ନୂଆଦିଲ୍ଲୀ: ଗୁପ୍ତରେ ପ୍ରଥମ ଥର ତିବ୍ବତ ଗସ୍ତ କରି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଅରୁଣାଞ୍ଚଳ ପ୍ରଦେଶ ସୀମାନ୍ତକୁ ଲାଗିଥିବା ଯୁଦ୍ଧ ପ୍ରସ୍ତୁତି ପାଇଁ ସୁବିଧାଜନକ ସହର ନାଇଙ୍ଗ୍‌ଚି ପରିଦର୍ଶନ କରିଥିବା କଥା ଶୁକ୍ରବାର ଦିନ ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

Advertisment

ବୁଧବାର ଦିନ ସି ନାଇଙ୍ଗ୍‌ଚି ମେନ୍‌ଲିଙ୍ଗ୍‌ ବିମାନ ବନ୍ଦରରେ ପହଞ୍ଚିବାର ପରେ ସ୍ଥାନୀୟ ଜନତା ଏବଂ ବିଭିନ୍ନ ଜନଜାତି ଦଳର ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିବା କଥା ‘ସିନ୍‌ହୁଆ’ ନିଉଜ୍ ଏଜେନ୍‌ସି ରିପୋର୍ଟ କରିଛି।

ଭାରତ-ଚୀନ୍‌ ସୀମାନ୍ତରେ ଅବସ୍ଥିତ ଏହି ସହର ଗସ୍ତରେ ବୋଧହୁଏ ସେ ହେଉଛନ୍ତି ପ୍ରଥମ ଚୀନା ନେତା। ରାଜନୈତିକ ଗୁରୁତ୍ବ ଥିବା ସିଙ୍କର ଏହି ଗସ୍ତକୁ ଶୁକ୍ରବାର ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଥିବା କଥା ଚୀନ୍‌ର ରାଷ୍ଟ୍ରାୟାତ ଗଣମାଧ୍ୟମ କହିଛି।

publive-image Image Courtesy of The Times of India

ଗସ୍ତ କାଳରେ ୬୮ ବର୍ଷିୟ ସି ବ୍ରହ୍ମପୁତ୍ର ନଦୀର ପ୍ରବାହିତ ଅଞ୍ଚଳର ଜୈବ ସଂରକ୍ଷଣ ତଦାରଖ କରିବା ଲାଗି ନାଇଙ୍ଗ୍‌ ନଦୀ ସେତୁ ଉପରକୁ ଯାଇଥିଲେ। ସୂଚନାଯୋଗ୍ୟ ତିବ୍ବତୀୟ ଭାଷାରେ ଉକ୍ତ ନଦୀକୁ ‘ୟାର୍ଲୁଙ୍ଗ୍‌ ଜାବୋଙ୍ଗ୍‌’ କହନ୍ତି।

ସମ୍ପ୍ରତି ୧୪ତମ ପଞ୍ଚବାର୍ଷିକ ଯୋଜନାରେ ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍‌ ଗୋଟାଏ ପ୍ରକାଣ୍ଡ ଜଳଭଣ୍ଡାର ନିର୍ମାଣ ପାଇଁ ଅନୁମୋଦନ କରିଥିବାରୁ ଭାରତ ଓ ବାଂଲାଦେଶ ଉଦ୍‌ବିଗ୍ନ ହୋଇ ପଡ଼ିଛନ୍ତି। କାରଣ ଏହି ନଦୀ ଭାରତ ଓ ବାଂଲାଦେଶ ବାଟ ଦେଇ ସମୁଦ୍ରରେ ପଡ଼ିଛି।