ଗିରଫର ୨୪ ଘଣ୍ଟା ପରେ ଅଦାଲତରେ ହାଜର ମହଙ୍ଗା ପଡ଼ିଲା: ଅଭିଯୁକ୍ତକୁ ଜାମିନରେ ଛାଡ଼ିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସମ୍ବିଧାନର ଧାରା ୨୧ ନାଗରିକଙ୍କୁ ବଞ୍ଚିବାର ଓ ବ୍ୟକ୍ତିଗତ ସ୍ବାଧୀନତାର ମୌଳିକ ଅଧିକାର ଦେଇଛି। ବ୍ୟକ୍ତିଗତ ସ୍ବାଧୀନତା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହାକୁ ହାଲୁକା ଭାବେ ନିଆଯାଇ ପାରିବନାହିଁ। ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଏଭଳି ମତଦେବା ସହିତ ଗିରଫଦାରୀର ୨୪ ଘଣ୍ଟା ପରେ ଅଦାଲତରେ ହାଜର କରାଯାଇ ଥିବା ଅଭିଯୁକ୍ତମାନଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୨, ‌ଅକ୍ଟୋବର ୨୭ରେ ସହଦେବଖୁଣ୍ଟା ପୁଲିସ ବାଲେଶ୍ବର ସହର ଫୁଲାଡି ବାଇପାସ୍ ପାଖରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୧୧୦୧ ଗ୍ରାମ ବ୍ରାଉନସୁଗାର ପୁଲିସ ଜବତ କରିବା ସହିତ ଆବେଦନକାରୀମାନଙ୍କୁ ଗିରଫ କରିଥିଲା। ଅକ୍ଟୋବର ୨୭ ତାରିଖ ସଂଧ୍ୟା ୫ଟା ୨୦ରୁ ୬ଟା ୨୦ ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୨୮ ତାରିଖ ରାତି ପ୍ରାୟ ୧୧ଟା ବେଳେ ସେମାନଙ୍କୁ ସ୍ବତନ୍ତ୍ର ଅଦାଲତ ବିଚାରପତିଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିବା ଅଭିଯୋଗ ହୋଇଥିଲା। ଗିରଫ କରିବାର ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯିବା ନିୟମ ରହିଛି। ନିୟମ ଉଲ୍ଲଂଘନ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବାର ୨୪ ଘଣ୍ଟା ପରେ ଅଦାଲତରେ ହାଜର କରାଯାଇଥିବା ଦର୍ଶାଇ ୨୦୨୨, ନଭେମ୍ବର ୪ରେ ସ୍ବତନ୍ତ୍ର ଅଦାଲତରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏପରି ପିଟିସନକୁ ଖାରଜ କରି ନଭେମ୍ବର ୧୫ରେ ସ୍ବତନ୍ତ୍ର ଅଦାଲତ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା।

ସ୍ବତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏହି ମାମଲାରେ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବାରୁ ଆବେଦନକାରୀଙ୍କ ଅଟକ ବେଆଇନ ବୋଲି ହାଇକୋର୍ଟ ମତ ଦେବା ସହିତ ସେମାନଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସେକ୍ ହୁସେନ ଓ ଅନ୍ୟ ଚାରିଜଣଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଡି.ପି.ଧଳ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର