ବିଶ୍ବ ରେକର୍ଡ କରିବାରେ ରେକର୍ଡ

କୌଣସି କ୍ଷେତ୍ରର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ସମ୍ପର୍କରେ ଜାଣିବାକୁ ଉତ୍ସୁକତା ରହିବା ସ୍ବାଭାବିକ। ତେବେ ସମୟାନୁକ୍ରମେ ସଂପୃକ୍ତ ପ୍ରଦର୍ଶନକାରୀଙ୍କ ଠାରୁ ଉନ୍ନତ ପ୍ରଦର୍ଶନ ପୂର୍ବକ ତାଙ୍କଠାରୁ ଆଉ କେହି ଶ୍ରେୟ ଛଡ଼ାଇ ନେଇ ନିଜ ନାମରେ ତାହାକୁ ଲିପିବଦ୍ଧ କରିବା ଏକ ପ୍ରଥା ପାଲଟିଗଲାଣି। ତେଣୁ ବିଭିନ୍ନ କ୍ଷେତ୍ରରେ ବିଶ୍ବ ରେକର୍ଡମାନ ସୃଷ୍ଟି ହୋଇ ଭାଙ୍ଗିଚାଲିଛି।

ଏହାର ଟିକିନିଖି ହିସାବ ରଖିବା ପାଇଁ ମଧ୍ୟ ଗିନିସ୍‌ ଵାର୍ଲଡ୍‌ ରେକର୍ଡସ୍‌ ପରି ସଂସ୍ଥା ଅନବରତ ସଜାଗ ରହିଛନ୍ତି। ତେବେ ରୋଚକ କଥା ହେଲା, ଏପରି ନୂଆ ନୂଆ ରେକର୍ଡ କରିବା, ଅର୍ଥାତ୍‌ ଅନ୍ୟ ଦ୍ବାରା ସ୍ଥାପିତ ରେକର୍ଡକୁ ଭଙ୍ଗ କରିବାରେ ମଧ୍ୟ ରେକର୍ଡ ସୃଷ୍ଟି ହୋଇ ଚାଲିଛି। ଆଶ୍ରିତ ଫର୍ମାନ ହେଉଛନ୍ତି ଏଭଳି ଜଣେ ବ୍ୟକ୍ତି ଯିଏ କି ବିଶ୍ବ ରେକର୍ଡ ସୃଷ୍ଟି କରିବାରେ ରେକର୍ଡ କରିଛନ୍ତି। ସେ ବହୁବାର ନିଜ ରେକର୍ଡକୁ ନିଜେ ଭାଙ୍ଗିବା ସହ ଅଦ୍ୟାବଧି ୬୦୦ରୁ ଅଧିକ ଗିନିସ୍‌ ଵାର୍ଲଡ୍‌ ରେକର୍ଡ ସୃଷ୍ଟି କରିଛନ୍ତି। ସେଥିରୁ ୫୩୦ଟି ରେକର୍ଡକୁ ବର୍ତ୍ତମାନ ସୁଦ୍ଧା କେହି ଭାଙ୍ଗି ପାରିନାହାନ୍ତି।

କେବଳ ସେତିକି ନୁହେଁ, ଏକାଦିକ୍ରମେ ସେ ୧୦୦ଟି ରେକର୍ଡ ସୃଷ୍ଟି କରିବାର ମଧ୍ୟ ବିରଳ ରେକର୍ଡ ସ୍ଥାପନ କରିଛନ୍ତି। ନ୍ୟୁୟର୍କର ବ୍ରୁକଲିନ୍‌ ଠାରେ ୧୯୫୪ ସେପ୍ଟେମ୍ବର ୧୬ ତାରିଖରେ ଜନ୍ମିତ ଫର୍ମାନ୍‌ ୧୯୭୯ ମସିହାରୁ ଅନ୍ୟମାନଙ୍କ ରେକର୍ଡ ଭାଙ୍ଗିବା ଆରମ୍ଭ କରିଥିଲେ। ଏପରିକି ସେ ସମସ୍ତ ସାତଟି ଯାକ ମହାଦେଶର ୪୦ଟି ଦେଶରେ ନିଜର କୃତିତ୍ବ ପ୍ରଦର୍ଶନ ପୂର୍ବକ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଦ୍ବାରା ସ୍ଥାପିତ ବିଭିନ୍ନ ରେକର୍ଡଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସ୍ୟାକ୍‌ ରେସିଂ (ବସ୍ତା ଦୌଡ଼), ସ୍କିପିଙ୍ଗ୍‌ (ଦଉଡ଼ି ଡିଆଁ), ମିଲ୍‌କ ବଟଲ୍‌ ବାଲାନ୍ସିଂ (ମୁଣ୍ଡ ଉପରେ କ୍ଷୀର ବୋତଲ ଭାରସାମ୍ୟ କରି ରଖିବା), ସମରସଲ୍‌ଟିଂ (ଶୂନ୍‌ଚିତ୍‌ ମାରିବା), ଷ୍ଟିଲ୍‌ଟ ଵାକିଂ ( ଶୂନ୍ୟରେ ବନ୍ଧା ଦଉଡ଼ି ଉପରେ ଚାଲିବା), ଆଙ୍ଗୁଠିରେ ଏକ ଲମ୍ବା ଖୁଣ୍ଟକୁ ଭାରସାମ୍ୟ କରି ରଖିବା, ବେଲୁନ୍‌ ଫୁଙ୍କିବା, ଛୁରୀ ଫିଙ୍ଗି ଧରିବା, ବଲ୍‌ ଉପରେ ସିଧା ହୋଇ ବସିରହିବା, ଦଉଡ଼ି ଉପରେ ଚାଲି ଚାଲି ଉଚ୍ଚତମ ପାହାଡ଼ ଚଢ଼ିବା ଏବଂ ଚିବୁକ ଉପରେ କୌଣସି ବସ୍ତୁକୁ ସ୍ଥିର କରି ରଖିବା ଆଦି ରହିଛି।

ସମ୍ବନ୍ଧିତ ଖବର