ଗରମରେ ବ୍ୟତିବ୍ୟସ୍ତ ପାଠଶାଳାର ହାତୀ-ଛାତ୍ରଛାତ୍ରୀ: ତାତିରେ ପ୍ରଭାବିତ ତାଲିମଶାଳାର ରୁଟିନ୍‌

ମେଣ୍ଢାଶାଳ: ୪୫ ଡିଗ୍ରିରୁ ଅଧିକ ତାପମାତ୍ରାରେ ରାଜଧାନୀ ଭୁବନେଶ୍ୱର ଡହଳବିକଳ ହେଉଥିବାବେଳେ ସହର ଉପକଣ୍ଠ ‌ବି ସେଥିରୁ ମୁକ୍ତି ପାଉନାହିଁ। ସେଠାରେ ମଧ୍ୟ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ସକାଳୁ ଗରମ ଆରମ୍ଭ ହୋଇ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଛି। ଲୋକେ ଦିନ ଦଶଟା ପରେ ଘରୁ ବାହାରକୁ ଯିବାଲାଗି ଭୟ କରୁଛନ୍ତି। ତାପମାତ୍ରା ବୃଦ୍ଧି ଜଙ୍ଗଲରେ ରହୁଥିବା ଛୋଟ ବଡ଼ ପଶୁ ଓ ପକ୍ଷୀଙ୍କୁ ମଧ୍ୟ କଲବଲ କରୁଛି। ତାପମାତ୍ରା ଏମିତି ଅତ୍ୟଧିକ ବଢ଼ିଲେ ଜୀବଜନ୍ତୁଙ୍କ ଉପରେ ମଧ୍ୟ କୁପ୍ରଭାବ ପଡ଼ିବ ବୋଲି ପଶୁ ବିଶେଷଜ୍ଞମାନେ ଆରମ୍ଭରୁ ମତଦେଇ ସାରିଛନ୍ତି।

ଚନ୍ଦକା ହସ୍ତୀ ଅଭୟାରଣ୍ୟର କୁମାରଖୁଣ୍ଟିରେ ଥିବା ହାତୀ ପାଠଶାଳା ବା ତାଲିମ ଶିବିରର ନିତିଦିନିଆ ରୁଟିନ୍‌ ଉପରେ ମଧ୍ୟ ତାତିର ପ୍ରଭାବ ଦେଖା ଯାଇଛି। ଏଠାରେ ୫ଟି ହାତୀଛୁଆ- ମାମା, ଜଗନ୍ନାଥ, କାର୍ତ୍ତିକ, ଉମା ଓ ଚନ୍ଦୁ ତାଲିମ ନେଉଛନ୍ତି। ମାମା ଓ ଜଗନ୍ନାଥ ନନ୍ଦନକାନନରୁ ଆସିଥିବା ବେଳେ କାର୍ତ୍ତିକ, ଉମା ଓ ଚନ୍ଦୁ କପିଳାସରୁ ଆସି ଏଠାରେ ତାଲିମ ନେଉଛନ୍ତି। ପ୍ରଚଣ୍ଡ ଖରା ଯୋଗୁଁ ବର୍ତ୍ତମାନ ଠିକ୍‌ ଶୈଳୀରେ ତାଲିମ ସମ୍ଭବ ହେଉନାହିଁ। ତା’ ଉପରକୁ ସେମାନେ ରହୁଥିବା ହାତୀଶାଳା ଉପରେ ଟିଣ ଛାଉଣି ଅଛି। ତେଣୁ ଦିନ ସମୟରେ ତା’ ଭିତ‌ରେ ପ୍ରବଳ ଗରମ ହେଉଛି। ପୁଣି ହାତୀଶାଳାର ଚାରିପଟ ଖୋଲା ରହିଛି। ଫଳରେ ବାହାରୁ ତତଲା ଝାଞ୍ଜିମାଡ଼ ହେଉଛି। ସେଥିରେ ହାତୀଛୁଆ କଲବଲ ହେଉଛନ୍ତି। ଗରମ ଦାଉରୁ ରକ୍ଷା କରିବାପାଇଁ ମାହୁନ୍ତ ଛୁଆଙ୍କୁ ପାଖ ପୋଖରୀକୁ ଗାଧୋଇଦେବା ପାଇଁ ନେଇ ଯାଉଛନ୍ତି। ସେମାନେ ପାଣିରେ ବେଶ୍‌ ଖୁସି ହେଉଥିବା ଲକ୍ଷ୍ୟ କରାଯାଉଛି।

ସୂଚନାଯୋଗ୍ୟ ଯେ ଗତ ମାସ ୬ ତାରିଖରେ ଏହି ହାତୀଶାଳା ଉଦ୍‌ଘାଟିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ (ପିସିସିଏଫ୍) ସୁଶାନ୍ତ କୁମାର ନନ୍ଦଙ୍କ ସମେତ ଚନ୍ଦକା ଡିଏଫ୍ଓ, ଏସିଏଫ୍‌, ଡମପଡା ରେଞ୍ଜର ଓ ଚନ୍ଦକା ରେଞ୍ଜର ପ୍ରମୁଖ ଉପସ୍ଥିତ ଥିଲେ। ଜଗା ଓ ମାମା ଚନ୍ଦକା ହସ୍ତୀ ଅଭୟାରଣ୍ୟର ଭବିଷ୍ୟତ ବୋଲି ପିସିସିଏଫ୍ ଶ୍ରୀ ନନ୍ଦ କହିଥିଲେ। ମାଈ ହାତୀଛୁଆ ମାମା ମା’ ଠାରୁ ଅଲଗା ହୋଇ ଏଣେତେଣେ ବୁଲୁଥିବା ବେଳେ ଖୋର୍ଦ୍ଧା ଡିଭିଜନର ଟାଙ୍ଗୀଠାରୁ ତା’କୁ ଉଦ୍ଧାର କରାଯାଇଥିଲା। ସେହିଦିନ ଠାରୁ ସେ ନନ୍ଦନକାନନରେ ବଢ଼ିଥିଲା। ଅଣ୍ଡିରା ହାତୀଛୁଆ ଜଗନ୍ନାଥ ଶିମିଳିପାଳରୁ ଆସିଛି। ସେହିପରି ଆଠଗଡ ଜଙ୍ଗଲରୁ ୨୦୧୦ରେ ଉଦ୍ଧାର ହୋଇଥିଲା ଅଣ୍ଡିରା ହାତୀଛୁଆ କାର୍ତ୍ତିକ। ନିଜ ଦଳ ସହିତ ବୁଲୁବୁଲୁ ସେ ଏକ ଜଙ୍ଗଲୀ ଖାତରେ ପଡ଼ି ଯାଇଥିଲା। ମା’ ହାତୀ ସମେତ ହାତୀପଲ ତା’କୁ ଉଦ୍ଧାର କରିବାକୁ ବହୁ ଉଦ୍ୟମ କରି ବିଫଳ ହୋଇ ଜଙ୍ଗଲକୁ ଫେରି ଯାଇଥିଲେ। ତା’ପରେ ସ୍ଥାନୀୟ ଲୋକ ଓ ବନ ବିଭାଗର ଅଧିକାରୀମାନେ ତା’କୁ ଉଦ୍ଧାର କରିଥିଲେ। ପରେ ତା’କୁ ତା’ର ପୁରୁଣା ଦଳକୁ ଫେରାଇ ଦେବାକୁ ଉଦ୍ୟମ କରାଯାଇଥିଲା। ତେବେ ବୋଧହୁଏ ମଣିଷର ସଂସ୍ପର୍ଶରେ ଆସିଥିବାରୁ ତା’ ମା’ ଓ ହାତୀପଲ ଆଉ ଗ୍ରହଣ କରିନଥିଲେ। ତେଣୁ ତା’କୁ କପିଳାସରେ ଥିବା ହାତୀ ରେସ୍କ୍ୟୁ ସେଣ୍ଟର୍‌ରେ ରଖାଯାଇଥିଲା ଓ କାର୍ତ୍ତିକ ନାଁ ଦିଆ ଯାଇଥିଲା।

ଏବେ କାର୍ତ୍ତିକକୁ ୧୪ ବର୍ଷ ହେଲାଣି। ଢେ଼ଙ୍କାନାଳ ଜିଲ୍ଲାର ଷଡ଼ଙ୍ଗୀ ବନାଞ୍ଚଳରୁ ୨୦୧୨ ମସିହା ସେପ୍ଟେମ୍ବର ମାସରେ ମାଈ ହାତୀଛୁଆ ଉମାକୁ ଉଦ୍ଧାର କରାଯାଇଥିଲା। ତା’କୁ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରା ଯାଇଥିଲା। କାର୍ତ୍ତିକ ଭଳି ମଣିଷ ସଂସ୍ପର୍ଶରେ ଆସିଥିବାରୁ ତା’କୁ ମଧ୍ୟ ତା’ ହାତୀପଲ ଗ୍ରହଣ ନକରି ଜଙ୍ଗଲକୁ ଚାଲି ଯାଇଥିଲେ। ତା’କୁ ମଧ୍ୟ କପିଳାସ ହାତୀ ସେଣ୍ଟରରେ ରଖା ଯାଇଥିଲା। ଉମାକୁ ଏବେ ୧୨ ବର୍ଷ। ସେହିପରି ବରଗଡ଼ ବନଖଣ୍ଡରୁ ୨୦୧୧ ଡିସେମ୍ବର ମାସରେ ଅଣ୍ଡିରା ହାତୀଛୁଆ ଚନ୍ଦୁକୁ ଉଦ୍ଧାର କରାଯାଇଥିଲା। ସେଠାରୁ ଆସି ସେ କପିଳାସ ସେଣ୍ଟରରେ ରହିଥିଲା। ଚନ୍ଦୁକୁ ଏବେ ୧୩ ବର୍ଷ। ଏବେ ଗରମ କାରଣରୁ ପଡ଼ିଥିବା ପ୍ରଭାବ ସଂପର୍କରେ ମତ ଦେବାବେଳେ କୁମାରଖୁଣ୍ଟି ହାତୀ ତାଲିମ ଶିବିରରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ତାଙ୍କ ଶବ୍ଦରେ ଯାହା କହିଲେ, ତା’ର ଅର୍ଥ ଏମିତି ହେବ: ‘‘ଏ ହାତୀଛୁଆମାନେ ଅତି ସାନ ହୋଇଥିବାବେଳେ ମରଣ ମୁହଁରୁ ବର୍ତିଆସି ଏ ବୟସରେ ପହଞ୍ଚି ପାରିଛନ୍ତି। ଗରମ ତାଙ୍କୁ ହଇରାଣ କରୁଛି ସତ, କିନ୍ତୁ ସେମାନଙ୍କୁ ହରାଇ ପାରିବନି। ଗରମ ହାରିବ, ଏମାନେ ଜିତିବେ…।’’

ସମ୍ବନ୍ଧିତ ଖବର