ସ୍କୁଲରେ ପଶି ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ହାଣିଲା, ଅଭିଯୁକ୍ତ ଗିରଫ

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ଜନାର୍ଦ୍ଦନପୁର ପଞ୍ଚାୟତ ଭାଲିଆଡିହି ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଯୁବକ ପଶି ଏକ ଧାରୁଆ ଅସ୍ତ୍ରରେ ଜଣେ ଶିକ୍ଷୟିତ୍ରୀ ଓ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଛି। ଆଜି ମଧ୍ୟାହ୍ନ ସାଢ଼େ ୧୨ଟାବେଳେ ଭାଲିଆଡିହି ଗ୍ରାମର ନାରଣ କାର୍ଜି ଏକ ଧାରୁଆ ଅସ୍ତ୍ର ଧରି ସ୍କୁଲରେ ପଶିଥିଲା। ବିଦ୍ୟାଳୟରେ ପାଠ ପଢ଼ାଉଥିବା ଶିକ୍ଷୟିତ୍ରୀ ଝୁନୁରାଣୀ ବେହେରାଙ୍କୁ ଦୁର୍ବ୍ୟବହାର କରିଥିଲା। ଏହା ଦେଖି ଛାତ୍ରଛାତ୍ରୀ ଭୟରେ ଶ୍ରେଣୀଗୃହରୁ ବାହାରକୁ ଦୌଡ଼ି ପଳାଇଲେ।

ଏହି ସମୟରେ ଶ୍ରୀମତୀ ଦେହୁରୀ ନାମକ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ତଳେ ପଡ଼ି ଯାଇଥିଲେ। ନାରଣ ତାଙ୍କ ପିଠିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ରକ୍ତସ୍ରାବ ହୋଇଥିଲା। ତାକୁ କାବୁ କରିବାକୁ ଉଦ୍ୟମ କରିବା ବେଳେ ଶିକ୍ଷୟିତ୍ରୀ ଝୁନୁରାଣୀ ବେହେରା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ନାରଣ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ଅନିଲ କୁମାର ନାଏକଙ୍କୁ ମାଡ଼ ମାରିଥିବା ନେଇ ପ୍ରଧାନଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି। ଶିକ୍ଷୟିତ୍ରୀ ଏବଂ ପିଲାମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ବିଦ୍ୟାଳୟକୁ ଧାଇଁ ଆସିଥିଲେ। ଗ୍ରାମବାସୀଙ୍କୁ ଦେଖି ନାରଣ ଚମ୍ପଟ ମାରିଥିଲା। ପ୍ରଧାନଶିକ୍ଷୟିତ୍ରୀ ରୀତା ମୁର୍ମୁ ଏ ସମ୍ପର୍କରେ କେନ୍ଦୁଝର ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ କାବୁ କରି ଥାନାକୁ ନେଇଛି। ବିଦ୍ୟାଳୟର ପାଚେରି ନଥିବାରୁ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିମାନେ ସ୍କୁଲ ହତା ମଧ୍ୟକୁ ପଶି ଗଣ୍ଡଗୋଳ କରୁଛନ୍ତି। ଛୁଟିଦିନ ଏବଂ ରାତିରେ ବିଦ୍ୟାଳୟ ପରିସରରେ ମଦ ପିଉଛନ୍ତି। ତୁରନ୍ତ ବିଦ୍ୟାଳୟର ପାଚେରି ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର