ବିମାନରେ ବୋମା ଆତଙ୍କ: ଦିଲ୍ଲୀରେ ଅବତରଣ ଅନୁମତି ମିଳିଲାନି

ଭାରତୀୟ ଆକାଶରେ ୪୦ ମିନିଟ୍‌ ଅଟକି ରହିଲା, ବାୟୁସେନାର ଦୁଇ ସୁଖୋଇ ବିମାନ ପିଛା କଲା

ନୂଆଦିଲ୍ଲୀ: ଇରାନ ରାଜଧାନୀ ତେହରାନରୁ ଚୀନର ଗୁଆଙ୍ଗଝୁ ସହରକୁ ଉଡ଼ାଣ ଭରୁଥିବା ମହନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ (ଏୟାର ବସ୍‌ ୩୪୦)ରେ ବୋମା ଥିବା ଗୁଇନ୍ଦା ସୂଚନା ମିଳିବା ପରେ ଏହାକୁ ନେଇ ଆତଙ୍କର ବାତାବରଣ ଖେଳିଯାଇଛି। ଦିଲ୍ଲୀ ପୁଲିସ, ଏୟାର ଟ୍ରାଫିକ ‌କଣ୍ଟ୍ରୋଲ, ବିମାନ ବନ୍ଦର କର୍ତ୍ତୃପକ୍ଷ, ବାୟୁସେନା ଓ ସୁରକ୍ଷା ବାହିନୀକୁ ବେଶ୍‌ କିଛି ସମୟ କସରତ କରିବାକୁ ପଡ଼ିଛି। ବିମାନଟି ପାକିସ୍ତାନ ପଟୁ ଭାରତକୁ ସକାଳ ୯ଟା ପାଖାପାଖି ପ୍ରବେଶ କରିବା ପରେ ଲାହୋର ଏଟିସିରୁ ଦିଲ୍ଲୀ ଏଟିସିକୁ ବୋମା ଥିବା ସଂପର୍କରେ ସୂଚନା ମିଳିଥିଲା। ଏହାପରେ ମହନ ଏୟାରଲାଇନ୍ସ ପକ୍ଷରୁ ବିମାନକୁ ଦିଲ୍ଲୀ ବିମାନ ବନ୍ଦରରେ ଜରୁରି ଅବତରଣ ଅନୁମତି ଲୋଡ଼ାଯାଇଥିଲା। କିନ୍ତୁ ଦିଲ୍ଲୀ ଏଟିସି ଏଥିପାଇଁ ଅନୁମତି ଦେଇ ନଥିଲା। ଦିଲ୍ଲୀ ପରିବର୍ତ୍ତେ ଜୟପୁର କିମ୍ବା ଚଣ୍ଡିଗଡ଼ ବିମାନ ବନ୍ଦରରେ ଅବତରଣ ପାଇଁ ପାଇଲଟଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପାଇଲଟ ଜୟପୁର କିମ୍ବା ଚଣ୍ଡିଗଡ଼ ବିମାନ ବନ୍ଦରରେ ବିମାନ ଅବତରଣ କରିବାକୁ ମନା କରିଦେଇଥିଲେ।

ଦିଲ୍ଲୀରେ ଅବତରଣ ଅନୁମତି ମିଳିଲାନି
ଭାରତୀୟ ଆକାଶରେ ୪୦ ମିନିଟ୍‌ ଅଟକି ରହିଲା
ବାୟୁସେନାର ଦୁଇ ସୁଖୋଇ ବିମାନ ପିଛା କଲା
ଇରାନର ସୂଚନା ପରେ ଭାରତ ଛାଡ଼ିବାକୁ ଅନୁମତି

ଅନ୍ୟପଟେ ବୋମା ଥିବା ସଂପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ଏଟିସି ଏସ୍‌ଓପି (ମାନକ କର୍ମ ସଂପାଦନ ପ୍ରକ୍ରିୟା) ପାଳନ କରିଥିଲା। ଫଳରେ ଭାରତୀୟ ବାୟୁସେନା ଏହି ଘଟଣାରେ ସୁରକ୍ଷା ଯୋଗାଇବାକୁ ଆଗେଇ ଆସିଥିଲା। ବାୟୁସେନାର ଦୁଇଟି ସୁଖୋଇ ବିମାନ (ଏସୟୁ-୩୦ଏମ୍‌କେଆଇ) ଉକ୍ତ ଯାତ୍ରୀବାହୀ ବିମାନକୁ ନିରାପଦ ଦୂରତାରୁ ପିଛା କରିଥିଲେ। ବାୟୁସେନାର ଗୋଟିଏ ଲଢ଼ୁଆ ବିମାନ ପଞ୍ଜାବର ହଲୱାରା ବିମାନ ଘାଟିରୁ ଏବଂ ଅନ୍ୟଟି ରାଜସ୍ଥାନର ଯୋଧପୁର ବିମାନ ଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଇରାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ବୋମା ବିପଦ ନଥିବା ସଂପର୍କରେ ଜଣାପଡ଼ିବା ପରେ ବିମାନଟିକୁ ଭାରତୀୟ ବାୟୁସୀମା ଛାଡ଼ି ଗନ୍ତବ୍ୟ ପଥରେ ଯିବାକୁ ଅନୁମତି ମିଳିଥିଲା। ବୋମା ଆତଙ୍କ ଖବରକୁ ଗୁରୁତ୍ବ ନଦେଇ ବିମାନଟିକୁ ଚୀନର ଗୁଆଙ୍ଗଝୁ ଅଭି‌ମୁଖେ ଉଡ଼ାଣ ଭରିବା ପାଇଁ ପାଇଲଟଙ୍କୁ ମଧ୍ୟ ଇରାନରୁ ନିର୍ଦ୍ଦେଶ ଆସିଥିଲା। ବାହାରକୁ ଯିବାଲାଗି ଅନୁମତି ଦେବା ଯାଏଁ ବିମାନଟି ଭାରତୀୟ ଆକାଶରେ ପାଖାପାଖି ୪୦ ମିନିଟ ଉଡ଼ିଥିଲା। ଭାରତୀୟ ବାୟୁସୀମାରେ ବିମାନଟି ଥିବା ସମୟରେ ତାହା ଉପରେ ଭାରତୀୟ ବାୟୁସେନା ରାଡାରର କଡ଼ା ନଜର ରହିଥିଲା। ଶେଷରେ ମହନ ଏୟାରଲାଇନ୍ସ ପକ୍ଷରୁ ଟ୍ବିଟ କରାଯାଇଥିଲା ଯେ ବୋମା ଖବର ମିଛ ଏବଂ ବିମାନଟି ନିରାପଦରେ ଅବତରଣ କରିଛି।

ସମ୍ବନ୍ଧିତ ଖବର