‘ଏକଚ୍ଛତ୍ରବାଦ ଭଲ’: ଚର୍ଚ୍ଚାରେ ଜୟଶଙ୍କରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର କହିଥିଲେ ଯେ ଅନେକ ଦଶନ୍ଧି ଧରି ଭାରତ ରୁଷିଆରୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଆସୁଥିଲା। କାରଣ ପାଶ୍ଚାତ୍ୟ ଦେଶ ଭାରତକୁ ଅସ୍ତ୍ରଶସ୍ତ୍ର ଦେଉ ନ ଥିଲେ। ସେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ବେଳେ ଏହା କହିଛନ୍ତି। ଏଥି ସହ ଜୟଶଙ୍କର କହିଥିଲେ ଯେ ଆମ ପରେ ପାଶ୍ଚାତ୍ୟରେ ବି ସାମରିକ ଏକଚ୍ଛତ୍ରବାଦକୁ ପସନ୍ଦ କରାଯାଉଥିଲା। ଜୟଶଙ୍କରଙ୍କ ଏଭଳି ମନ୍ତବ୍ୟ ବ୍ୟାପକଭାବେ ଧ୍ୟାନ ଆକର୍ଷଣ କରିଛି। ଗତ କିଛି ମାସ ହେଲା ୟୁକ୍ରେନ୍ ଯୁଦ୍ଧ ନେଇ ସେ ଭାରତର ସ୍ଥିତି ସପକ୍ଷରେ କହି ଆସିଛନ୍ତି। ରୁଷିଆକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଏକଘରିଆ କରିଥିଲେ ମଧ୍ୟ ଭାରତ ସେଥିରୁ ବିରତ ରହିଛି। ଓଲଟା ଶସ୍ତା ଦରରେ ଭାରତ ରୁଷିଆରୁ ଅଧିକ ତେଲ କିଣୁଛି। ଭାରତର ଏପରି ନୀତି ସପକ୍ଷରେ ଜୟଶଙ୍କର ଦୃଢ଼ ମତ ପୋଷଣ କରିଛନ୍ତି। ବିଭିନ୍ନ ସମୟରେ ତାଙ୍କର ମତ ବ୍ୟାପକଭାବେ ଧ୍ୟାନ ଆକର୍ଷଣ କରିଥାଏ।
ରୁଷିଆରୁ ଶସ୍ତା ଦରରେ ତେଲ କିଣାକୁ ନେଇ ଗତ ଅଗଷ୍ଟ ମାସରେ ଜୟଶଙ୍କର କହିଥି‌ଲେ- ମୋ ଦେଶରେ ଲୋକଙ୍କ ମୁଣ୍ଡପିଛା ଆୟ ହେଉଛି ୨୦୦୦ ଡଲାର। ସେମାନେ ଅଧିକ ଦାମ୍‌ରେ ତେଲ କିଣିପାରିବେ ନାହିଁ। ତେଣୁ ଜନସାଧାରଣଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଭାରତ ରୁଷିଆରୁ ତେଲ କିଣିବାକୁ ନିଷ୍ପତ୍ତି ନେଇଛି। ଏଥିରେ ଭୁଲ କେଉଁଠି ରହିଲା? ସେ ପୁଣି କହିଥିଲେ- ଦେଶବାସୀଙ୍କ ପାଇଁ ବିଶ୍ବ ସହ ସମ୍ଭାବ୍ୟ ସର୍ବୋତ୍ତମ ଡିଲ୍ କରିବା ମୋର ନୈତିକ ଦାୟିତ୍ବ ଓ କର୍ତ୍ତବ୍ୟ।

ଗତ ମାସରେ ଆମେରିକା ଗସ୍ତ ସମୟରେ ଜୟଙ୍କର କହିଥିଲେ- ତେଲ ଦରର ବୋଝ ଆମ ପିଠି ଭାଙ୍ଗିଦେଉଛି। ପାକିସ୍ତାନ ପାଇଁ ଆମେରିକାର ଏଫ୍‌-୧୬ ପ୍ୟାକେଜକୁ ନେଇ କହିଥିଲେ- ଆମେରିକା କାହାକୁ ବୋକା ବନେଇପାରିବ ନାହିଁ। ପାକିସ୍ତାନ ସହ ଏହା ଯେଉଁ ସମ୍ପର୍କ ଯୋଡ଼ୁଛି ସେଥିରେ ପାକିସ୍ତାନର କଲ୍ୟାଣ ହେବ ନାହିଁ କି ଆମେରିକାର ବି ସ୍ବାର୍ଥ ସାଧନ ହେବ ନାହିଁ।

ଆଉ ଏକ ଘଟଣାରେ ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ଦେଉଥିବା ୩୭୦ ଧାରା ଉଚ୍ଛେଦ ପରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଯେଉଁ କଟକଣା ଲଗାଯାଇଥିଲା ତାହା ଉପରେ ଜୟଶଙ୍କର କହିଥିଲେ- ଇଣ୍ଟରନେଟ୍ ସଂଯୋଗ କାଟିଦେବା କ’ଣ ଜୀବନହାନିଠାରୁ ଅଧିକ ବିପଜ୍ଜନକ?

ଆଉ ଦିନେ ପାକିସ୍ତାନ ସମ୍ପର୍କରେ ଜୟଶଙ୍କର କହିଥିଲେ- ଆମର ଗୋଟେ ପଡ଼ୋଶୀ ଅଛି। ଆମେ ଯେମିତି ସୂଚନା-ପ୍ରଯୁକ୍ତିରେ ପ୍ରବୀଣ ସେମାନେ ସେମିତି ଅନ୍ତର୍ଜାତୀୟ ଆତଙ୍କବାଦୀ ତିଆରି କରିବାରେ ମାହିର। ସେତେବେଳେ ଶ୍ରୋତାମାନେ ଭାରତର ବିଦେଶ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ତାଳି ମାରି ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର