୫ ରାଜ୍ୟରେ ନିର୍ବାଚନୀ ଶଙ୍ଖନାଦ: ପଂଜାବରେ ଚତୁର୍ମୁଖୀ ଲଢ଼େଇ

ବି‌ଜେପି ବିପୁଳ ବିଜୟ ହାସଲ କରିବ: ଯୋଗୀ, ମାର୍ଚ୍ଚ ୧୦ରେ ବିପ୍ଳବ ଆସିବ, ଉତ୍ତରପ୍ରଦେଶ ବଦଳିଯିବ: ଅଖିଳେଶ

ଲକ୍ଷ୍ନୌ : ନିର୍ବାଚନ କମିସନ୍‌ ଆଜି ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରିବାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ‌ଯୋଗୀ ଆଦିତ୍ୟନାଥ ଏହାକୁ ସ୍ବାଗତ କରିଛନ୍ତି। ଯୋଗୀ କହିଛନ୍ତି, ଲୋକଙ୍କ ଆର୍ଶୀବାଦ ଏବଂ ଡବଲ୍‌ ଇଂଜିନ ସରକାରର ସଫଳତା ଆଧାରରେ ବିଜେପି ପୁଣିଥରେ ସରକାର ଗଠନ କରିବ ଏବଂ ଏହା ବିପୁଳ ବିଜୟ ହାସଲ କରିବ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ନିର୍ବାଚନ କମିସନଙ୍କ ଘୋଷଣାକୁ ସ୍ବାଗତ କରିଛନ୍ତି। ଅଖିଳେଶ କହିଛନ୍ତି, ‘ମାର୍ଚ୍ଚ ୧୦ରେ ବିପ୍ଳବ ଆସିବ, ଉତ୍ତରପ୍ରଦେଶ ବଦଳିଯିବ’। ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶରେ ୪୦୩ ଆସନରେ ଫେବ୍ରୁଆରି ୧୦, ୧୪, ୨୦, ୨୩, ୨୭, ମାର୍ଚ୍ଚ ୩ ଏବଂ ୭ ତାରିଖରେ ନିର୍ବାଚନ ଅଛି। ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଆସିବ। ବିଜେପି ୨୦୧୭ ମସିହାର ବିଜୟ ଦୋହରାଇବା ପାଇଁ ଜୋର୍‌ଦାର ପ୍ରୟାସ ଜାରି ରଖିଥିବାବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ମାତ୍‌ ଦେବାପାଇଁ ଆଞ୍ଚଳିକ ଦଳମାନଙ୍କ ସହ ମେଣ୍ଟ କରୁଛନ୍ତି। ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି, ୫ ରାଜ୍ୟରେ ତାଙ୍କ ଦଳ ପୁଣିଥରେ ନିର୍ବାଚନ ଜିତିବ। ଲୋକମାନେ ପୁଣିଥରେ ବିଜେପିକୁ ଆର୍ଶୀବାଦ ଦେବେ ଏବଂ ଏହା ପୁଣିଥରେ ବିପୁଳ ବିଜୟ ହାସଲ କରିବ । ବିଜେପି ଏବେ ନିର୍ବାଚନ ଥିବା ୫ ରାଜ୍ୟ ମଧ୍ୟରୁ ୪ଟି ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ କ୍ଷମତାରେ ଅଛି।

ପଂଜାବରେ ଚତୁର୍ମୁଖୀ ଲଢ଼େଇ
ଅମୃତସର: ଫେବ୍ରୁଆରି ୧୪ ତାରିଖରେ ଗୋଟିଏ ପର୍ଯ୍ୟ‌ାୟରେ ପଂଜାବ ବିଧାନସଭା‌ ନିର୍ବାଚନ ‌ହେବ। ପଂଜାବରେ ୧୧୭ ଆସନରେ ଗୋଟିଏ ଦିନରେ‌ ଭୋଟ୍‌ ଗ୍ରହଣ ହେବ। ପଂଜାବରେ ଚଳିତ ଥର ଅତ୍ୟନ୍ତ ଭିନ୍ନ ଢଙ୍ଗରେ ନିର୍ବାଚନ ଲଢ଼େଇ ହେବ। ପଂଜାବରେ କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି, ଶିରୋମଣି ଅକାଳି ଦଳ- ବିଏସ୍‌ପି ଏବଂ ବିଜେପି-ପିଏଲ୍‌ସି ମେଣ୍ଟ ମଧ୍ୟରେ ଲଢ଼େଇ ହେବ। ଏହାବାଦ୍‌ ପଂଜାବର ଚାଷୀ ସଂଗଠନ ମଧ୍ୟ ନୂଆ ରାଜନୈତିକ ଦଳ ଆରମ୍ଭ କରିଛନ୍ତି। ଚାଷୀ ନେତା ବଲବୀର ରା‌ଜେୱାଲଙ୍କ ନେତୃତ୍ବରେ ଏକ ନୂଆ ରାଜ‌ନୈତିକ ଦଳ ‘ସଂଯୁକ୍ତ ସମାଜ ମୋର୍ଚ୍ଚା’ ଆରମ୍ଭ ହୋଇଛି। ଏହା ଆପ୍‌ ସହ ମେଣ୍ଟ କରିବ ବୋଲି କୁହାଯାଉଛି। ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ିବାପରେ ନିଜର ଏକ ଦଳ ପଂଜାବ ଲୋକ କଂଗ୍ରେସ ଗଠନ କରିଛନ୍ତି। ସେ ବିଜେପି ସହ ମେଣ୍ଟ କରିଛନ୍ତି। ତେବେ ଚଳିତ ଥରର ଚତୁର୍କୋଣୀୟ ଲଢ଼େଇରେ ବିଜେପିର ଫାଇଦା ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର