ନଭେମ୍ବର ୧୨ରୁ ଜାତୀୟ ମହିଳା ଫୁଟବଲ ଚାମ୍ପିଅନସିପ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୧୨ରୁ ଆୟୋଜିତ ହେବ ୨୮ତମ ଜାତୀୟ ବରିଷ୍ଠ ମହିଳା ଫୁଟବଲ୍ ଚାମ୍ପିଅନସିପ୍। ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଓ ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି ଜାତୀୟ ପ୍ରତିଯୋଗିତା ପାଇଁ ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରେ ଜାତୀୟ ମହିଳା ଫୁଟବଲ ଆୟୋଜିତ ହେବାକୁ ଥିବାରୁ ଜିଲ୍ଲାର ଫୁଟବଲ ଖେଳାଳି ଓ ଫୁଟବଲ ପ୍ରେମୀ ମହଲରେ ବେଶ ଉତ୍ସୁକତା ପ୍ରକାଶ ପାଇଛି। ୧୨, ୧୪, ୧୬, ୧୯ ଓ ୨୧ ତାରିଖରେ ‘ଇ’ ଗ୍ରୁପର ସମସ୍ତ ଲିଗ୍ ମ୍ୟାଚ୍ ଏଠାରେ ହେବ। ଏଥିରେ ଗୋଆ, ମେଘାଳୟ, ଗୁଜୁରାଟ, ଓଡ଼ିଶା ଓ ଅରୁଣାଚଳପ୍ରଦେଶ ରହିଛନ୍ତି।

ପ୍ରତିଯୋଗୀ ଦଳ ମଧ୍ୟରେ ଦିନକୁ ୨ଟି ମ୍ୟାଚ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ ପୂର୍ବାହ୍ନ ୧୦ଟା ଓ ଦ୍ବିତୀୟ ମ୍ୟାଚ ଅପରାହ୍ନ ସାଢ଼େ ୨ଟାୟରେ। ଖେଳ ପରିଚାଳନା କରିବା ପାଇଁ ସର୍ବଭାରତୀୟ ଫୁଟବଲ ମହାସଂଘର ୧୦ ଜଣ ରେଫରି, ଜଣେ ମ୍ୟାଚ କମିସନର ଓ ଜଣେ ରେଫରି ଏସେସର ଆସିବେ। ସମସ୍ତ ଦଳ ଓ ରେଫରିମାନେ ନଭେମ୍ବର ୧୦ ତାରିଖରେ ସୁନ୍ଦରଗଡ଼ ପହଞ୍ଚିବେ। ଏହି ଅବସରରେ ମଙ୍ଗଳବାର ଜିଲ୍ଲା କ୍ରୀଡ଼ା ସଂସଦ ଟୁର୍ଣ୍ଣା ମେଣ୍ଟ କମିଟି ଅଧ୍ୟକ୍ଷ ଜନମେରି ବାଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଉପସଭାପତି ପୌଷଚନ୍ଦ୍ର ପଟେଲ ଓ ବିମଳ ବୋଷ, ଜୟଦେବ ପାତ୍ର, ଫୁଟବଲ ସମ୍ପାଦକ ରାଜେନ୍ଦ୍ର ପାଣ୍ଡେ, ନିତ୍ୟକୁମାର ବଳ, ରୋମାଞ୍ଚ ଭୈଷାଲ, ଅଜୟ ବହିଦାର, ସଂଜୀବ ପଟ୍ଟନାୟକ, ବୀରକିଶୋର ସାମଲ ପ୍ରମୁଖ ଯୋଗ ଦେଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ସୁନ୍ଦରଗଡ଼ରେ ଏଭଳି ଏକ ଜାତୀୟ ମହିଳା ପ୍ରତିଯୋଗିତା କରିବାକୁ ସ୍ବୀକୃତି ପ୍ରଦାନ କରିଥିବାରୁ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମସମ୍ପାଦକ ଅଭିଜିତ ପାଲଙ୍କୁ କ୍ରୀଡ଼ା ସଂସଦ କର୍ମକର୍ତ୍ତା କୃତଜ୍ଞତା ଜଣାଇବା ସହ ଏହି ପ୍ରତିଯୋଗିତା ଜିଲ୍ଲାର ମହିଳା ଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର