ପାରା ୪ ଡିଗ୍ରି: ଥରୁଛି ଦାରିଙ୍ଗବାଡ଼ି, ଫୁଲବାଣୀ ତାପମାତ୍ରା ୪.୫ ଡିଗ୍ରି

ତୁମୁଡ଼ିବନ୍ଧ/ଫୁଲବାଣୀ: ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ମଙ୍ଗଳବାର ପାରା ହ୍ରାସ ପାଇ ୪ ଡିଗ୍ରି ଛୁଇଁଛି। ସେହିପରି ଜିଲ୍ଲା ସଦର ମହକୁମା ଫୁଲବାଣୀରେ ମଧ୍ୟ ତାପମାତ୍ରା ଆଜି କମିଛି। ଏଠାରେ ମଙ୍ଗଳବାର ତାପମାତ୍ରା ୪.୫ ଡିଗ୍ରିରେ ପହଂଚିଛି। ଦାରିଙ୍ଗବାଡ଼ିରେ ସୋମବାର ତାପମାତ୍ରା ୨.୮ ଥିଲା। ସେହିପରି ଫୁଲବାଣୀର ତାପମାତ୍ରା ସୋମବାର ୩ ଡିଗ୍ରି ଥିଲା। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଶୀତ ଲହରୀ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।

ସାରା ରାଜ୍ୟରେ ଲୋକେ ଶୀତରେ ଥରୁଛନ୍ତି। କିଛି ଦିନ ତଳେ ଲୋକଙ୍କୁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଶୀତ ପୁଣିଥରେ ଲେଉଟିଛି। ଦିନକୁ ଦିନ ଶୀତର ପ୍ରକୋପ ଆହୁରି ବଢୁଛିି। କନ୍ଧମାଳ ଜିଲ୍ଲାର ଅନ୍ୟ ଅଂଚଳରେ ମଧ୍ୟ ଲୋକେ ଥଣ୍ଡା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବୟସ୍କ ନାଗରିକଙ୍କ ପାଇଁ ଶୀତ ଆହୁରି ଦାଉ ସାଜିଛି। ବୟସ୍କ ବ୍ୟକ୍ତିମାନେ ପାଣିକୁ ଭୟ କରୁଥିବା ବେଳେ ନିଆ ପାଖରେ ବସିବାକୁ ଭାରି ଭଲ ପାଉଛନ୍ତି। ଭୋର ସକାଳୁ ଏବଂ ସନ୍ଧ୍ୟାରେ ଗ୍ରାମାଂଚଳର ଲୋକେ ନିଆ ଶାଳ ପ୍ରସ୍ତୁତ କରୁଛନ୍ତି, ଯେଉଁଠାରେ ବୟସ୍କ ବ୍ୟକ୍ତିମାନେ ଆସ୍ଥାନ ଜମାଉଛନ୍ତି।

କନ୍ଧମାଳରେ ରବିବାର ତୁଷାରପାତ ଦେଖାଯାଇଥିଲା। ଲୋକଙ୍କୁ ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି। ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ କରୁଛନ୍ତି। ସୂର୍ଯ୍ୟ ନଇଁଲେ ଲୋକଙ୍କ ଚିନ୍ତା ବଢ଼ିଯାଉଛି।

ସମ୍ବନ୍ଧିତ ଖବର