ଯଥାର୍ଥତା ଯନ୍ତା
ସେକ୍ସପିଅର୍ଙ୍କ ପ୍ରସିଦ୍ଧ ନାଟକ ‘ମାକ୍ବେଥ୍’ର ମୁଖ୍ୟ ଚରିତ୍ର ତଥା ଖଳନାୟକ ମାକ୍ବେଥ୍ ଯେଉଁ ହତ୍ୟାକାଣ୍ଡମାନ ରଚନା କରିଥିଲେ ତାହା ହାତଗଣତି ସଂଖ୍ୟକ ଥିବା ବେଳେ ଫରାସୀ ବିପ୍ଳବ ପରବର୍ତ୍ତୀ ‘ରେନ୍ ଅଫ୍ ଟେରର୍’ ବା ‘ଆତଙ୍କରାଜ’ର ରଚୟିତା ମାକ୍ସିମିଲିଏନ୍ ରବେସ୍ପିଅର୍ ଓ ତାଙ୍କର ଅନୁଗାମୀମାନେ ୧୭୯୩-୯୪ରେ ପ୍ରାୟ ୧୭,୦୦୦ ଲୋକଙ୍କର ନିଷ୍ଠୁର ହତ୍ୟାକାଣ୍ଡ ଘଟାଇଥିଲେ କିପରି? କିମ୍ବା ରୁଷିଆରେ ବଲ୍େସଭିକ୍ ବିପ୍ଳବୀମାନେ ନିୟୁତ ନିୟୁତ ହତ୍ୟାକାଣ୍ଡ ଘଟାଇଲେ କିପରି?
ଏଭଳି ପ୍ରଶ୍ନର ଏକ ମୌଳିକ ତଥା ଅନ୍ତର୍ଭେଦୀ ଉତ୍ତର ଦେଇଥିଲେ ୧୯୭୦ରେ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଲାଭ କରିଥିବା ରୁଷୀୟ ଔପନ୍ୟାସିକ ଆଲେକ୍ଜାଣ୍ଡର୍ ସୋଲ୍ଝେନିତ୍ସିନ୍। ସେ କହିଥିଲେ, ଯେଉଁମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥାନ୍ତି, ସେମାନେ ନିଜକୁ କିନ୍ତୁ ଖଳ ପ୍ରକୃତି ସମ୍ପନ୍ନ ବୋଲି ବିଚାର କରିନଥାନ୍ତି; ନିଜର କାର୍ଯ୍ୟ ଯଥାର୍ଥ ବୋଲି ସେମାନେ ବିଶ୍ବାସ କରିଥାନ୍ତି। ଯାହାର ଏହି ବିଶ୍ବାସ ଯେତେ ଅଧିକ ଦୃଢ଼ ହୋଇଥାଏ, ତା’ ଦ୍ବାରା ରଚିତ କାଣ୍ଡ ସେତେ ଅଧିକ ଜଘନ୍ୟ ହୋଇଥାଏ; ଅପରପକ୍ଷେ ଯାହାର ନିଜ କାର୍ଯ୍ୟର ଯଥାର୍ଥତା ସମ୍ବନ୍ଧରେ ବିଶ୍ବାସ ଯେତେ ଅଧିକ ଦୁର୍ବଳ ହୋଇଥାଏ, ତା’ର କାର୍ଯ୍ୟ ମନ୍ଦ ହୋଇଥିଲେ ମଧ୍ୟ ସେତେ ଅପେକ୍ଷାକୃତ କମ୍ ଜଘନ୍ୟ ହୋଇଥାଏ।
ରାଜଗାଦି ଦଖଲ କରିବା ଉଦ୍ଦେଶ୍ୟରେ ମାକ୍ବେଥ୍ ରାଜା ଡନ୍କାନ୍ଙ୍କୁ ଓ ତାଙ୍କର କେତେକ ପାରିଷଦମାନଙ୍କୁ ହତ୍ୟା କରିଥିଲେ ହେଁ ସେ ଜାଣିଥିଲେ ଯେ ସେ ଅନ୍ୟାୟ କାର୍ଯ୍ୟ କରୁଛନ୍ତି, ଏଣୁ ସେ ରଚନା କରିଥିବା ନରସଂହାର ଥିଲା ସୀମିତ। କିନ୍ତୁ ଫରାସୀ ବିପ୍ଳବର ନେତାମାନେ ହୁଅନ୍ତୁ କି ବଲ୍ସେଭିକ୍ ବିପ୍ଳବର ନେତାମାନେ ହୁଅନ୍ତୁ, ସେମାନେ ଦୃଢ଼ ନିଶ୍ଚିତ ଥିଲେ ଯେ ନିର୍ଦ୍ଦିଷ୍ଟ ମତବାଦ ଦ୍ବାରା ପରିଚାଳିତ ସେମାନଙ୍କର ହିଂସାତ୍ମକ କାର୍ଯ୍ୟ ଥିଲା ସମ୍ପୂର୍ଣ୍ଣ ରୂପେ ଯଥାର୍ଥ। ଏହାର ଏକ ଉଦାହରଣ ସ୍ବରୂପ ୧୯୧୮ ସେପ୍ଟେମ୍ବର ୫ରେ ତତ୍କାଳୀନ ସୋଭିଏତ୍ ସରକାର ଏକ ଘୋଷଣାନାମା ଜାରି କରିଥିଲା ଯାହା ବିଧିବଦ୍ଧ ଭାବରେ ‘‘ରେଡ୍ ଟେରର୍’’ ବା ‘‘ଲାଲ୍ ଆତଙ୍କ’’କୁ ଅନୁମୋଦନ ପ୍ରଦାନ କରିବା ସହିତ ‘‘ବିନା ଦ୍ବିଧାରେ ଗଣ ଗୁଳି ଚାଳନା’’ କରିବା ପାଇଁ ଆହ୍ବାନ ଦେଇଥିଲା। କହିବା ବାହୁଲ୍ୟ, ବିପ୍ଳବର ଶତ୍ରୁ ରୂପେ ବିବେଚିତ ଅସଂଖ୍ୟ ମଧ୍ୟବିତ୍ତ ରୁଷୀୟ ଏହି ନିର୍ବିଚାର ହିଂସାର ଶିକାର ହୋଇଥିଲେ।
ହିଟ୍ଲର ଓ ତାଙ୍କର ଅନୁଗାମୀ ନାତ୍ସିମାନେ ସେଇଭଳି ବିଶ୍ବାସ କରୁଥିଲେ ଯେ ଇହୁଦୀମାନଙ୍କର ବିଲୋପ ସାଧନ କରାଯାଇ ପାରିଲେ ଜର୍ମାନ୍ ଜାତିର ଶୁଦ୍ଧତା ରକ୍ଷା କରାଯାଇପାରିବ। ଏହି ଲକ୍ଷ୍ୟ ହାସଲ ନିମିତ୍ତ ସେ ଯେଉଁ ‘‘ଫାଇନାଲ୍ ସଲ୍ୟୁସନ୍’’ ବା ‘‘ଅନ୍ତିମ ସମାଧାନ’’ର ପରିକଳ୍ପନା କରି କାର୍ଯ୍ୟକାରୀ କରିଥିଲେ ତାହା ଇତିହାସରେ ‘ହଲୋକଷ୍ଟ୍’ ନାମରେ ଲିପିବଦ୍ଧ। ଏହା ଥିଲା ‘ଗ୍ୟାସ୍ ଚାମ୍ବର’ମାନଙ୍କରେ ଭର୍ତ୍ତି କରି ଆବାଳ ବୃଦ୍ଧ ବନିତା ଇହୁଦୀମାନଙ୍କର ଗଣହତ୍ୟା ରଚନା କରିବା, ଯେଉଁଥିରେ ଅନ୍ୟୂନ ୬୦ ଲକ୍ଷ ଇହୁଦୀ ମୃତ୍ୟୁବରଣ କରିଥିଲେ (ବର୍ତ୍ତମାନ ଇସ୍ରାଏଲ୍ରେ ବାସ କରୁଥିବା ଇହୁଦୀମାନଙ୍କ ସଂଖ୍ୟା ହେଉଛି ଏହାଠାରୁ ସାମାନ୍ୟ ଅଧିକ- ୭୧ ଲକ୍ଷ ମାତ୍ର)। ସେହିପରି ୨୦୦୧ ସେପ୍ଟେମ୍ବର ୯ ଦିନ (୯/୧୧) ଇସ୍ଲାମୀୟ ଆତଙ୍କବାଦୀ ସଂଗଠନ ଆଲ୍ କାଏଦାର ଯେଉଁ ସଦସ୍ୟମାନେ ନ୍ୟୁୟର୍କର ‘ୱାର୍ଲଡ ଟ୍ରେଡ୍ ସେଣ୍ଡର୍’ ଦ୍ବୈତ ଟାୱାର୍ ଉପରେ ବିମାନ ମାଡ଼ କରି ପ୍ରାୟ ତିନି ହଜାର ନିରୀହ ଲୋକଙ୍କର ପ୍ରାଣ ନାଶ କଲେ, ସେମାନେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ମତବାଦ ଦ୍ବାରା ପରିଚାଳିତ ସେମାନଙ୍କର କାର୍ଯ୍ୟର ଯଥାର୍ଥତା ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିତ ଥିଲେ। ସେଇଭଳି ଯେଉଁ ଆତଙ୍କବାଦୀମାନେ ୧୯୮୫ରେ ଏଆର ଇଣ୍ଡିଆ ‘କନିଷ୍କ’ କିମ୍ବା ୧୯୮୮ରେ ‘ପାନ୍ ଆମ୍’ର ଲକର୍ବି ବିମାନ ବିସ୍ଫୋରଣ ଘଟାଇଥିଲେ, କିମ୍ବା ୨୦୦୮ରେ ମୁମ୍ବାଇଠାରେ ୨୬/୧୧ ଆକ୍ରମଣ ରଚନା କରି ପ୍ରତ୍ୟେକ ଘଟଣାରେ ଶହ ଶହ ନିରୀହ ଲୋକଙ୍କର ପ୍ରାଣନାଶ କରିଥିଲେ, ସେମାନେ କେହି ହେଲେ ନିଜ କାର୍ଯ୍ୟର ଯଥାର୍ଥତା ସମ୍ବନ୍ଧରେ ମନରେ ସାମାନ୍ୟତମ ସନ୍ଦେହକୁ ସ୍ଥାନ ଦେଇଥିବାର ସମ୍ଭାବନା ନାହିଁ। ବାସ୍ତବରେ ପୃଥିବୀରେ ପ୍ୟାରିସ୍ରୁ ପେଶାୱାର ପର୍ଯ୍ୟନ୍ତ ଏ ପର୍ଯ୍ୟନ୍ତ ଏହିପରି ଯେତେ ଭୟଙ୍କର ଆତଙ୍କବାଦୀ ଆକ୍ରମଣମାନ ଘଟିଛି, ତାହାକୁ ଘଟାଇଥିବା ଜହ୍ଲାଦମାନେ ସେସବୁକୁ ପୂରାପୂରି ଯଥାର୍ଥ ଆକ୍ରମଣ ରୂପେ ହିଁ ବିଚାର କରି ଆସିଛନ୍ତି।
ଯାହା ହେଉଛି ବିପଜ୍ଜନକ, ତାହା ହେଲା ଏହି ଯଥାର୍ଥତାବୋଧ କେବଳ ସେଇ କେତେଜଣ ଆକ୍ରମଣକାରୀଙ୍କ ମଧ୍ୟରେ ସୀମିତ ନ ଥାଏ; ବରଂ ସେଇ ଆକ୍ରମଣକାରୀମାନେ ଏକ ବୃହତ୍ତର ଜନମତର ପ୍ରତିନିଧିତ୍ବ କରିଥାନ୍ତି। ଏହି ଯଥାର୍ଥତାବୋଧ ଅନ୍ୟ ଦୃଷ୍ଟିରୁ ଆଦର୍ଶ ନାଗରିକ ରୂପେ ବିବେଚିତ ବ୍ୟକ୍ତିମାନଙ୍କୁ ମଧ୍ୟ ଆତଙ୍କବାଦ ରଚନା କରିବାକୁ ପ୍ରବୃତ୍ତ କରିଥାଏ, ଏବଂ ସେଥିପାଇଁ ସେମାନେ ବିବେକର ଦଂଶନ ଅନୁଭବ କରିନଥାନ୍ତି। ଉଦାହରଣ ସ୍ବରୂପ ୯/୧୧ ଆକ୍ରମଣ ରଚନା କରିବାରେ ଯେଉଁ ୨୫ ଜଣ ଆତଙ୍କବାଦୀ ସମ୍ପୃକ୍ତ ଥିଲେ ସେମାନଙ୍କ ମଧ୍ୟରୁ ଆଠ ଜଣ ଥିଲେ ସୁଶିକ୍ଷିତ ଇଞ୍ଜିନିୟର।
ଆତଙ୍କବାଦ ଭଳି ଗଣହିଂସାଚରଣର ଏହି ବିପଜ୍ଜନକ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିବାରେ ସୋଲ୍ଝେନିତ୍ସିନ୍ ଅବଶ୍ୟ ପ୍ରଥମ ନୁହନ୍ତି; ତାଙ୍କର ପ୍ରାୟ ଏକ ଶତାବ୍ଦୀ ପୂର୍ବରୁ ସେଇ ରୁଷିଆର ଅନ୍ୟ ଜଣେ ମହାନ୍ ଔପନ୍ୟାସିକ ସାଧୁମାନେ ମତାନ୍ଧ ହୋଇ ସଇତାନ୍ରେ ପରିଣତ ହେବାର ଏହି ସମ୍ଭାବନା ପ୍ରତି ପ୍ରଥମେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେ ହେଉଛନ୍ତି ଫିଓଡର୍ ଡଷ୍ଟଏଭ୍ସ୍କି। ୧୮୭୨ରେ ପ୍ରକାଶିତ ତାଙ୍କର ଅନ୍ୟତମ ପ୍ରସିଦ୍ଧ ଉପନ୍ୟାସ ‘ଡେମନ୍ସ’ର ଜଟିଳ କଥାବସ୍ତୁରେ ଏହି ସମ୍ଭାବନାକୁ ରୂପ ଦେଇଥିବା ଡଷ୍ଟଏଭ୍ସ୍କି ଲେଖିଥିଲେ: ‘‘… ଜଣେ ଆଦୌ ଖଳ ପ୍ରକୃତିର ନ ହୋଇ ମଧ୍ୟ ସବୁଠାରୁ ଜଘନ୍ୟ କାର୍ଯ୍ୟ କରିପାରେ ଏବଂ ସମୟ ଆରମ୍ଭ ହେବା ଠାରୁ … ସାରା ପୃଥିବୀରେ ଏଇଭଳି ଘଟଣାମାନ ଘଟି ଚାଲିଛି।’’
ସେଇ ପୃଥିବୀର ୧୯୩ଟି ଦେଶର ପ୍ରତିନିଧିମାନେ ଏବେ ମିଳିତ ଜାତିସଂଘର ସାଧାରଣ ପରିଷଦ ଅଧିବେଶନରେ ଏକତ୍ରିତ ହୋଇ ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ବନ୍ଧରେ ନିଜ ନିଜ ଦେଶର ଯେଉଁଭଳି ଆଭିମୁଖ୍ୟ ପ୍ରକାଶ କରିଛନ୍ତି, ତାହା ଦେଖିଲେ ଡଷ୍ଟଏଭ୍ସ୍କି କିମ୍ବା ସୋଲ୍ଝେନିତ୍ସିନ୍ ଚିନ୍ତିତ ହୋଇପଡ଼ନ୍ତେ ଯେ ଏକବିଂଶ ଶତାବ୍ଦୀର ପୃଥିବୀ ଅତୀତରୁ କିଛି ଶିକ୍ଷା ଲାଭ କରିନାହିଁ ଓ ଇତିହାସ ତା’ର ଚିରାଚରିତ ଢଙ୍ଗରେ ପରିଚିତ ପଥେର ଆଗେଇ ଚାଲିଛି।
ହମାସ୍ ଆତଙ୍କବାଦୀମାନେ ଅକ୍ଟୋବର ୭ରେ ଇସ୍ରାଏଲ୍ରେ ଅନୁପ୍ରବେଶ କରି ରଚନା କରିଥିବା ଯେଉଁ ଆକ୍ରମଣର ପ୍ରତିକ୍ରିୟା ସ୍ବରୂପ ବର୍ତ୍ତମାନ ଗାଜାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି, ସେ ଆକ୍ରମଣ ହେଉଛି ପୃଥିବୀରେ ଆତଙ୍କବାଦର ଇତିହାସରେ ବର୍ବରତମ, ଯାହା ଏଠାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଅଥଚ ୧୨୧ଟି ଦେଶର ସମର୍ଥନ ଲାଭ କରି ଜାତିସଂଘର ସାଧାରଣ ପରିଷଦରେ ଯେଉଁ ସଂକଳ୍ପ ପାରିତ ହୋଇଛି, ସେଥିରେ ଏହି ଆତଙ୍କବାଦୀ ଅାକ୍ରମଣକୁ ନିନ୍ଦା କରିବା ଦୂରେ ଥାଉ, ସେ ଆକ୍ରମଣ କିମ୍ବା ଆତଙ୍କବାଦୀଙ୍କ କବ୍ଜାରେ ଥିବା ଦୁଇ ଶହରୁ ଅଧିକ ପଣବନ୍ଦୀଙ୍କ ସମ୍ବନ୍ଧରେ କିଛି ହେଲେ ଉଲ୍ଲେଖ କରାଯାଇନାହିଁ। ସେ ସଂକଳ୍ପରେ କେବଳ ଯୁଦ୍ଧ ବିରତି ଓ ଗାଜା ଅଧିବାସୀମାନଙ୍କୁ ସହାୟତା ଯୋଗାଣର ଆବଶ୍ୟକତା ପ୍ରତି ଗୁରୁତ୍ବ ଆରୋପ କରାଯାଇଛି। ଜାତିସଂଘ ଏହିପରି ଆତଙ୍କବାଦକୁ ଦେଖି ନ ଦେଖିବା ଭଳି ଅଭିନୟ କରିବା ହେଉଛି ଡଷ୍ଟଏଭ୍ସ୍କି ବା ସୋଲ୍ଝେନିତ୍ସିନ୍ ଆଶଙ୍କା କରିଥିବା ଭଳି ଆତଙ୍କବାଦକୁ ଯଥାର୍ଥ ପ୍ରତିପାଦନ କରି ପ୍ରୋତ୍ସାହନ ପ୍ରଦାନ କରିବା ସହ ସମାନ।
ଆତଙ୍କବାଦର ପରାଭବ ବରାବର ଭୋଗ କରି ଚାଲିଥିବା ଭାରତ ତେଣୁ ଏଭଳି ଏକ ଶଠତାରେ ସାମିଲ୍ ନ ହୋଇ ସେଇ ମତଦାନକୁ ବର୍ଜନ କରିଛି ଓ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହି ଅବସରରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରି ଜାତିସଂଘରେ ଭାରତର ରାଜଦୂତ ତଥା ଉପ-ସ୍ଥାୟୀ ପ୍ରତିନିଧି ଯୋଜନା ପଟେଲ୍ ପ୍ରଦାନ କରିଥିବା ବକ୍ତବ୍ୟ ହେଉଛି ସାରା ପୃଥିବୀ ପାଇଁ ପ୍ରଣିଧାନ ଯୋଗ୍ୟ: ‘‘ଆତଙ୍କବାଦ ହେଉଛି ଏକ ଭୟଙ୍କର ବ୍ୟାଧି ଯିଏ କୌଣସି ସୀମା ସରହଦ, ଦେଶ ବା ଜାତି ଜାଣେନା। ପୃଥିବୀ କୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯଥାର୍ଥତା ପ୍ରଦାନ କରିବା ଉଚିତ ନୁହେଁ।’’ ଏହି ଯଥାର୍ଥତା ଯନ୍ତାରୁ ନ ମୁକୁଳିବା ଯାଏ ପୃଥିବୀବାସୀ ଆତଙ୍କବାଦ ଦାନବ କବଳରୁ ମୁକ୍ତି ପାଇବା ସମ୍ଭବ ନୁହେଁ।