ମାତୃହନ୍ତା ପୁତ୍ରକୁ ଆଜୀବନ କାରାଦଣ୍ଡ

ପୁରୀ: ଗତ ୨୦୧୫ ମସିହାରେ ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରରେ ଘଟିଯାଇଥିବା ହିମାଂଶୁବାଳା ପ୍ରଧାନଙ୍କ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ହିମାଂଶୁବାଳାଙ୍କ ହତ୍ୟା କରିଥିବା ତାଙ୍କ ପୁଅକୁ ଆଜି ଜିଲ୍ଲା ଦୌରାଜଜ୍‌ ଆଜୀବନ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୧୬ ଜଣ ସାକ୍ଷୀଙ୍କ ସାକ୍ଷୀପ୍ରମାଣକୁ ଆଧାର କରି ମାନ୍ୟବର ବିଚାରପତି ଏହି ରାୟ ଶୁଣାଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୫ ମସିହା ଡିସେମ୍ବର ମାସରେ ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରରେ ହିମାଂଶୁବାଳା ପ୍ରଧାନଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ହିମାଂଶୁବାଳାଙ୍କୁ ଅନ୍ୟ କେହି ନୁହେଁ, ତାଙ୍କର ପୁଅ ଦୀପ୍ତି ପ୍ରଧାନ(୨୪) ହିଁ ୮ ଥର ଛୁରି ଭୁସି ହତ୍ୟା କରିଥିଲା। ସମ୍ପର୍କୀୟଙ୍କ ଶବଦାହ କରି ଦୀପ୍ତି ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ଘରକୁ ଫେରିଥିଲା। ଘରେ କୌଣସି ଖାଦ୍ୟ ପ୍ରସ୍ତୁତି ହୋଇନଥିବା ଜାଣି ରାଗରେ ସେ ଏକ ପରିବା କଟା ଛୁରିରେ ନିଜ ମା ହିମାଂଶୁବାଳାଙ୍କ ପିଠିକୁ ଛୁରି ଭୁସି ହତ୍ୟା କରିଥିଲା। ଏନେଇ ମୃତ ହିମାଂଶୁବାଳାଙ୍କ ଅନ୍ୟ ପୁଅ ସ୍ମୃତି ପ୍ରଧାନ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତତ୍‌କାଳୀନ ଡେଲାଙ୍ଗ ଥାନା ଅଧିକାରୀ ସୁଶୀଲ ମିଶ୍ର ଏକ ନରହତ୍ୟା ମାମଲା ରୁଜୁ କରି ଦୀପ୍ତିକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଏହି ମାମଲାର ବିଚାର କରି ଜିଲ୍ଲା ଦୌରାଜଜ୍‌ ଧନେଶ୍ବର ମଲ୍ଲିକ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଘଟଣାର ପ୍ରାୟ ୭ ବର୍ଷ ପରେ ଅଭିଯୁକ୍ତ ଦୀପ୍ତିକୁ ଦୋଷୀ ସାବ୍ୟସ୍ତ କରି ଆସାମୀକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଡ.ଶିବପ୍ରସାଦ ନାୟକ ପରିଚାଳନା କରୁଥିଲେ।

ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ସେ ସମୟର ଡେଲାଙ୍ଗ ଥାନା ଇନ୍‌ସ୍ପେକ୍ଟର ସୁଶୀଲ ମିଶ୍ର ପୁରୀରେ ପ୍ରାୟ ୧୧ଟି ହତ୍ୟା ମାମଲାର ତଦନ୍ତ ଦାୟିତ୍ବ ନେଇଥିବା ବେଳେ ଇତିମଧ୍ୟରେ ସେଥିରୁ ୯ଟି ହତ୍ୟା ମାମଲାର ଶୁଣାଣି ହୋଇ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ସମ୍ବନ୍ଧିତ ଖବର