ମୋବାଇଲ୍‌ ପାଇଁ ଡ୍ୟାମ୍‌ ଶୁଖାଇଦେଲେ, ୨୧ ଲକ୍ଷ ଲିଟର ପାଣି ନଷ୍ଟ

ନୂଆଦିଲ୍ଲୀ : ଛତିଶଗଡ଼ରେ ଏକ ବିସ୍ମୟ ସୃଷ୍ଟିକାରୀ ଘଟଣା ଘଟିଛି। ଜଣେ ସରକାରୀ ବାବୁଙ୍କ ଦାମୀ ଫୋନ୍‌ ଡ୍ୟାମ୍‌ରେ ପଡ଼ିଯିବାରୁ ବାବୁ ଜଣଙ୍କ ଫୋନ୍‌ ପାଇବାପାଇଁ ପୂରା ଡ୍ୟାମ୍‌ ଖାଲି କରିବାକୁ ପଛାଇନାହାନ୍ତି। ୩ ଦିନ ଧରି ଡ୍ୟାମ୍‌ରୁ ୨୧ ଲକ୍ଷ ଲିଟର ପାଣି ଖାଲି କରାଯିବା ପରେ ବାବୁଙ୍କୁ ଫୋନ୍‌ ମିଳିଲା କିନ୍ତୁ ଏଭଳି କାମ ବିରୋଧରେ ଅଭିଯୋଗ ହେବାରୁ ଉକ୍ତ ଅଧିକାରୀ ନିଲମ୍ବିତ ହୋଇଛନ୍ତି।

ଏହି ଅଧିକାରୀ ଜଣକ ହେଉଛନ୍ତି ରାଜେଶ ବିଶ୍ବାସ। ସେ କାଙ୍କେର ଜିଲ୍ଲା କୋଇଲିବେଡ଼ା ବ୍ଲକ୍‌ରେ ଜଣେ ଫୁଡ୍‌ ଅଫିସର। ‌ରାଜେଶ ବିଶ୍ବାସ ଗତ ରବିବାର ‌ଖେରକଟ୍ଟା ପରାଲକୋଟ ଡ୍ୟାମ୍‌କୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ସେ ତାଙ୍କ ୯୬ ହଜାର ଟଙ୍କା ମୂଲ୍ୟର ସାମସଙ୍ଗ ଏସ୍‌-୨୩ ଫୋନ୍‌କୁ ୧୫ ଫୁଟ୍‌ ଗଭୀର ଜଳରେ ଖସାଇ ଦେଇଥିଲେ। ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କଲେ। କିନ୍ତୁ ଫୋନ୍‌ ନମିଳିବାରୁ ବିଶ୍ବାସ ପରଦିନ ଜଳସେଚନ ବିଭାଗରେ ପହଞ୍ଚିଥିଲେ ଏବଂ ଫୋନ୍‌ କେମିତି କାଢ଼ିହେବ ସେନେଇ ଆଲୋଚନା କରିଥିଲେ। ଜଣେ ବରିଷ୍ଠ ଅଧିକାରୀ ଡ୍ୟାମ୍‌ରୁ ପାଣି ଖାଲି କରିବାପାଇଁ ଅନୁମତି ଦେଇଥିବା ସେ କହିଛନ୍ତି।

ସୋମବାର ସନ୍ଧ୍ୟାରୁ ଡ୍ୟାମ୍‌ରୁ ପାଣି ଖାଲି କରିବା ଆରମ୍ଭ ହେଲା ଏବଂ ଗୁରୁବାର ପର୍ଯ୍ୟନ୍ତ ଡ୍ୟାମ୍‌ରୁ ୨୧ ଲକ୍ଷ ଲିଟର ପାଣି ଖାଲି କରାଯାଇଥିଲା। ୧୫୦୦ ଏକର ଚାଷଜମିରେ ଜଳସେଚନ ପାଇଁ ଏତିକି ଜଳ ଯଥେଷ୍ଟ ହୋଇଥା’ନ୍ତା। ତେବେ, ଏନେଇ ଅଭି‌ଯୋଗ ହେବାପରେ ଜଳସମ୍ପଦ ବିଭାଗର ଜଣେ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ପାଣି ଖାଲି କରିବା କାର୍ଯ୍ୟ ବନ୍ଦ କରାଯାଇଥିଲା। କିନ୍ତୁ, ସେତେବେଳକୁ ଡ୍ୟାମ୍‌ରୁ ୨୧ ଲକ୍ଷ ଲିଟର ପାଣି ଖାଲି ହୋଇସାରିଥିଲା। ରାଜେଶ କହିଛନ୍ତି, ସେ ସେଲ୍‌ଫି ନେବା ସମୟରେ ତାଙ୍କ ଫୋନ୍‌ଟି ଡ୍ୟାମରେ ଖସି ଯାଇଥିଲା। ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରମଣ ସିଂହ ଏଥିପାଇଁ ଭୂପେଶ ବାଘେଲଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏକଛତ୍ରବାଦୀ ରାଜ୍ୟ ସରକାର ଅଧୀନରେ ଅଧିକାରୀମାନେ ରାଜ୍ୟର ସମ୍ପତ୍ତିକୁ ପୈତୃକ ସମ୍ପତ୍ତି ବୋଲି ଭାବୁଛନ୍ତି।

ସମ୍ବନ୍ଧିତ ଖବର