ଅର୍ଚ୍ଚିତାଙ୍କ ସହ ଚର୍ଚ୍ଚାରେ ଥିଲେ ଏହି ତିନି ବଙ୍ଗୀୟ ନାୟିକା

ଶିବଶଙ୍କର ଓଝା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଅର୍ଚ୍ଚିତାଙ୍କ ସହ କେତେଜଣ ନାୟିକା ମଧ୍ୟ ବଡ଼ ପରଦାରେ କାମ କରିବାର ସୁଯୋଗ ପାଇଛନ୍ତି। ଏମାନଙ୍କ ଭିତରୁ ତିନିଜଣ ବଙ୍ଗୀୟ ନାୟିକା ବି ଅଛନ୍ତି। ଆସନ୍ତୁ ଜାଣିବା, କେଉଁ ସିନେମାରେ ଅର୍ଚ୍ଚିତାଙ୍କ ସହ କେଉଁ ବଙ୍ଗୀୟ ନାୟିକା ଅଭିନୟ କରିଛନ୍ତି।
୨୦୦୫ରେ ରିଲିଜ୍ ହୋଇଥିବା ‘ଓ ମାଇଁ ଲଭ୍ ’ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଅର୍ଚ୍ଚିତା। ଏଥିରେ ସେ ସୋଲୋ ହିରୋଇନ୍ ଥିଲେ। ଅର୍ଚ୍ଚିତା ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ପ୍ରିୟା, ରାଗିଣୀ, ଅର୍ପିତା, ଅଙ୍କିତା ଓ ପ୍ରକୃତି ମିଶ୍ର ପ୍ରମୁଖଙ୍କ ସହ ପରଦାରେ ନଜର ଆସିଛନ୍ତି।

ବଙ୍ଗୀୟ ସୁନ୍ଦରୀ ରାଗିଣୀ ଓଲିଉଡର ବି ଜଣେ ପରିଚିତା ନାୟିକା। ରାଗିଣୀ ଏବେ ଦିଲୀପ ପଣ୍ଡାଙ୍କ ନିର୍ଦେଶିତ ନୂଆ ଓଡ଼ିଆ ସିନେମା ‘ଲାଗେ ପ୍ରେମ ନଜର’ରେ ଅଭିନୟ କରୁଛନ୍ତି। ଏଥିରେ ଓଲିଉଡର ଜଣାଶୁଣା ନାୟକ ଅମ୍ଳାନଙ୍କ ସହ ରାଗିଣୀ ନଜର ଆସିବେ।
ଅର୍ଚ୍ଚିତା ନାୟିକା ଭାବେ ଅଭିନୟ କରିଥିବା ଏକ ଫିଲ୍ମରେ ନଜର ଆସିଥିଲେ ରାଗିଣୀ। ଯେଉଁ ଓଡ଼ିଆ ଛବିରେ ଅର୍ଚ୍ଚିତା ଓ ରାଗିଣି ଏକାଠି କାମ କରିଥିଲେ, ତାହା ହେଲା ସୁଶାନ୍ତ ମଣିଙ୍କ ନିର୍ଦେଶିତ ‘ମୁଁ ଏକା ତୁମର’। ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ଉଭୟ ରାଗିଣୀ ଓ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ଅନ୍ୟ କୌଣସି ସିନେମାରେ ଅର୍ଚ୍ଚିତାଙ୍କ ସହ ପରଦାକୁ ଆସିନାହାନ୍ତି ରାଗିଣୀ। ରାଗିଣୀ ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ତୁମେ ଥିଲେ, ଶୁଭାଶିଷ ପତିଙ୍କ ନିର୍ଦେଶିତ ‘ଗଡ଼ବଡ଼’, ଟି. ଗଣେଶଙ୍କ ନିର୍ଦେଶିତ ‘ଦେଖା ହେଲା ପ୍ରେମ ହେଲା’ ଆଦି ଛବିରେ କାମ କରିଥିଲେ।

ଠିକ୍ ସେହିପରି କେବଳ ଗୋଟିଏ ଛବିରେ ଅର୍ଚ୍ଚିତା ଓ ବଙ୍ଗୀୟ ନାୟିକା ଅର୍ପିତା ଏକାଠି ଆସିଛନ୍ତି। ହଁ, ଏଦୁହେଁ ଦେବୁ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ତୋର ମୋର ଯୋଡ଼ି ସୁନ୍ଦର’ରେ ଏକାଠି ନଜର ଆସିଥିଲେ। ଏହି ଓଡ଼ିଆ ଛବିରେ ଦୁହେଁ ସବ୍ୟସାଚୀଙ୍କ ବିପକ୍ଷରେ ଦୁହେଁ ଅଭିନୟ କରିଥିଲେ। ଉଲ୍ଲେଖଯୋଗ୍ୟ, ‘ତୋର ମୋର ଯୋଡ଼ି ସୁନ୍ଦର’ ବ୍ୟତୀତ ଓଡ଼ିଆ ଛବି ‘ବନ୍ଦେ ଉତ୍କଳ ଜନନୀ’, ‘ପ୍ରେମରୋଗୀ ’, ‘ମୁଁ କଣ ଏତେ ଖରାପ ’ଓ ‘ ରାଜୁ ଆଓ୍ଵାରା ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିଥିଲେ ଅର୍ପିତା।

ଏଣେ ଅଙ୍କିତା ଭୌମିକ ବି ଅର୍ଚ୍ଚିତାଙ୍କ ଅଭିନୀତ ‘ଜଷ୍ଟ ମୋହବତ୍’ରେ ନଜର ଆସିଥିଲେ। ଏଥିରେ ହଟ୍ ସିନ୍ ଦେଇ ଚର୍ଚ୍ଚାରେ ଥିଲେ ଅଙ୍କିତା। ଏସ.କେ ମୁରଲୀଧରନଙ୍କ ନିର୍ଦେଶିତ ଏହି ଓଡ଼ିଆ ସିନେମାରେ ଆକାଶଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିଥିଲା।

 

ସମ୍ବନ୍ଧିତ ଖବର