ଶାନ୍ତିସ୍ତୂପର ସୁନା ଇତିହାସ

ଅସିତ ମହାନ୍ତି

ଆମ ଓଡ଼ିଶା ପାଇଁ ଏକ ଖୁସିର କଥା, ଯେ ଧଉଳିର ଶାନ୍ତିସ୍ତୂପ ଏଇ ଅକ୍ଟୋବରରେ ପଦାର୍ପଣ କରିଛି ତାହାର ସୁବର୍ଣ୍ଣ ବର୍ଷରେ। ଆହୁରି ସୁଖର କଥା ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ମହାସମାରୋହରେ ପାଳିତ ହେଉଛି ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ। ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଏହି ଶାନ୍ତିସ୍ତୂପ ଦେଶ ବିଦେଶର କେତେ ଯେ ବୌଦ୍ଧ ଧର୍ମାବଲମ୍ବୀ ଓ ସାଧାରଣ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି, ତାହାର ସୁମାରି ନାହିଁ। ଆଜିର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ପରେ ଏହା ଯେ ଆହୁରି ଅଧିକ ପର୍ଯ୍ୟଟକ ଓ ଭକ୍ତଙ୍କୁ ଆକର୍ଷିତ କରିବ, ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ।

‘ଧଉଳି ପାହାଡ଼’କୁ ନେଇ ସେଇ ନାଆଁରେ ଏକ ଦୀର୍ଘ କବିତା ଲେଖିଛନ୍ତି ପଦ୍ମଚରଣ ପଟ୍ଟନାୟକ। ଊନବିଂଶ ଶତାବ୍ଦୀର ଅନ୍ତିମ ପାଦରେ ଜନ୍ମିତ ଏବଂ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସାହିତ୍ୟ ସାଧନାରତ ଏହି କବିଙ୍କୁ ‘ବୈତାଳିକ’ କବିର ଆଖ୍ୟା ଦିଆଯାଏ। ‘ବୈତାଳିକ’ର ଅର୍ଥ- ବନ୍ଦୀ (ବନ୍ଦନାଗାନକାରୀ) ବା ସ୍ତୁତିପାଠକ। ସମକାଳୀନ ଉଗ୍ର ଉତ୍କଳୀୟ ଜାତୀୟତାବୋଧ ତାଙ୍କର ଏ କବିତାର ଭାବଭୂମି। ସାହିତ୍ୟ ସମାଲୋଚକ ତାହାକୁ ଅଭିହିତ କରିଛନ୍ତି, ବଙ୍ଗୀୟ ନାଟ୍ୟକାର ଦ୍ୱିଜେନ୍ଦ୍ର ଲାଲ ରାୟଙ୍କ ‘ମେବାର ପତନ’ ନାଟକ ପରି, ଓଡ଼ିଆ ସାହିତ୍ୟର ଏକ ଅମ୍ଳାନ କୃତି ରୂପେ।
ଆମ ସମସ୍ତଙ୍କୁ ଜଣା ଯେ ଦୟାନଦୀ କୂଳର ଏହି ଧଉଳି ପାହାଡ଼, ଖ୍ରୀଷ୍ଟପୂର୍ବ ୨୬୧ରେ ସଂଘଟିତ କଳିଙ୍ଗଯୁଦ୍ଧର ମୂକସାକ୍ଷୀ। ସେହି ଯୁଦ୍ଧର ନୃଶଂସ ନରସଂହାର ଓ ରକ୍ତସ୍ରୋତ ସମ୍ରାଟ ଅଶୋକଙ୍କୁ ‘ଚଣ୍ଡାଶୋକ’ରୁ ପରିବର୍ତ୍ତିତ କରିଥିଲା ‘ଧର୍ମାଶୋକ’ରେ ଏବଂ ତାହା ପରେ ହିଁ ଏହି ଉତ୍କଳଭୂମିରୁ ସେ ଆରମ୍ଭ କରିଥିଲେ ତାଙ୍କର ‘ଧର୍ମବିଜୟ’ ଅଭିଯାତ୍ରା। ବୌଦ୍ଧଧର୍ମ ହୋଇଥିଲା ବିଶ୍ୱବ୍ୟାପ୍ତ। ବୈତାଳିକ କବି ପଦ୍ମଚରଣ ‘ଧଉଳି ପାହାଡ଼’ କବିତାରେ ତାହାର ସ୍ମୃତିଚାରଣ କରି କହିଛନ୍ତି-
“ଚିର ସାହସିକ କଳିଙ୍ଗ ତନୟେ
ହସି ଶତ୍ରୁସଙ୍ଗେ କଷିଲେ ବଳ।
କେତେ କାହିଁ ଶବ ପଡ଼ି ଗଡ଼ିଗଲେ
ଅରୁଣ ଦିଶିଲା ଦଇଆ ଜଳ।
ବିଜୟ ଉଲ୍ଲାସେ ଅଶୋକ ରାଜନ
ଗଣୁଥିଲେ ବସି ଶତ୍ରୁଙ୍କ ମଥା।
ଧଉଳି ପାହାଡ଼, ତୁନି ତୁନି କରି
କିବା ତାଙ୍କ କାନେ କହିଲ କଥା।”
ସେଦିନ, ଧଉଳି ଉପତ୍ୟକାର ସେଇ ରଣଭୂମିରେ, ନୃଶଂସ ନରହତ୍ୟା ଓ ଧ୍ୱଂସଲୀଳା ଦେଖି ସମ୍ରାଟ ଅଶୋକଙ୍କର ହୃଦ୍‌ବୋଧ ହୋଇଥିଲା, “ହିଂସା ପ୍ରଣୋଦିତ ତରବାରିର ଜୟ, ଜୟ ନୁହେଁ।” ତାଙ୍କର ସେହି ହୃଦୟ ପରିବର୍ତ୍ତନରେ ଧଉଳି ପାହାଡ଼ର ଗୁରୁତ୍ୱପୂର୍ଣ୍ଣ ଭୂମିକା କଥା କହିଛନ୍ତି ପଦ୍ମଚରଣ ପଟ୍ଟନାୟକ। ସମ୍ରାଟ ଅଶୋକଙ୍କର ସେଦିନର ଭାବନାର ସୁନ୍ଦର ଚିତ୍ରଣ ସେ କରିଛନ୍ତି, ମଗଧର ସେହି ମୌର୍ଯ୍ୟ ସମ୍ରାଟଙ୍କ ଭାବନାରେ-
“ଧୂମକେତୁ ପରି ଭୀମ ପୁଚ୍ଛ ଧରି
ବୁଣିଲି ମଡ଼କ ଯାତନା ରାଜି,
ଲୋକ-ଅଶ୍ରୁ-ରକ୍ତସ୍ରୋତେ ଭାସି ଭାସି
ଏ ଗିରି ଚରଣେ ଆସିଛି ଆଜି।
ଏ ଗିରି ଚରଣେ ଏହି ନଦୀ କୂଳେ
ଲଭିଲିଣି ଆଜି ପରମ ଶିକ୍ଷା।
ଏ କଳିଙ୍ଗ ଦେଶ ହେଲେ ମୋର ଗୁରୁ
ଘେନିବି ଏଥି ମୋ ଜୀବନ ଦୀକ୍ଷା।”
ଆଉ ଜଣେ, ବିଶିଷ୍ଟ ଐତିହାସିକ, ପ୍ରଫେସର ମନ୍ମଥ ନାଥ ଦାସ। ‘ସମୟ ସାଗର ତୀରେ’ ଶୀର୍ଷକରେ ତାଙ୍କର ଖଣ୍ଡିଏ ବହି ଅଛି। ସେ ବହିର ‘ସୂଚନା’ରେ ସେ କହିଛନ୍ତି, “ସମୟର ପ୍ରଖର ସ୍ରୋତରେ ଅତୀତ ଗର୍ଭରୁ ଭାସିଆସୁଛି ବର୍ତ୍ତମାନ ଏବଂ ବର୍ତ୍ତମାନ ଗର୍ଭରୁ ଭାସିଚାଲିବ ଭବିଷ୍ୟତ। ବିଗତ ଦିନର ପ୍ରଭାବ ଆଜି ଉପରେ ଏବଂ ଆଜିର ପ୍ରଭାବ ଆଗାମୀ ଉପରେ ପ୍ରତିଫଳିତ ହେବା ହିଁ ସମୟସ୍ରୋତର ତାତ୍ପର୍ଯ୍ୟ। ପଶ୍ଚାତ୍‌ରେ ହଜିଯାଇଥିବା ଘଟଣାରାଜି ନିରର୍ଥକ ନୁହେଁ। କାରଣ, ସେଥି ମଧ୍ୟରେ ନିହିତ ରହିଛି ଚିରନ୍ତନ ଶିକ୍ଷା। ସେହି ଶିକ୍ଷା ମଧ୍ୟରୁ ନିଃସୃତ ହୁଏ ଶାଶ୍ୱତ ଜ୍ଞାନ ଓ ପ୍ରଜ୍ଞା।”
‘ସମୟ ସାଗର ତୀରେ’ର କଳ୍ପ-ନାୟିକା ‘ଇତି’। ଏହାର ‘ଉପକ୍ରମଣିକା’ରେ ତାହାର ଅବତାରଣା କରିଛନ୍ତି ପ୍ରଫେସର ଦାସ। ଇତି ତା’ର କ୍ଷୁଦ୍ର ତରଣୀରେ ତାଙ୍କୁ ନେଇ ବାହାରିଯାଇଛି ସମୟ ସାଗରରେ, ତଟମାନଙ୍କର ସନ୍ଧାନରେ। ‘ଖୁଫୁ’ଙ୍କଠାରୁ ‘ଗାନ୍ଧୀ’ଙ୍କ ପର୍ଯ୍ୟନ୍ତ ମୋଟ ଏକୋଇଶିଟି ତଟରେ ଅଟକିଛି ଇତିର ତରଣୀ। ସେହି ଏକୋଇଶିଟି ତଟରୁ ଗୋଟିଏ ତଟ ‘ବୁଦ୍ଧ’ ଓ ଆଉ ଗୋଟିଏ ତଟ ‘ଅଶୋକ’। ଅଶୋକଙ୍କ ସଂପର୍କିତ ‘ସୂଚନା’ରେ ସେ କହିଛନ୍ତି, “ସତ୍ୟ ଘଟଣାର ମୂଳଭିତ୍ତି ଉପରେ ପ୍ରବନ୍ଧମାନ ରଚିତ ହୋଇଛି। କେବଳ କଳିଙ୍ଗଯୁଦ୍ଧ, ଯା’ ସମ୍ବନ୍ଧରେ ଇତିହାସ ନିର୍ଦ୍ଦୟ ରୂପେ ନିରବ, ସେହି ଘଟଣାର ସମ୍ଭାବ୍ୟ ସତ୍ୟ ପ୍ରତି ଦୃଷ୍ଟି ରଖି ବର୍ଣ୍ଣନାର ଆଶ୍ରୟ ନିଆଯାଇଛି। ବିଷୟବସ୍ତୁର ଅନ୍ତର୍ନିହିତ ଦର୍ଶନ ଉପସ୍ଥାପନା କରିବା ହେଉଛି ପ୍ରକୃତ ଉଦ୍ଦେଶ୍ୟ।”
‘ଅଶୋକ’ ତଟରେ ‘ଇତି’ ତାଙ୍କୁ ହାତଧରି ନେଇଯାଇଛି କଳିଙ୍ଗ ଯୁଦ୍ଧର ରଣାଙ୍ଗନକୁ। ପ୍ରଫେସର ଦାସ ଲେଖିଛନ୍ତି, “ମନ୍ତ୍ରଚାଳିତ ରୂପେ ମୁଁ ଇତି ପଛରେ ଚାଲିଲି। କୁମାରୀ ପାହାଡ଼ ତଳଦେଶରୁ ଧଉଳି ପାହାଡ଼ ପର୍ଯ୍ୟନ୍ତ ଯୁଦ୍ଧର ଆଖପାଖ ଭୂମି ବ୍ୟାପି ରହିଛି। … ତୋଷାଳିର ବହ୍ନିଶିଖା ଏବେ ବି ଦିଶୁଛି। ଦୟାନଦୀରୁ ଏବେ ବି ବାହାରୁଛି ରକ୍ତିମ ଆଭା। … ରକ୍ତମାଂସର କର୍ଦ୍ଦମାକ୍ତ ରଣଭୂମି ମଧ୍ୟରେ ଆମେ ବୁଲି ଚାଲିଛୁଁ। ବୌଦ୍ଧ ସେବିକାମାନେ ଗାଉଛନ୍ତି କରୁଣ ମଧୁର ଗୀତ। ସେମାନଙ୍କ ହାତଗୁଡ଼ିକ ସେବାରତ।”
ସେ ସଂପର୍କରେ ବର୍ଣ୍ଣନା ଦେଇ ସେ ଆହୁରି ମଧ୍ୟ ଲେଖିଛନ୍ତି- ସନ୍ଧ୍ୟାରେ, ଦିନର ଯୁଦ୍ଧ ଶେଷ ହେବା ପରେ, ରାତିର ଅନ୍ଧକାରରେ, ହାତରେ କ୍ଷୁଦ୍ର ଦୀପଟି ମାନ ଧରି, ସେହି ଯୁଦ୍ଧଭୂମିରେ ଆହତମାନଙ୍କର ଶୁଶ୍ରୂଷା କରିବାପାଇଁ ଛୁଟିଆସୁଥିଲେ ଅଗଣିତ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀ। ରାତି ପାହିଯାଉଥିଲା, ଅଥଚ ସେମାନଙ୍କର ସେବା ଶୁଶ୍ରୂଷା ସରୁ ନଥିଲା। ମୃତାହତମାନଙ୍କ ମଧ୍ୟରେ କେବଳ କଳିଙ୍ଗ ବୀର ନଥିଲେ; ଥିଲେ ମଧ୍ୟ ମୌର୍ଯ୍ୟ ସୈନିକ।
ସେଦିନ, କଳିଙ୍ଗ ଯୁଦ୍ଧର ସେଇ ରଣଶିବିରରେ, ଦୟାନଦୀ ତଟରେ ହିଁ ସମ୍ରାଟ ଅଶୋକଙ୍କୁ ସନ୍ନ୍ୟାସୀ ଉପଗୁପ୍ତ ଶୁଣାଇଥିଲେ ସେଇ ଉଦାତ୍ତ ବାଣୀ- “ହିଂସା ପ୍ରଣୋଦିତ ତରବାରିର ଜୟ, ଜୟ ନୁହେଁ।” ସମ୍ରାଟ ଅଶୋକଙ୍କର ପ୍ରଥମା ପତ୍ନୀ ବିଦିଶା ମହାଦେବୀ ଶାକ୍ୟକୁମାରୀ ତାଙ୍କରିଠାରୁ ହିଁ ଦୀକ୍ଷା ନେଇଥିଲେ। ସେ ହୋଇଯାଇଥିଲେ ଜଣେ ସାମାନ୍ୟ ବୌଦ୍ଧଭିକ୍ଷୁଣୀ। ସମ୍ରାଟ ଅଶୋକଙ୍କର ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରା ବି ହୋଇଥିଲେ ଉପଗୁପ୍ତଙ୍କର ଶିଷ୍ୟ ଓ ଶିଷ୍ୟା। ସମ୍ରାଟ ଅଶୋକ ଅବଶ୍ୟ ତାଙ୍କୁ ଉତ୍ତର ଦେଇଥିଲେ, “ଜୀବନ ଧ୍ୱଂସ ବିନା ଯୁଦ୍ଧ ଅସମ୍ଭବ। ଯୁଦ୍ଧ ହେଉଛି ରାଜଧର୍ମ। ଲକ୍ଷ ଲକ୍ଷ ଜୀବନ ନେଇ ମୁଁ ମୋର ସେହି କର୍ତ୍ତବ୍ୟ ଓ ରାଜଧର୍ମ ପାଳନ କରୁଛି।” ମାତ୍ର ନମ୍ର ସ୍ୱରରେ ଉପଗୁପ୍ତ ତାଙ୍କୁ ପ୍ରତିପ୍ରଶ୍ନ କରିଥିଲେ- “ଲକ୍ଷ ଲକ୍ଷ ଜୀବନ ନେଇ ପାରିଛନ୍ତି ସତ୍ୟ; ମାତ୍ର ଗୋଟିଏ ଜୀବନ କ’ଣ ଦେଇପାରିବେ?”
ଅତ୍ୟନ୍ତ ଅବଧାରିତ ଭାବରେ, ସେଥିପାଇଁ ଅସମର୍ଥ ଥିଲେ ସମ୍ରାଟ ଅଶୋକ। ଶେଷରେ, ଉପଗୁପ୍ତ ତାଙ୍କର ଶେଷକଥା ଶୁଣାଇଥିଲେ- ‘‘ସମ୍ରାଟ! ଆପଣ ଯେଉଁ ବିଜୟ ଲାଭ କରିଛନ୍ତି, ତାହା କ’ଣ ପ୍ରକୃତ ବିଜୟ? କଳିଙ୍ଗ ଜାତିର ମୃତପିଣ୍ଡ ହିଁ ଆପଣ ଜୟ କରିଛନ୍ତି; ସେ ଜାତିର ହୃଦୟ ନୁହେଁ।”
ତାହାହିଁ ଥିଲା ଚଣ୍ଡାଶୋକ ଓ ଧର୍ମାଶୋକ ମଧ୍ୟରେ ଏକ କ୍ଷୀଣ ସନ୍ଧିରେଖା। ପରିଶେଷରେ ଉପଗୁପ୍ତ ଶୁଣାଇଥିଲେ- “ମହାରାଜ! ଯୁଦ୍ଧଭେରୀ ବନ୍ଦ କରି ଆରମ୍ଭ କରନ୍ତୁ ଧର୍ମଭେରୀ। ଦିଗ୍‌ବିଜୟ ପରିତ୍ୟାଗ କରି ଆରମ୍ଭ କରନ୍ତୁ ଧର୍ମବିଜୟ। କେବଳ କଳିଙ୍ଗ ନୁହେଁ, ସାରା ବିଶ୍ୱର ବିଜୟ ପାଇଁ ତାହା ନୂଆ ଅଭିଯାନର ମାର୍ଗ ଉନ୍ମୋଚନ କରିବ।”
ଏହା ପରର ଘଟଣା ଇତିହାସ। ‘ଧଉଳି ପାହାଡ଼’ ସେଇ ନୂଆ ବିଶ୍ୱବିଜୟ ଅଭିଯାନର ଆଦିସାକ୍ଷୀ।
ତାହାହିଁ ଥିଲା କାରଣ, ଯେଉଁଥିପାଇଁ ଆଜିଠୁଁ ଅର୍ଦ୍ଧଶତାବ୍ଦୀ ତଳେ, ଧଉଳି ପାହାଡ଼ରେ ହିଁ ଗଢ଼ି ଉଠିଥିଲା ଏକ ଶାନ୍ତିସ୍ତୂପ। ତାହାର ପୃଷ୍ଠଭୂମି ଏହିପରି-
୧୯୬୫ ମସିହାରେ, ବିହାରର ରାଜଗିର (ରାଜଗୃହ)ଠାରେ ଏକ ଶାନ୍ତିସ୍ତୂପ ନିର୍ମାଣର ଆୟୋଜନ ହୋଇଥିଲା। କାରଣ, ତାହା ଥିଲା ଗୌତମ ବୁଦ୍ଧଙ୍କର ପ୍ରଧାନ କର୍ମଭୂମି। ମେ ମାସ ୬ ତାରିଖ ଦିନ ଭାରତର ତତ୍‌କାଳୀନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ତାହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୬୯ ମସିହା ଅକ୍ଟୋବର ୨୫ ତାରିଖ ଦିନ ତାହାକୁ ସେଦିନର ରାଷ୍ଟ୍ରପତି ଭି.ଭି. ଗିରି ଉଦ୍‌ଘାଟନ କଲେ। ସେତେବେଳେ ବିହାରର ରାଜ୍ୟପାଳ ଥିଲେ ନିତ୍ୟାନନ୍ଦ କାନୁନ୍‌ଗୋ। ସେଠାରେ ଉପସ୍ଥିତ ଥିବା ମହାମାନ୍ୟ ଗୁରୁଜୀ ଫୁଜିଇଙ୍କୁ ଓଡ଼ିଶାର ଧଉଳିଗିରି ଠାରେ ଆଉ ଏକ ଶାନ୍ତିସ୍ତୂପ ନିର୍ମାଣର ପ୍ରସ୍ତାବ ସେ ଦେଇଥିଲେ। କାରଣ, ତାହାହିଁ ଥିଲା କଳିଙ୍ଗ ଯୁଦ୍ଧର ଲୀଳାଭୂମି ତଥା ବୌଦ୍ଧଧର୍ମ ଏକ ବିଶ୍ୱଧର୍ମ ହେବାର ଅଭିଯାତ୍ରା ପଥର ଆଦିଭୂମି। ମହାମାନ୍ୟ ଗୁରୁଜୀ ଫୁଜିଇ ତାହାର ଗୁରୁତ୍ୱ ଉପଲବ୍‌ଧି କରି, ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ମଧ୍ୟସ୍ଥତାରେ ଓଡ଼ିଶା ସରକାରଙ୍କ ସହ ସଂପର୍କ ସ୍ଥାପନ କଲେ। ୧୯୭୦ ମସିହା ଜାନୁଆରି ମାସ ୮ ତାରିଖ ଦିନ ସେ ଭୁବନେଶ୍ୱର ଆସି, ସେଦିନର ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସହିତ ସେ ବାବଦରେ ଆଲୋଚନା କରିଥିଲେ। ଓଡ଼ିଶା ସରକାର ସ୍ତୂପ ପାଇଁ ଆବଶ୍ୟକ ଜମି ଏବଂ ଅନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇଦେବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ୧୯୭୦ ନଭେମ୍ବର ମାସରେ ଗଠିତ ହୋଇଥିଲା ‘କଳିଙ୍ଗ ନିପନ (ଜାପାନ) ବୁଦ୍ଧ ସଂଘ’। ସରକାର ୧୧ ଏକର ଜମି ଯଥାଶୀଘ୍ର ଯୋଗାଇଦେଲେ ଏବଂ ଓଡ଼ିଶା ରାଜ୍ୟପାଳ ଏସ୍‌. ଏସ୍‌. ଆନସାରୀଙ୍କ ପୌରୋହିତ୍ୟରେ ୧୯୭୧ ଜାନୁଆରି ମାସ ୨୫ ତାରିଖରେ ଅନୁଷ୍ଠିତ ହେଲା ଶାନ୍ତିସ୍ତୂପର ଭୂମିପୂଜା ଏବଂ ‘ସତ୍‌ଧର୍ମ ବିହାର’ର ଭିତ୍ତିପ୍ରସ୍ତର ସ୍ଥାପନ।
୧୯୭୧ ଅଗଷ୍ଟ ୬ ତାରିଖରେ, ଗୁରୁଜୀ ଫୁଜିଇଙ୍କ ୮୭ତମ ଜନ୍ମଦିନରେ ବିହାରର ନିର୍ମାଣ କାର୍ଯ୍ୟ ଶେଷ ହୋଇ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାଶଙ୍କ ପୌରୋହିତ୍ୟରେ ତାହାର ଉଦ୍‌ଘାଟନ ହେଲା। ଏହାପରେ, ସେହିମାସ ୨୫ ତାରିଖରେ ଶାନ୍ତିସ୍ତୂପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ, ୧୯୭୨ ମସିହା ଅକ୍ଟୋବର ୧୮ ତାରିଖରେ ତାହାର ଶୀର୍ଷରେ ମହାମାନ୍ୟ ଗୁରୁଜୀ ଫୁଜିଇଙ୍କ ଦ୍ୱାରା, ଏକ ସ୍ତୂପାକୃତି ସ୍ୱର୍ଣ୍ଣ ମଞ୍ଜୁଷାରେ ବୁଦ୍ଧଙ୍କର ପବିତ୍ର ଅସ୍ଥି ସ୍ଥାପିତ ହେଲା।
ଏହା ହେଉଛି, ଧଉଳି ପାହାଡ଼ର ଐତିହାସିକ ବିଶେଷତ୍ୱ ଏବଂ ସେହି ପାହାଡ଼ ଉପରେ ଶାନ୍ତିସ୍ତୂପ ପ୍ରତିଷ୍ଠାର ପୃଷ୍ଠଭୂମି।
ଆଜି ଧଉଳି ଶାନ୍ତିସ୍ତୂପ ଏକ ସ୍ୱର୍ଣ୍ଣିମ ଇତିହାସ। ଏ ଶାନ୍ତିସ୍ତୂପର ଅତୀତ ଓ ବର୍ତ୍ତମାନକୁ ନେଇ ଇଂରାଜୀରେ ପ୍ରଥମ କରି ଖଣ୍ଡିଏ ସ୍ୱତନ୍ତ୍ର ବହି ଲେଖିଛନ୍ତି, ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ତଥା ମହାବୋଧି ସୋସାଇଟି, ଇଣ୍ଡିଆର ପୂର୍ବତନ ଉପସଭାପତି ଓ ମହାବୋଧି ସୋସାଇଟି, ଓଡ଼ିଶା ଶାଖାର ପୂର୍ବତନ ସଭାପତି ଡକ୍ଟର ବିମଳେନ୍ଦୁ ମହାନ୍ତି। ତାହାର ଶୀର୍ଷକ ‘ଧଉଳି: ପାଷ୍ଟ୍ ଆଣ୍ଡ୍ ପ୍ରେଜେଣ୍ଟ’। ବିଶିଷ୍ଟ ଐତିହାସିକ କେଦାରନାଥ ମହାପାତ୍ରଙ୍କ ‘ଧଉଳୀର ଇତିହାସ’ ମଧ୍ୟ ଏ ସଂପର୍କରେ ଓଡ଼ିଆରେ ପ୍ରଥମ ବହି।
ଏଇ ଦୁଇ ଓଡ଼ିଆ ଓ ଇଂରାଜୀ ବହିରେ ଅଛି, ଧଉଳି ଶାନ୍ତିସ୍ତୂପର ଏ ସୁନା ଇତିହାସ ଅନ୍ତରାଳରେ ଥିବା ଧଉଳି ପାହାଡ଼ର ଚୂନା ଇତିହାସ।
ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର