ଆର୍ଯ୍ୟନଙ୍କ ପ୍ରେମରେ ପାକିସ୍ତାନୀ ଅଭିନେତ୍ରୀ

ଶାହାରୁଖ ଖାନଙ୍କ ବଡ଼ ପୁଅ ଆର୍ଯ୍ୟନ ଡ୍ରଗ୍ ମାମଲାରୁ ମୁକ୍ତ ହେବା ପରେ ତାଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଶାହରୁଖ ଯେଉଁଭଳି ନିଜର ଅଭିନୟ ମାଧ୍ୟମରେ ସାରା ବିଶ୍ବରେ ଅଗଣିତ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି, ପୁଅ ଆର୍ଯ୍ୟନ ଅଭିନୟ କରିବା ପୂର୍ବରୁ ସେହି ଅଭିଯାନ ଆରମ୍ଭ କରିସାରିଲେଣି ବୋଲି ମନେ ହେଉଛି। ଆମେ ଏଭଳି ଅନୁମାନ କରିବାର କାରଣ ହେଲା ପଡ଼ୋଶୀ ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ସଜଲ ଅଲୀ ସାମାଜିକ ଗଣମାଧ୍ୟମରେ ଆର୍ଯ୍ୟନଙ୍କ ପ୍ରତି ଭଲପାଇବା ବ୍ୟକ୍ତ କରିଛନ୍ତି।

କଥା ହେଲା, ଆର୍ଯ୍ୟନ ନିକଟରେ ନିଜର କେତେକ ଚିତ୍ତାକର୍ଷକ ଫଟୋ ଛାଡ଼ିଥିଲେ। ଏହା ଦେଖି ସଜଲ ତାଙ୍କର ଏକ ପୁରୁଣା ଫଟୋକୁ ନିଜର ଇନଷ୍ଟାଗ୍ରାମ୍‌ରେ ଶାହରୁଖଙ୍କ ଚଳଚ୍ଚିତ୍ରର ଏକ ପ୍ରେମଗୀତ ସହିତ ପୋଷ୍ଟ୍‌ କରିଛନ୍ତି। ଏହା ପରେ ସଜଲଙ୍କ ସମ୍ପର୍କରେ ଜାଣିବାକୁ ଆର୍ଯ୍ୟନପ୍ରେମୀଙ୍କ ମଧ୍ୟରେ କୌତୂହଳ ପ୍ରକାଶ ପାଇବା ସ୍ବାଭାବିକ।

କେହି କେହି ଏହା ଜାଣି ନିରାଶ ହୋଇପାରନ୍ତି ଯେ ସଜଲ ୨୦୨୦ ମସିହାରେ ପୁରୁଷବନ୍ଧୁ ଅହଦ ରାଜା ମିର୍‌ଙ୍କୁ ବିବାହ କରିସାରିଛନ୍ତି। ତେବେ ସେମାନଙ୍କ ବିବାହ ସମ୍ପର୍କ ଭଲରେ ଚାଲୁନଥିବାରୁ ବିବାହ ବିଚ୍ଛେଦ ଘଟିପାରେ ବୋଲି ଗୁଜବ ଶୁଣିବାକୁ ମିଳୁଛି। ଏବେ ସେମାନେ ଅଲଗା ରହୁଛନ୍ତି। ତେବେ ସଜଲ ୨୦୦୯ ମସିହାରେ ଚଳଚ୍ଚିତ୍ର ଜଗତ୍‌ରେ ପାଦ ଦେଇଥିଲେ। ୨୦୧୧ ମସିହାରେ ‘ମେହମୁଦାବାଦ କୀ ମାଲକିନ୍’ ଧାରାବାହିକରେ ଅଭିନୟ ପାଇଁ ତାଙ୍କୁ ସର୍ବାଧିକ ପ୍ରସିଦ୍ଧି ମିଳିଥିଲା। ଏହା ପରେ ସେ ଅନେକ ଟିଭି କାର୍ଯ୍ୟକ୍ରମରେ କାମ କରିସାରିଛନ୍ତି। ସଜଲ ପୂର୍ବରୁ ଏକ ବଲିଉଡ୍‌ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୭ରେ ମୁକ୍ତିଲାଭ କରିଥିବା ‘ମମ୍’ ଚଳଚ୍ଚିତ୍ରରେ ଶ୍ରୀଦେବୀଙ୍କ ଝିଅ ଭୂମିକାରେ ସେ ଦେଖାଦେଇଥିଲେ। ଏଥିପାଇଁ ସେ ସମୟରେ ସେ ଖୁବ୍ ପ୍ରସଂଶା ସାଉଁଟିଥିଲେ। ଏ ବର୍ଷ ତାଙ୍କ ଅଭିନୀତ ‘ହ୍ବାଟ୍‌ସ ଲଭ୍ ଗଟ୍‌ ଟୁ ଡୁ ଵିଥ୍ ଇଟ୍’ ଚଳଚ୍ଚିତ୍ର ଟରଣ୍ଟୋ ଇଣ୍ଟର୍‌ନେସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇଛି। ଏଥିରେ ତାଙ୍କ ସହିତ କେତେଜଣ ବଲିଉଡ୍‌ ତାରକା ମଧ୍ୟ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର