କାର୍‌ ବିସ୍ଫୋରଣରେ ୟୁକ୍ରେନ୍‌ ଯୁଦ୍ଧର ‘ମାଷ୍ଟର୍‌ମାଇଣ୍ଡ୍‌’ ଆଲେକ୍‌ଜେଣ୍ଡର୍‌ ଦୁଗିନ୍‌ଙ୍କ ଝିଅ ମୃତ

ମସ୍କୋ: ଶନିବାର ରାତିରେ ରୁଷ୍‌ର ରାଜଧାନୀ ମସ୍କୋ ଉପକଣ୍ଠରେ କାର୍‌ ବୋମା ବିସ୍ଫୋରଣରେ ୟୁକ୍ରେନ୍‌ ଯୁଦ୍ଧର ‘ମାଷ୍ଟର୍‌ମାଇଣ୍ଡ୍‌’ ଆଲେକ୍‌ଜେଣ୍ଡର୍‌ ଦୁଗିନ୍‌ଙ୍କ ଝିଅ ଦାରିୟା ଦୁଗିନ୍‌ଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି, ତାଙ୍କ ବାପାଙ୍କୁ ହତ୍ୟା କରିବା ପାଇଁ ଉପରୋକ୍ତ ଷଡ଼ଯନ୍ତ୍ର କରଯାଇଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ରାଜଧାନୀ ଉପକଣ୍ଠରେ ଅବସ୍ଥିତ ବୋଲ୍‌ଶିୟେ ଭିୟାଜିଓମି ଗାଁ ନିକଟ ଦେଇ ଯାଇଥିବା ରାଜପଥରେ ବିସ୍ଫୋରଣ ଯୋଗୁଁ ‘ପୁଟିନ୍‌ଙ୍କ ବୁଦ୍ଧି’ ବୋଲି କୁହାଯାଉଥିବା ୬୦ ବର୍ଷିୟ ଆଲେକ୍‌ଜେଣ୍ଡର୍‌ଙ୍କ ଝିଅ ଦାରିୟା ମୃତ୍ୟୁବରଣ କରିଛନ୍ତି।

ବୋମା ମାଡ଼ ଦୃଶ୍ୟ ଥିବା ‘ସିସିଟିଭି’ ଫୁଟେଜ୍‌ରେ ଦେଖାଯାଉଛି ଦାରିୟାଙ୍କର ‘ଲ୍ୟାଣ୍ଡ୍‌ କ୍ରୁଜର୍‌ ପ୍ରାଦୋ’ କାର୍‌ ହୁତୁ ହୁତୁ ହୋଇ ଜଳୁଥିବା ବେଳେ ପାଖରେ ଦମକଳ ଗାଡ଼ିଟି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି।

Image Courtesy of News18

ଷଡ଼ଯନ୍ତ୍ର ଭୁଲ୍‌ ହୋଇଗଲା ବୋଲି କଥା ଉଠିଥିବା ବେଳେ ଆଲେକ୍‌ଜେଣ୍ଡର୍‌ଙ୍କ ଝିଅଙ୍କୁ ୟୁକ୍ରେନୀୟ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି ବୋଲି ପୁଟିନ୍‌ଙ୍କ ଗୁପ୍ତଚର ତଥା ପୂର୍ବାଞ୍ଚଳ ୟୁକ୍ରେନ୍‌ ଅନ୍ତଗର୍ତ ବିଚ୍ଛିନ୍ନ ପ୍ରଦେଶ ‘ଦୋନେତ୍‌ସ୍କ ପିପୁଲ୍‌ସ୍‌ ରିପବ୍ଲିକ୍‌’ର ମୁଖ୍ୟ ଡେନିସ୍‌ ପୁଶିଲିନ୍‌ କହିଛନ୍ତି।

‘ଟେଲିଗ୍ରାମ୍‌’ରେ ସେ ଲେଖିଛନ୍ତି: ଆଲେକ୍‌ଜେଣ୍ଡର୍‌ ଦୁଗିନ୍‌ଙ୍କୁ ନିପାତ କରିବାକୁ ଉଦ୍ୟମ କରୁଥିବା ୟୁକ୍ରେନୀୟ ସରକାରଙ୍କ ଆତଙ୍କବାଦୀମାନେ ବ‌ୋମା କାର୍‌ରେ ବିସ୍ଫୋରଣ କରି ତାଙ୍କ ଝିଅଙ୍କୁ ହତ୍ୟା କରିଛନ୍ତି। ଦିବଂଗତ ଦାରିୟା ଥିଲେ ଜଣେ ବାସ୍ତବ ରୁଷୀୟ କନ୍ୟା।

ନିଜେ କାର୍‌ ଚଳାଇ ଗୋଟାଏ ଉତ୍ସବରୁ ଫେରୁଥିବା ବେଳେ ହଠାତ୍‌ ତାଙ୍କ କାର୍‌ରେ ବିସ୍ଫୋରଣ ଘଟିଥିଲା। ବିଶେଷସୂତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ତାଙ୍କ ବାପା ଆଲେକ୍‌ଜେଣ୍ଡର୍‌ ତାଙ୍କ ସହିତ ସେ କାର୍‌ରେ ଫେରିବାର ଥିଲା, କିନ୍ତୁ ସେ ସେଥିରେ ନ ଆସି ଅନ୍ୟ ଏକ କାର୍‌ରେ ଆସୁଥିଲେ।

ଆଲେକ୍‌ଜେଣ୍ଡର୍‌ ଥିଲେ ପୁଟିନ୍‌ଙ୍କ ସଚ୍ଚା ମସର୍ଥକ ‘ସାର୍‌ଗ୍ରାଦ୍‌ ଟିଭି ନେଟ୍‌ୱାର୍କ’ର ପୂର୍ବତନ ମୁଖ୍ୟ ସମ୍ପାଦକ।

ସମ୍ବନ୍ଧିତ ଖବର