୪ ମାସର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା: ଅଭିଯୁକ୍ତ ଗିରଫ

ପୀଡ଼ିତା ଓ ମା’ଙ୍କୁ ୩୫ ହଜାର ଟଙ୍କାରେ କିଣିଥିଲା ଠିକାଦାର

ଇନ୍ଦୋର: କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ନଲିଭୁଣୁ ମଧ୍ୟପ୍ରଦେଶର ଇନ୍ଦୋରରେ ଆଉ ଏକ ଜଘନ୍ୟ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରାଜଓ୍ଵାଡ଼ାରେ ଯାଯାବର ସମ୍ପ୍ରଦାୟର ଜଣେ ୪ମାସର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ୍‌ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମୃତ ଶିଶୁର ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି। ଅମାନୁଷିକ ଭାବେ ଶିଶୁଟିକୁ ଦୁଷ୍କର୍ମ କରାଯିବା ପରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୁଲିସ୍‌ ଅଭିଯୁକ୍ତର ରକ୍ତଲଗା ସାର୍ଟ ଓ ସାଇକେଲ ମଧ୍ୟ ଜବତ କରିଛି। ଘଟଣାସ୍ଥଳ ଏତେ ବିଭତ୍ସ ଥିଲା ଯେ, ତଦନ୍ତ କରୁଥିବା ପୁଲିସର ଆଖିରେ ମଧ୍ୟ ଲୁହ ଆସିଯାଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମିଳିଥିବା ଖବର ମୁତାବକ, ଅଭିଭାବକଙ୍କ ସହ ରାସ୍ତାକଡ଼ରେ ଶୋଇଥିବା ବେଳେ ଏହି ଶିଶୁକନ୍ୟାକୁ ତାଙ୍କର ଜଣେ ସମ୍ପର୍କୀୟ ଉଠାଇନେଇ ଶିବ ବିଳାସ ପ୍ୟାଲେସ ଚଟାଣରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା। ମୃତ ଶିଶୁଟିକୁ ଘଟଣାସ୍ଥଳରେ ଫିଙ୍ଗି ଦେଇ ୨୧ ବର୍ଷର ଅଭିଯୁକ୍ତ ଘଟଣାସ୍ଥଳରୁ ଚାଲିଯାଇଥିଲା। ନିକଟରେ ଥିବା ଜଣେ ଦୋକାନୀ ଏନେଇ ମୃତ ଶିଶୁଙ୍କ ପରିବାରକୁ ଅବଗତ କରାଇବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଶିଶୁଙ୍କ ମା’ ପୁଲିସକୁ ଦେଇଥିବା ବୟାନ ମୁତାବକ, ରାତି ୩ଟାରେ ସେ ଉଠିବା ସମୟରେ ସବୁକିଛି ଠିକ୍‌ ଥିଲା। ତେବେ ସାଢେ ୫ଟାରେ ପୁଣିଥରେ ତାଙ୍କ ନିଦ ଭାଙ୍ଗିବା ବେଳକୁ ଝିଅକୁ ଆଉ ପାଖରେ ପାଇନଥିଲେ।

ସମ୍ବନ୍ଧିତ ଖବର