରେ ଚାଲିଥିଲା ଏହି ନକଲି ବିଶ୍ବବିଦ୍ୟାଳୟ। ଏହାପରେ ଏହି ରୢାକେଟ୍‌ର ପର୍ଦ୍ଦାଫାସ ହେବାରେ ଲାଗିଥିଲା। ଏମିତିକି ଦୂରବର୍ତ୍ତି ସ୍ଥାନରୁ ଛାତ୍ରଛାତ୍ରୀ କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ମାଗିଥିବାବେଳେ କର୍ତ୍ତୃପକ୍ଷ କିନ୍ତୁ ଧରାଛୁଆଁ ଦେଇନଥିଲେ। ଏସବୁ ସତ୍ତ୍ବେ ଏହି ନକଲି ବିଶ୍ବବିଦ୍ୟାଳୟ ନିଜର କଳାକାରନାମା ଜାରି ରଖିଥିଲା। ୨୦୧୨ ମେ’-ଜୁନ ମାସ ପରଠାରୁ ଏଠାରେ ନାମଲେଖା ବନ୍ଦ ହୋଇଯାଇଥିଲା।

ଉଲ୍ଲେଖଯୋଗ୍ୟ, ଗତ ୨୦୧୬ ମସିହାରୁ ଏହି ନକଲି ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ବେହେରାଙ୍କ ମୃତ୍ୟୁ ହୋଇସାରିଛି। ଅନୈତିକଭାବେ ଆ‌ୟ କରିଥିବା ଟଙ୍କାକୁ ଶ୍ରୀ ବେହେରା ପୁରୀକୁ ସ୍ଥାନାନ୍ତର ହୋଇ ସେଠାରେ ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲେ। ପତ୍ନୀଙ୍କ ସହ ଉତ୍ତମ ସମ୍ପର୍କ ନ ଥିବାରୁ ସେ ପୁରୀ ସମୁଦ୍ର କୂଳରେ ‘ଖୁସୀ’ ହୋଟେଲ ସ୍ଥାପନ କରି ସେଠାରେ ରହିଥିଲେ। ଶ୍ରୀ ବେହେରା ସବୁ ସମ୍ପତିକୁ ନିଜ ନାଁରେ କରିଥିଲେ। ଏହି କାରଣରୁ ଶ୍ରୀ ବେହେରା ଓ ପତ୍ନୀ ନିବେଦିତା ମଧ୍ୟରେ ଝଗଡ଼ା ଲାଗିରହିଥିଲା। ବିବାଦ ପରବର୍ତ୍ତୀ ସମୟରେ ନାଟକୀୟ ମୋଡ଼ ନେଇଥିଲା। ୨୦୧୬ ମସିହା ଜାନୁଆରୀ ୮ ତାରିଖରେ ଶ୍ରୀ ବେହେରା ପୁରୀସ୍ଥ ‘ଖୁସୀ’ ହୋଟେଲକୁ ପସୁଥିବା ସମୟରେ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରଥିଲେ। ପରବର୍ତ୍ତୀ ସମୟରେ ପତ୍ନୀ ନିବେଦିତା ହିଁ ନିଜ ସ୍ବାମୀଙ୍କ ଯୋଜନାବଦ୍ଧ ହତ୍ୟାକାଣ୍ଡର ମାଷ୍ଟର୍‌ମାଇଣ୍ଡ୍‌ ଥିବା ଜଣାପଡ଼ିଥିଲା। ପୁଲିସ ନିବେଦିତା ଓ ଆଉ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର