ତାଇଓ୍ବାନର ଭୟ.. ଚୀନ ହଠାତ୍ ଆକ୍ରମଣ କରିପାରେ !

ଚାଇପେଇ : ଗତ ବର୍ଷ ଆମେରିକୀୟ ସାଂସଦ ନାନସି ପେଲୋସିଙ୍କ ତାଇଓ୍ବାନ ଗସ୍ତପରେ ହଠାତ୍ ଉତ୍ତେଜନା ବୃଦ୍ଧି ପାଇଥିଲା ଓ ଚୀନ ପକ୍ଷରୁ ଯୁଦ୍ଧାଭ୍ୟାସ ଆରମ୍ଭ କରିଦିଆଯାଇଥିଲା । କିନ୍ତୁ ଏବେ ସ୍ଥିତି ଟିକିଏ ଶାନ୍ତି ରହିଛି । ଏହା ସତ୍ତ୍ବେ ତାଇଓ୍ବାନ ଆଶଙ୍କା କରୁଛି ଯେ ଚୀନ ପକ୍ଷରୁ ହଠାତ୍ ଆକ୍ରମଣ କରାଯାଇପାରେ ।

ତାଇଓ୍ଵାନର ପ୍ରତିରକ୍ଷା ମନ୍ତ୍ରୀ ଚିଉ କୁଓ ଚେଙ୍ଗ କହିଛନ୍ତି ଯେ ଚୀନ୍ ସେନା ହଠାତ୍ ତାଇଓ୍ଵାନ ଅଞ୍ଚଳରେ ଅନୁପ୍ରବେଶ କରିପାରେ ଏବଂ ଏଥିପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ। ତାଇୱାନ ଷ୍ଟ୍ରେଟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ତାଇୱାନର ପ୍ରତିରକ୍ଷା ମନ୍ତ୍ରୀ ଏହି ଚେତାବନୀ ଦେଇଛନ୍ତି । ତାଇଓ୍ଵାନକୁ ଭୟଭୀତ କରିବାରେ ଚୀନର ସେନା ଓ ନୌସେନା ନିରନ୍ତର ନିୟୋଜିତ ଅଛନ୍ତି। ତାଇଓ୍ଵାନର ଏୟାର ଡିଫେନ୍ସ ସେକ୍ଟରରେ ପ୍ରାୟ ପ୍ରତିଦିନ ବାୟୁସେନା ଅନୁପ୍ରବେଶ ସମେତ ଚୀନ୍ ତାଇଓ୍ଵାନ ନିକଟରେ ନିଜର ସାମରିକ କାର୍ଯ୍ୟକଳାପକୁ ତୀବ୍ର କରିଛି ।

ତେବେ ତାଇଓ୍ଵାନ ଏବେ ନିଜ ଅଞ୍ଚଳରେ ଚୀନର କୌଣସି ସାମରିକ କାର୍ଯ୍ୟକଳାପକୁ ଅସ୍ୱୀକାର କରିଛି। ତାଇଓ୍ଵାନର ବାୟୁ ପ୍ରତିରକ୍ଷା ଅଞ୍ଚଳ ତାଇଓ୍ବାନ ଉପକୂଳଠାରୁ ୨୪ ନଟିକାଲ ମାଇଲ (୪୪.୪ କିଲୋମିଟର) ଦୂରରେ ଅବସ୍ଥିତ । ଗତବର୍ଷ ଏହାର ସୀମାନ୍ତ ଅଞ୍ଚଳରେ ବେସାମରିକ ଡ୍ରୋନ୍ କୁ ଖସାଇ ଦିଆଯାଇଥିଲା ।

ଅନ୍ୟପକ୍ଷରେ ତାଇଓ୍ଵାନର ସଂସଦକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ତାଇଓ୍ଵାନର ଆଞ୍ଚଳିକ ବାୟୁ ଓ ସମୁଦ୍ର ଅଞ୍ଚଳରେ ପ୍ରବେଶ କରିବା ପାଇଁ ଚୀନ୍ ସେନା ଏକ ବାହାନା ଖୋଜିପାରେ। ତାଇୱାନ ଏବେ ଆମେରିକାଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର କିଣୁଥିବା ଜଣାପଡିଛି, ଯାହାକୁ ନେଇ ଚୀନ ଅସନ୍ତୋଷ ପ୍ରକଟ କରିଛି ।

ସମ୍ବନ୍ଧିତ ଖବର