୯.୩ ଲକ୍ଷ ପିଲା ପ୍ରାଥମିକ ସ୍ତରରୁ ପାଠ ଛାଡ଼ିଛନ୍ତି

ସର୍ବାଧିକ ଉତ୍ତରପ୍ରଦେଶରେ, ଝିଅଙ୍କ ଅପେକ୍ଷା ପୁଅ ଅଧିକ

ନୂଆଦିଲ୍ଲୀ : ଭାରତରେ ପ୍ରାୟ ୯.୩ ଲକ୍ଷ ପିଲା ପ୍ରାଥମିକ ସ୍ତରରୁ ପାଠ ଛାଡ଼ି ସ୍କୁଲ ବାହାରେ ରହିଥିବା ଶିକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ସ୍କୁଲ ବାହାରେ ରହିଥିବା ସର୍ବାଧିକ ସଂଖ୍ୟକ ପିଲା ହେଉଛନ୍ତି ଉତ୍ତରପ୍ରଦେଶର। ତା’ ତଳକୁ ରହିଛି ବିହାର ଓ ଗୁଜରାଟର ସ୍ଥାନ। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି ସୂଚନା ଦେଇଛନ୍ତି।

ତଥ୍ୟ ଅନୁସାରେ, ପ୍ରାଥମିକ ବା ମୌଳିକ ସ୍ତରରେ ୯,୩୦,୫୩୧ ଜଣ ପିଲା ସ୍କୁଲ ବାହାରେ ଅଛନ୍ତି। ସେମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୫.୦୨ ଲକ୍ଷ ଓ ଝିଅଙ୍କ ସଂଖ୍ୟା ୪.୨୭ ଲକ୍ଷ। ଉତ୍ତରପ୍ରଦେଶରେ ସର୍ବାଧିକ ୩.୯୬ ଲକ୍ଷ ପିଲା ସ୍କୁଲ ବାହାରେ ରହିଥିବା ବେଳେ ତା’ ପଛକୁ ବିହାରରେ ୧.୩୪ ଲକ୍ଷ ଓ ଗୁଜରାଟରେ ୧.୦୬ ଲକ୍ଷ ପିଲା ସ୍କୁଲ ଯାଉ ନାହାନ୍ତି।

‘ସମଗ୍ର ଶିକ୍ଷା ଯୋଜନା’ ଅନୁଯାୟୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମ୍ପୃକ୍ତ କର୍ତ୍ତୃପକ୍ଷ ଘରକୁ ଘର ବୁଲି ସ୍କୁଲ ଯାଉ ନ ଥିବା ପିଲାମାନଙ୍କର ତାଲିକା ପ୍ରସ୍ତୁତ କରିବେ। ଶିକ୍ଷା ବିଭାଗର ଏକ ଅନ୍‌ଲାଇନ୍ ବ୍ୟବସ୍ଥା ବି ରହିଛି ଯାହା ସାହାଯ୍ୟରେ ସ୍କୁଲ ଯାଉ ନ ଥିବା ପିଲାଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇପାରିବ। ସ୍କୁଲ ଯାଉ ନ ଥିବା ପିଲାମାନଙ୍କ ପାଇଁ ସେମାନଙ୍କ ବୟସ ଆନୁପାତିକ ସ୍ବତନ୍ତ୍ର ତାଲିମ ବ୍ୟବସ୍ଥା ମଧ୍ୟ ରହିଛି। ଏହି ତାଲିମ ପାଇଁ ନାଁ ଲେଖାଇ ବୟସ୍କ ପିଲାମାନେ ଘରେ ରହି କିମ୍ବା ହଷ୍ଟେଲରେ ରହି ପାଠ ପଢ଼ିପାରିବେ ଓ ତାଲିମ ନେଇପାରିବେ। ସେମାନଙ୍କୁ ଘରୁ ତାଲିମ କେନ୍ଦ୍ରକୁ ନେବା-ଆଣିବା ପାଇଁ ପରିବହନ ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଘରୁ ଯିବା-ଆସିବା କରି ତାଲିମ ନେଲେ ବର୍ଷକୁ ୬୦୦୦ ଟଙ୍କା ଏବଂ ହଷ୍ଟେଲରେ ରହି ପଢ଼ିଲେ ବର୍ଷକୁ ୨୦ ହଜାର ଟଙ୍କା ଖର୍ଚ୍ଚ ପଡ଼ିବ। ୨୦୨୧-୨୨ ମସିହାରୁ ୧୬ରୁ ୧୯ ବର୍ଷ ବୟସ୍କ ଅନଗ୍ରସର ବର୍ଗର ପିଲାଙ୍କ ପାଇଁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆର୍ଥିକ ସାହାଯ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର