ପ୍ରତି ପଞ୍ଚାୟତରେ ଏକାଧିକ ଆଶାୟୀ: ବିଜେଡିର ଅନ୍ତଃକନ୍ଦଳ ବୁମେରାଂ ହୋଇପାରେ

ଭରସା ଗୋଟାଉଛି ବିଜେପି, ନେତୃତ୍ବ ଖୋଜୁଛି କଂଗ୍ରେସ

ପୁରୀ (ସୁମନ୍ତ ପରିଡ଼ା): ପୁରୀ ଜିଲ୍ଲାର ଗାଁ ଗାଁରେ ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। କିଏ ହେବ ପ୍ରାର୍ଥୀ, ତାକୁ ନେଇ ସବୁଠି ଚର୍ଚ୍ଚା। ଆଶାୟୀମାନେ ଏବେ ନେତାଙ୍କ ଘରେ ଭିଡ଼ ଲଗାଇଲେଣି। ସବୁ ରାଜନୈତିକ ଦଳର ନେତା ମଧ୍ୟ ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି। ଆଶାୟୀଙ୍କୁ ନେଇ ବିଜେଡିରେ ଅନ୍ତଃକନ୍ଦଳ ଏତେ ତୀବ୍ର ଯେ ଏହା ଦଳ ପାଇଁ ବୁମେରାଂ ହୋଇପାରେ ବୋଲି ରାଜନୈତିକ ମହଲର ମତ। ସେପଟେ ବିଜେପି ଲୋକଙ୍କ ଭରସା ଗୋଟାଇବାକୁ ସଂଘର୍ଷ କରୁଛି। କଂଗ୍ରେସ ଏଥିରେ ମଧ୍ୟ ବହୁ ପଛରେ ପଡ଼ିଛି। ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିଲେ ହେଁ ଦଳର ଜିଲ୍ଲା ସଭାପତି ପଦବି ଖାଲି।
ପୁରୀ ଜିଲ୍ଲା‌ରେ ୧୧ଟି ବ୍ଲକ୍‌ ରହିଛି। ପୁରୀ ସଦର, ବ୍ରହ୍ମଗିରି, ‌କାକଟପୁର, ନିମାପଡ଼ା, ସତ୍ୟବାଦୀ ଓ ପିପିଲି, ଏଭଳି ୬ଟି ନିର୍ବାଚନମଣ୍ଡଳୀ ରହିଛି। ଜିଲ୍ଲା ପରିଷଦ ସଂଖ୍ୟା ୩୩;ପଞ୍ଚାୟତ ସଂଖ୍ୟା ୨୬୮। ଭୋଟର ତାଲିକା ସଂଶୋଧନ ଓ ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ଚଳିତବର୍ଷ ୨୯ହଜାର ୩୦୬ ନୂଆ ଭୋଟର, ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି। ଜିଲ୍ଲାରେ ୭ଲକ୍ଷ ୧୭ହଜାର ୩୮୨ଜଣ ପୁରୁଷ, ୬ ଲକ୍ଷ ୭୩ହଜାର ୬୦୬ଜଣ ମହିଳା ଓ ୭୬ଜଣ ତୃତୀୟ ଲିଙ୍ଗ ଭୋଟର, ଏଭଳି ମୋଟ ୧୩ ଲକ୍ଷ ୯୧ହଜାର ୬୪ଜଣ ଭୋଟର ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୧୫୯୩ଟି ବୁଥ୍‌ରେ ମତଦାନ କରିବେ।

ଯେହେତୁ ବିଜେଡି ସରକାରରେ ଅଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଜିତିବାର ଆଧାର ହେବ ଏଣୁ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ ଲଢ଼ିବା ପାଇଁ ଏବେଠୁ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଲାଣି। କାକଟପୁର, ପିପିଲି, ନିମାପଡ଼ା, ସତ୍ୟବାଦୀ, ବ୍ରହ୍ମଗିରିରେ ସାମାନ୍ୟ ସ୍ଥିତି ଭଲ ଅଛି। କିନ୍ତୁ ପୁରୀ ସଦରରେ ଅନ୍ତଃକନ୍ଦଳ ଜଳଜଳ ଦିଶୁଛି।

The News Room

୨୦୧୯ ସାଧାରଣ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ପରାଜୟ ପରେ ତାଙ୍କ ସ୍ଥାନ ନେବାକୁ ପ୍ରତିଯୋଗିତା ଚାଲିଛି। ମହେଶ୍ବର ତାଙ୍କ ପୁଅ ତଥା ରାଜ୍ୟ ଯୁବ ବିଜେଡି ଉପସଭାପତି ସୁନିଲ ମହାନ୍ତିଙ୍କୁ ରାଜନୀତିକୁ ଆଣିଥିବାବେଳେ ସେପଟେ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଲୋକଙ୍କ ନିକଟତର ହୋଇ ବଳ ଗୋଟାଇବାରେ ଲାଗିଛନ୍ତି। ମହେଶ୍ବର-ଶୁଭାଶିଷଙ୍କ ମୁହାଁମୁହିଁ ଟକ୍କର ଭିତରେ ପଞ୍ଚାୟତସ୍ତରରେ ବି ଦୁଇ ନେତାଙ୍କ ନେତୃତ୍ବରେ ଆଶାୟୀ ଠିଆ ହେଲେଣି। ଯେଉଁଥିପାଇଁ ପୁରୀ ସଦର ନିର୍ବାଚନମଣ୍ଡଳୀରେ ବିଜେଡି ଭିତରେ ହିଁ ଲଢ଼େଇ ଜୋରଦାର ହେବାକୁ ଯାଉଛି। ବିଜେପି କିନ୍ତୁ ଏଠାରେ ଭଲ ସ୍ଥିତିରେ ରହିଛି। ବିଜେଡି ଅନ୍ତଃକନ୍ଦଳର ପୂର୍ଣ୍ଣ ଫାଇଦା ନେବାକୁ ଅନାଇ ବସିଛି। କଂଗ୍ରେସ ସେଭଳି ସୁଯୋଗ ସୃଷ୍ଟି କରିପାରିନି।

ବ୍ରହ୍ମଗିରିରେ ୨୦୧୯ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ପରାଜୟ ବରଣ କରିଥିଲେ ବି ତାଙ୍କ ଦବଦବା କମିନି। ବିଜେପିକୁ ମାତ୍ ଦେବା ଲାଗି ସେ ପୂର୍ଣ୍ଣ ପ୍ରୟାସ ଚଳାଇଛନ୍ତି। ଇତିମଧ୍ୟରେ ସଂଜୟ ଲୋକଙ୍କ ନିକଟତ୍ତର ହେବା ସହ ପଞ୍ଚାୟତ ନିର୍ବାଚନ ପାର ହେବାକୁ କ୍ଷେତ୍ର ପ୍ରସ୍ତୁତ ଶେଷ କରିସାରିଲେଣି। ସେପଟେ ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର ମଧ୍ୟ ନିଜର ସମ୍ମାନ ରଖିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି।

ପିପିଲି ନିର୍ବାଚନମଣ୍ଡଳୀ ଉପରେ ନଜର ପକାଇଲେ, ଉପନିର୍ବାଚନ ପରେ ପରେ ଦଳର ନେତୃତ୍ବକୁ ନେଇ ନେତା ଓ କର୍ମୀ ସନ୍ଦେହରେ ପଡ଼ିଛନ୍ତି। ଏହା ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହୋଇଥିଲେ ବି ଉପନିର୍ବାଚନରେ ପରାଜୟ ଦଳକୁ ଶକ୍ତ ଧକ୍କା ଦେଇଛି। ନବାଗତ ବିଧାୟକ ରୁଦ୍ର ମହାରଥୀ ନିଜର ଦମ୍ ଦେଖାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ସମାନ୍ତରାଳ ଭାବେ ଆଶ୍ରିତ ପତିଆରା ଫେରିପାଇବା ଲକ୍ଷ୍ୟରେ ଅଛନ୍ତି। କାକଟପୁର ଓ ନିମାପଡ଼ାରେ ଦୁଇ ଦୁଇଜଣ ମନ୍ତ୍ରୀ ସମୀର ରଂଜନ ଦାଶ ଓ ତୁଷାରକାନ୍ତି ବେହେରା ଥିବାରୁ ବିଜେଡି ଏଠାରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି। କିନ୍ତୁ ନିମାପଡ଼ାରେ ବ୍ଲକ୍‌ ଅଧ୍ୟକ୍ଷ ପଦ ବିଜେଡି ହାତରୁ ଖସି ଯାଇଥିବାରୁ ଓ ବିଜେପି ନାରୀନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ଏହା ନିର୍ବାଚନମଣ୍ଡଳୀ ହୋଇଥିବାରୁ କଡା ଟକ୍କର ହେବ ବୋଲି ପ୍ରାରମ୍ଭିକ ସୂଚନା ମିଳୁଛି। ଏ ଦୃଷ୍ଟିରୁ ସତ୍ୟବାଦୀ କିନ୍ତୁ ଭଲ ସ୍ଥିତିରେ ଅଛି। ଏଠି ସର୍ବଦା ବିଜେଡି ଓ କଂ‌ଗ୍ରେସ ଭିତରେ ଟକ୍କର ହୋଇ ଆସିଛି। କିନ୍ତୁ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଏକପ୍ରକାର ରାଜନୀତିରୁ ଦୂରେଇ ରହିବା ବିଜେଡିକୁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ୨୦୧୯ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ସଂଗଠନକୁ ମଜବୁତ କରିବାକୁ ଲାଗିଥିଲେ ବି ପଞ୍ଚାୟତ ନିର୍ବାଚନ ବୟାନ କରିବ ବିଧାୟକ ଉମା ସାମନ୍ତରାୟଙ୍କ ପ୍ରଭାବ କେମିତି ରହିଛି।

ସମ୍ବନ୍ଧିତ ଖବର