ଜେନ୍‌ ଗୁରୁଙ୍କ ଶିଷ୍ୟ

କଥାଟିଏ - ଯାଯାବର

ଜଣେ ଜେନ୍‌ ସାଧୁ ଥିଲେ। ସେ କୌଣସି ଶିଷ୍ୟ ଗ୍ରହଣ କରୁ ନ ଥିଲେ। କିନ୍ତୁ ଥରେ ଜଣେ ବିଦ୍ବାନ ତାଙ୍କ ଶିଷ୍ୟ ହେବାକୁ ଜିଦି ଧରି ବସିଲେ। ସେଠାରୁ ଗଲେ ନାହିଁ। ତେଣୁ ବାଧ୍ୟ ହୋଇ ଜେନ୍‌ ସାଧୁ ତାଙ୍କୁ କହିଲେ- ଯଦି ଶିଷ୍ୟ ହେବାକୁ ଚାହଁ, ତେବେ ଗୋଟିଏ ସର୍ତ୍ତରେ। ମୁଁ ଯାହା କହିବି ତାକୁ ବିନା ପ୍ରଶ୍ନରେ କରିବ।

ବିଦ୍ବାନ ରାଜି ହେଲେ।

ଜେନ୍‌ ସାଧୁ ଏଥର ତାଙ୍କୁ ଏକ ତଳ ନ ଥିବା ପାତ୍ର ଧରାଇ ଦେଇ କହିଲେ ଏଥିରେ କୂଅରୁ ପାଣି ଉଠାଅ।

ବିଦ୍ବାନ ଏଭଳି ଅବାସ୍ତବ କଥାରେ ଆଚମ୍ବିତ ହୋଇ ଏଭଳି କରିବାର କାରଣ ପଚାରିବାକୁ ଯାଉଥିଲେ; କିନ୍ତୁ ସର୍ତ୍ତ ମନେ ପକାଇ ଚୁପ ରହିଲେ।

ତଳହୀନ ପାତ୍ରରେ ଟୋପାଏ ବି ପାଣି ଉଠିଲା ନାହିଁ। କିନ୍ତୁ ବିଦ୍ବାନ ପାଣି ଉଠାଇ ଚାଲିଲେ। ଦିନକ ପରେ ସେ ତାଙ୍କ ନିରର୍ଥକ ପରିଶ୍ରମ ଦେଖି ଆଉ ସମ୍ଭାଳି ନ ପାରି ନମ୍ରତାର ସହିତ ପଚାରି‌େଦଲେ- ଗୁରୁ, ଏମିତି କାମ କାହିଁକି କରୁଛନ୍ତି। ଏଥିରେ ପାଣି ତ ଉଠୁନାହିଁ! ଏମିତି ପରିଶ୍ରମରେ ଲାଭ କ’ଣ?

ଗୁରୁ କହିଲେ- ଏହି କାରଣରୁ ଶିଷ୍ୟ ନେଉ ନାହିଁ। ଗୋଟାଏ ଦିନ ପରେ ଲାଭ ଖୋଜିଲଣି। ତୁମ ମୁଣ୍ଡରେ ପଶି ଯାଇଛି ଯେ କୂଅରୁ ପାଣି ଉଠାଇ ବ୍ୟବହାର କରିବା ଲାଗି ଏହି ବ୍ୟବସ୍ଥା ରହିଛି। ତାହା ହୋଇ ନ ପାରିଲେ ସବୁ ପରିଶ୍ରମ ବୃଥା। କିନ୍ତୁ ଯଦି ତୁମେ ସେତକ ମନରୁ ପୋଛି କେବଳ ଖାଲି ପାତ୍ରକୁ ଉଠାଇ ଚାଲିଥାଆନ୍ତ, ତେବେ ଜାଣି ଥାଆନ୍ତି ଯେ ତୁମକୁ ଶିକ୍ଷା ଦେବା ଲାଗି ତୁମ ମୁଣ୍ଡରେ ଜାଗା ଅଛି। କିନ୍ତୁ ତୁମ ମୁଣ୍ଡ ତ ପୂର୍ବ ଧାରଣା ଓ ପୂର୍ବାଗ୍ରହରେ ଭରା, ଶିକ୍ଷା ପଶିବ କେମିତି? ଏବେ ବୁଝିଲ ତ?

ସମ୍ବନ୍ଧିତ ଖବର