ବିଜୁଳି ଆଘାତରେ ମରିଗଲା ବଣି ଧରିବା ପାଇଁ ଟ୍ରାନ୍‌ସ୍‌ଫର୍‌ମର୍‌ ଉପରେ ଚଢ଼ିଥିବା ସାତ ବର୍ଷିୟ ବାଳକ

ମାଲକାନଗିରି: ରବିବାର ସକାଳେ ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ପାକନାଗୁଡ଼ା ଗାଁ’ରେ ବଣିଚଢ଼େଇ ଧରିବାକୁ ବିଜୁଳି ଟ୍ରାନ୍‌ସ୍‌ଫର୍‌ମର୍‌ ଉପରେ ଚଢ଼ିଯାଇଥିବା ଜଣେ ସାତ ବର୍ଷିୟ ବାଳକ ବିଜୁଳି ଆଘାତରେ ମରିଯାଇଛି।

ମୃତ ବାଳକର ନାମ ରାଜେନ୍ଦ୍ର ସୀସା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଖଣ୍ଡିଉଡ଼ା ଦେଇ ବିଭିନ୍ନ ସ୍ଥାନରେ ବସୁଥିବା ଗୋଟାଏ ବଣିଚଢ଼େଇକୁ ଧରିବା ନିମନ୍ତେ ରାଜେନ୍ଦ୍ର ସକାଳୁ ଉଦ୍ୟମ ଚଳାଇଥିଲା।

ଘଟଣାକ୍ରମେ ବଣି ଚଢ଼େଇଟି ଉଡ଼ି ଯାଇ ଗାଁ ମୁଣ୍ଡରେ ଥିବା ଗୋଟାଏ ବିଜୁଳି ଟ୍ରାନ୍‌ସ୍‌ଫର୍‌ମର୍‌ ଉପରେ ବସି ଯାଇଥିଲା। ସେଠାରୁ ତାକୁ ଧରି ଆଣିବା ଲାଗି ରାଜେନ୍ଦ୍ର ମଧ୍ୟ ଟ୍ରାନ୍‌ଫର୍‌ମର୍‌ ଉପରକୁ ଚଢ଼ି ଯାଇଥିଲା। ଉପରେ ତାର ସଂସ୍ପର୍ଶରେ ଆସିବାରୁ ତା’ ଦେହରେ ବିଜୁଳି ଆଘାତ ଲାଗିଥିଲା ଓ ସେଠାରେ ତା’ର ମୃତ୍ୟୁ ଘଟିଲା।

ରାଜେନ୍ଦ୍ରର ଶବ ଏବେ ମଧ୍ୟ ଟ୍ରାନ୍‌ସ୍‌ଫର୍‌ମର୍‌ ଖମ୍ବରେ ଲାଗି ରହିଛି ଏବଂ ସମଗ୍ର ଗ୍ରାମରେ ବଡ଼ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ଖବର ପାଇ ପୁଲିସ ଘଟଣାସ୍ଥଳକୁ ବାହାରିଛି।

ସମ୍ବନ୍ଧିତ ଖବର