ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ: ଚୋର, ବଦ୍‌ନାମ ପ୍ରାର୍ଥୀଙ୍କୁ ଭୋଟ ଦିଅନି

ଗଜପତି ଓ ଅବିଭକ୍ତ କୋରାପୁଟରେ ପ୍ରଚାର, ପାଣ୍ଡିଆନ ବି ଗର୍ଜିଲେ

ପାରଳାଖେମୁଣ୍ଡି/କୋରାପୁଟ/ନବରଙ୍ଗପୁର/ରାୟଗଡ଼ା/କାଶୀପୁର: ରାଜନୀତିରେ ଜନବିରୋଧୀ ଓ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତି ବିଶେଷଙ୍କର ସ୍ଥାନ ନାହିଁ। ଏଣୁ ଭଲ ଲୋକଙ୍କୁ ଚିହ୍ନନ୍ତୁ ଓ ଭୋଟ ଦିଅନ୍ତୁ, କିନ୍ତୁ ଚୋରଙ୍କୁ ନୁହଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କ ଉଦ୍ଦେଶ୍ୟରେ ଆଜି ଏଭଳି ଶବ୍ଦ ପ୍ରୟୋଗ କରି ନିର୍ବାଚନ ପ୍ରଚାର କରିଛନ୍ତି। ନବୀନ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହିତ ମିଶି ଗଜପତି ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାରାଥନ୍‌ ପ୍ରଚାର କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ସାଂସଦ ପ୍ରାର୍ଥୀ ଏବଂ ୧୩ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ନିବେଦନ କରିଥିଲେ। ସେହିଭଳି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ରୂପେଶ କୁମାର ପାଣିଗ୍ରାହୀ ଓ ମୋହନା ବିଧାନସଭା ଆସନର ପ୍ରାର୍ଥୀ ଅନ୍ତର୍ଯାମୀ ଗମାଙ୍ଗଙ୍କ ପାଇଁ ଭୋଟ୍‌ ମାଗିଥିଲେ ନବୀନ। ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ୍‌ରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ବିଶେଷ କରି ମମତା, ଲକ୍ଷ୍ମୀ, ବିଏସ୍‌କେୱାଇ, କାଳିଆ, ଛାତ୍ରବୃତ୍ତି, ମଧୁବାବୁ ପେନ୍‌ସନ, ମିସନ୍‌ଶକ୍ତି ଇତ୍ୟାଦି ଯୋଜନା କିପରି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ।

ଗଜପତି ଓ ଅବିଭକ୍ତ କୋରାପୁଟରେ ପ୍ରଚାର, ପାଣ୍ଡିଆନ ବି ଗର୍ଜିଲେ
ଜନତାଙ୍କୁ ହାଲ୍‌ଚାଲ, ପଚାରିଲେ ମୁଖ୍ୟମନ୍ତ୍ରୀ

ବହୁତ ଭଲ ବୋଲି ସମ୍ମିଳିତ ଜନତାଙ୍କ ଉତ୍ତର ମିଳିଥିଲା। ଶେଷ‌ରେ ଜୟ ଜଗନ୍ନାଥ କହି ଅଭିଭାଷଣ ଶେଷ କରିଥିଲେ। ବିଜେଡି ନେତା ଶ୍ରୀ ପାଣ୍ଡିଆନ ନିଜ ଅଭିଭାଷଣରେ ବିରୋଧୀ ଦଳ, ବିଶେଷ କରି ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ, ଓଡ଼ିଶାରେ ଡବଲ୍‌ ଇଞ୍ଜିନ ଲୋକେ ଗ୍ରହଣ କରିବେ ନାହିଁ। ବରଂ ଓଡ଼ିଶାବାସୀ କେବଳ ନବୀନ ଇଞ୍ଜିନ୍‌କୁ ଗ୍ରହଣ କରିବେ। ଓଡ଼ିଆଙ୍କ ଅସ୍ମିତା ଏବଂ ବିଜେଡିର ଆଭିମୁଖ୍ୟକୁ ବିଜେପି ଯଦି ଟାର୍ଗେଟ କରୁଛି, ତେବେ ସତ୍‌ସାହସ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରନ୍ତୁ। ସେ ଆହୁରି କହିଥିଲେ, ବର୍ଷକୁ ୨ କୋଟି ଚାକିରି ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ଦଶ ବର୍ଷରେ ୨୦ କୋଟି ନିଯୁକ୍ତି ମିଳିବା କଥା। ସେହି ହିସାବରେ ଓଡ଼ିଶାରେ ୮୦ ଲକ୍ଷ ଚାକିରି ମିଳିବା କଥା। କୁଆଡେ ଗଲା ସେ ଚାକିରି ବୋଲି ସେ ପ୍ରଶ୍ନ କରିଥିଲେ। ଶ୍ରୀ ପାଣ୍ଡିଆନ କହିଥିଲେ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁ ଓଡ଼ିଶାରେ ବେକାରୀ ସମସ୍ୟା ସବୁଠୁ କମ୍‌ ରହିଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଓଡ଼ିଶାରେ ବେକାରୀ କମ୍। ଉଲ୍ଲେଖନୀୟ କଥା ହେଲା, ‘ନବୀନ ପଟ୍ଟନାୟକ ଭଲ ତ?’ ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପାଣ୍ଡିଆନ। ସମବେତ ଜନତା ବିପୁଳ ଉତ୍ସାହରେ ଠିଆ ହୋଇ ‘ହଁ’ ଶବ୍ଦ ଧ୍ୱନି ସହିତ କରତାଳି ଦେଇଥିଲେ।

ସେହିଭଳି ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଜନସଭାକୁ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ବିରୋଧୀଙ୍କୁ ଶାଣିତ ଭାଷାରେ ସମାଲୋଚନା କରିଥିଲେ। ସେଠାରେ ମଧ୍ୟ ରାଜ୍ୟ ସରକାରଙ୍କ ଯୋଜନା ସଂପର୍କରେ ଜନତାଙ୍କୁ ପଚାରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକୁ ବିରୋଧୀ ସହି ପାରୁନାହାନ୍ତି। ମିଛ ପ୍ରଚାର କରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମତେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ। ନବରଙ୍ଗପୁର ସର୍କିଟ ହାଉସ୍‌ ନିକଟସ୍ଥ ପଡିଆରେ ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ବର ପାଣିଗ୍ରାହୀଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ କଥାକୁ ଦୋହରାଇଥିଲେ। ସରକାରଙ୍କ ଉପଲବ୍ଧି ସଂପର୍କରେ ପଚାରି ବୁଝିବା ସହ ବିରୋଧୀଙ୍କ ଅପପ୍ରଚାରରେ ଭ୍ରମିତ ନହେବାକୁ ପରାମର୍ଶ ଦେଇଥିଲେ।
ରାୟଗଡ଼ା ଜିଲ୍ଲା ଟିକିରିରେ ଜିଲ୍ଲା ସଭାପତି ଏନ୍‌. ଭାସ୍କର ରାଓଙ୍କ ସଭାପତିତ୍ବରେ ଆୟୋଜିତ ସମାବେଶର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ପ୍ରଥମେ ହାଲ୍‌ଚାଲ୍‌ ପଚାରି ରାଜ୍ୟ ସରକାରଙ୍କ ଯୋଜନାରେ କିଭଳି ସମେସ୍ତ ଉପକୃତ ହେଉଛନ୍ତି ଜାଣିବାକୁ ଚାହିଥିଲେ। ସଂକ୍ଷିପ୍ତ କିନ୍ତୁ ପ୍ରଭାବଶାଳୀ ଢଙ୍ଗରେ ନିଜ ଭାଷଣ ରଖି କହିଥିଲେ, ରାଜ୍ୟର ପ୍ରତ୍ୟେକ ଯୋଜନାକୁ ସମାଲୋଚନା କରି ବନ୍ଦ କରିଦେବାକୁ ଷଡ଼୍‌ଯନ୍ତ୍ର କରୁଛନ୍ତି ବିରୋଧୀ। ସେମାନଙ୍କୁ ଉପଯୁକ୍ତ ଜବାବ ଦରକାର।

ସମସ୍ତ ଜନସଭାରେ ୫-ଟି ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଭି.କେ ପାଣ୍ଡିଆନ ଉଦ୍‌ବୋଧନ ଦେଇଥିଲେ। ରୂପାନ୍ତରୀକରଣ ଏବଂ ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସେହିପରି ନିର୍ମାଣାଧୀନ ପ୍ରକଳ୍ପ ଏବଂ ଲୋକଙ୍କ ପ୍ରସ୍ତାବ ଅନୁସାରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିଥିଲେ। ଜନସଭାଗୁଡ଼ିକରେ କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଏବଂ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଉପସ୍ଥିତ ଥିଲେ। କୋରାପୁଟ ସମାବେଶରେ କୋରାପୁଟ ବିଧାୟକ ପ୍ରାର୍ଥୀ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ପ୍ରାର୍ଥୀ ପ୍ରଭୁ ଜାନି, ପଟାଙ୍ଗୀ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, ଜୟପୁର ପ୍ରାର୍ଥୀ ଇନ୍ଦିରା ନନ୍ଦ ଉପସ୍ଥିତ ଥିଲେ। ନବରଙ୍ଗପୁରରେ ଉମରକୋଟ ବିଧାୟକ ପ୍ରାର୍ଥୀ ନବୀନା ନାୟକ, ଝରିଗାଁ ପ୍ରାର୍ଥୀ ରମେଶ ମାଝୀ, ଡାବୁଗାଁ ପ୍ରାର୍ଥୀ ମନୋହର ରନ୍ଧାରୀ, ନବରଙ୍ଗପୁର ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀ, କୋଟପାଡ଼ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ଓ ମାଲକାନାଗିରି ପ୍ରାର୍ଥୀ ମାନସ ମାଡକାମି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ରାୟଗଡ଼ା କାର୍ଯ୍ୟକ୍ରମରେ ବିଷମକଟକ ପ୍ରାର୍ଥୀ ଜଗନ୍ନାଥ ସାରାକା, ଗୁଣପୁର ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଓ ରାୟଗଡ଼ା ପ୍ରାର୍ଥୀ ଅନୁସୂୟା ମାଝୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର