ଦାୟିତ୍ବ ଗ୍ରହଣ କଲେ ନୂତନ ନୌସେନା ମୁଖ୍ୟ ଦୀନେଶ କୁମାର ତ୍ରିପାଠୀ

ନୂଆଦିଲ୍ଲୀ: ଭାରତର ନୂତନ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଦୀନେଶ କୁମାର ତ୍ରିପାଠୀ ଆଜି ଦାୟତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କ ମା’ ରଜନୀ ତ୍ରିପାଠୀଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ମା’ ଯେଉଁଭଳି ଭାବେ ପୁଅ ତଥା ଆଡ୍‌ମିରାଲ୍‌ଙ୍କୁ କୋଳାଗ୍ରତ କରି ଆଶୀର୍ବାଦ ଦେଇଛନ୍ତି, ତାହା ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଆଜି ଦିଲ୍ଲୀର ସାଉଥ୍‌ ବ୍ଲକରେ ନୌସେନା ମୁଖ୍ୟଙ୍କ ଦାୟିତ୍ବଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନୌସେନା ମୁଖ୍ୟ ଭାବେ ଆଡ୍‌ମିରାଲ ଆର୍‌ ହରି କୁମାରଙ୍କଠାରୁ ଦୀନେଶ କୁମାର ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବଗ୍ରହଣ ପରେ ଆଡ୍‌ମିରାଲ୍‌ ତ୍ରିପାଠୀ କହିଛନ୍ତି, ବିଗତ ବର୍ଷଗୁଡ଼ିକ ମଧ୍ୟରେ ଆମର ଯୁଦ୍ଧ ପ୍ରସ୍ତୁତି ଆମକୁ ଯେ କୌଣସି ଚ୍ୟାଲେଂଜର ମୁକାବିଲା ପାଇଁ ସମର୍ଥ କରିଛି। ସାମୁଦ୍ରିକ କ୍ଷେତ୍ରରେ ଭାରତୀୟ ନୌସେନାକୁ ଶକ୍ତିଶାଳୀ ବିପଦର ମୁକାବିଲା ନିମନ୍ତେ ଓ ନିର୍ଦ୍ଦେଶ ମିଳିବା କ୍ଷଣି ସାମୁଦ୍ରିକ ଯୁଦ୍ଧରେ ଜିତିବା ପାଇଁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଏହାହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଓ ପ୍ରଚେଷ୍ଟା ରହିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ୧୫ ମଇ ୧୯୬୪ରେ ଜନ୍ମିତ ଆଡ୍‌ମିରାଲ୍‌ ଦୀନେଶ କୁମାର ତ୍ରିପାଠୀ ରେବା ସୈନିକ ସ୍କୁଲର ପୂର୍ବତନ ଛାତ୍ର ଅଟନ୍ତି। ସେ ଭାରତୀୟ ନୌସେନାରେ ୧ ଜୁଲାଇ ୧୯୮୫ରେ ଯୋଗ ଦେଇଥିଲେ। ଜଣେ ଯୋଗାଯୋଗ ଓ ବୈଦ୍ୟୁତିକ ରଣକୌଶଳ ବିଶେଷଜ୍ଞ ଭାବେ ଖ୍ୟାତି ଲାଭ କରିଥିଲେ। ଆଡ୍‌ମିରାଲ୍‌ ଦୀନେଶଙ୍କ ଦକ୍ଷତା ନିମନ୍ତେ ଭାରତ ସରକାର ତାଙ୍କୁ ଅତି ବିଶିଷ୍ଟ ସେବା ପଦକ ଓ ନୌ ସେନା ପଦକରେ ସମ୍ମାନିତ କରିଛି।

ସମ୍ବନ୍ଧିତ ଖବର