ଟାଙ୍ଗିଆ ବେଣ୍ଟ ମାଡ଼ରେ ସ୍ତ୍ରୀର ମୃତ୍ୟୁ, ସ୍ୱାମୀ ଅଟକ

ରାଇଘର: ମଦ ପିଇ ସ୍ତ୍ରୀ ସହିତ ଝଗଡା ହେବା ପରେ ସ୍ବାମୀ ଜଣକ ବିଳମ୍ବିତ ରାତିରେ ଏକ ଟାଙ୍ଗିଆ ବେଣ୍ଟ ସାହାଯ୍ୟରେ ସ୍ତ୍ରୀକୁ ମାରି ଦେଇଥିବା ଜଣାପଡିଛି | ଏଭଳି ଅମାନବିୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରଶୁଣ୍ଡି (ଟୋଲା) ଗ୍ରାମର ରାଉତପାରା ସାହିରେ l ଏହି ଘଟଣାରେ ରାଇଘର ପୁଲିସ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି l ମିଳିଥିବା ସୂଚନା ଅନୁଯାୟୀ ଗୋନା ପଂଚାୟତ ଅନ୍ତର୍ଗତ ଭାରଶୁଣ୍ଡି ଟୋଲା ଗ୍ରାମର ରାଉତପାରା ସାହିର ଉଦୟ ସିଂ ଗଣ୍ଡ ଗତ ୧୩ ବର୍ଷ ପୂର୍ବେ କେବିକଙ୍ଗା ଗ୍ରାମର ସିଅନ୍ତି ଗଣ୍ଡଙ୍କୁ ବିବାହ କରିଥିଲେ | ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା l ଫଳରେ ଦୁହିଁଙ୍କ ମଧ୍ୟରେ ଝଗଡା ହେବା ସହ ମାରପିଟ ହୋଇଥିଲା | ଦୁହେଁ କିଛି ବର୍ଷ ଅଲଗା ହୋଇ ରହିବା ପରେ ପୁଣି ଦୁହେଁ ଏକାଠି ରହୁଥିଲେ l କିଛି ମାସ ବ୍ୟବଧାନ ପରେ ଦୁହିଁଙ୍କ ମଧ୍ୟରେ ପୁଣି ଥରେ ମନୋମାଳିନ୍ୟ ଆରମ୍ଭ ହୋଇ ଶେଷରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା | ଗତକାଲି ଉଦୟ ସିଂ ପ୍ରବଳ ମଦ ପିଇ ସିଅନ୍ତି ସହିତ ଝଗଡା କରିବା ସହ ତାକୁ ମାରପିଟ କରିଥିଲା l

ରାତିରେ ପୁଣି ଥରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହ ଉଦୟ ସିଂ ଘରେ ଥିବା ଏକ ଟାଙ୍ଗିଆ ବେଣ୍ଟ ସାହାଯ୍ୟରେ ସିଅନ୍ତିର ମୁଣ୍ଡରେ ମାରି ଦେବା ଫଳରେ ସିଅନ୍ତି ଅଚେତ ହୋଇ ପଡ଼ିଥିଲେ l ରାତି ସାରା ଅଚେତ ହେବା ଫଳରେ ଘଟଣାସ୍ଥଳରେ ହିଁ ସିଅନ୍ତିର ମୃତ୍ୟୁ ଘଟିଥିଲା l ଏ ନେଇ ଖବର ପାଇ ସିଅନ୍ତି ଗଣ୍ଡଙ୍କ ପରିବାର ଲୋକେ ଆଜି ଭାରସୁଣ୍ଡି (ଟୋଲା) ଗ୍ରାମକୁ ପହଞ୍ଚିବା ସହିତ ସିଅନ୍ତିଙ୍କ ଭାଇ ସୁନା ଗଣ୍ଡ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ |

ଖବର ପାଇ ସକାଳୁ ସ୍ଥାନୀୟ ଥାନା ଅଧିକାରୀ ଟଙ୍କଗିରି ଭୋଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ଉଦୟ ସିଂ କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି | ପ୍ରକାଶ ଥାଉକି ସିଅନ୍ତି ଓ ଉଦୟ ସିଂ ଗଣ୍ଡଙ୍କ ଛୋଟ ଛୋଟ ଦୁଇ ଝିଅ ଓ ଜଣେ ପୁଅ ଅଛନ୍ତି | ମା ର ମୃତ୍ୟୁ ଓ ବାପାଙ୍କ ଗିରଫ ପରେ ତିନି ସନ୍ତାନ ମା ଛେଉଣ୍ଡ ହେବା ସହ ଏବେ ଅସହାୟ ହୋଇ ପଡିଛନ୍ତି l

ସମ୍ବନ୍ଧିତ ଖବର