ପେଣ୍ଟାଗନ୍‌ ରିପୋର୍ଟ ଉପରେ ଭାରତର ମନ୍ତବ୍ୟ: ବେଆଇନ ଚୀନା ଦଖଲକୁ ଗ୍ରହଣ କରୁନାହୁଁ

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମାନ୍ତ ଅଞ୍ଚଳର ଚୀନା ପାର୍ଶ୍ବରେ ଥିବା ବିବାଦୀୟ ଅଞ୍ଚଳରେ ଚାଲିଥିବା ନିର୍ମାଣ କାର୍ଯ୍ୟକଳାପକୁ ଗ୍ରହଣ କରୁନାହିଁ ବୋଲି ଗୁରୁବାର ଦିନ ଭାରତ କହିଛି।

ଏ ସମ୍ବନ୍ଧରେ ଯୁକ୍ତରାଷ୍ଟ୍ର ଆମେରିକାର ‘ପେଣ୍ଟାଗନ୍‌’ କରିଥିବା ରିପୋର୍ଟ ବିଷୟରେ ଅବଗତ ହୋଇଥିବା ଜଣାଇ ଭାରତ କହିଛି ଯେ, ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳରେ ବେଜିଙ୍ଗ୍‌ ବିରାଟ ଗ୍ରାମଟିଏ ନିର୍ମାଣ କରୁଛି। କିନ୍ତୁ, ଦେଶର କୌଣସି ଅଞ୍ଚଳରେ ଚୀନ୍‌ର ବେଆଇନ ଦଖଲ କି, ଚୀନ୍‌ର ଅଯଥାର୍ଥ ଦାବିକୁ ଦଖଲକୁ ଭାରତ ଗ୍ରହଣ କରେନାହିଁ।

ଏକ ବିବୃତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସକୁ ଦେଇଥିବା ରିପୋର୍ଟ ବିଷୟରେ ଆମେ ଅବଗତ ଅଛୁ। ଏଥିରେ ଥିବା ଅନ୍ୟାନ୍ୟ ତଥ୍ୟାବଳୀ ମଧ୍ୟରେ ଭାରତ-ଚୀନ୍‌ ସୀମାନ୍ତବର୍ତ୍ତୀ ଚୀନ୍‌ ପାର୍ଶ୍ବରେ, ବିଶେଷକରି ପୂର୍ବାଞ୍ଚଳ ସେକ୍ଟର୍‌ରେ ଚୀନ୍‌ ଚଳାଇଥିବା ନିର୍ମାଣ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଛି।

Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ଆମ ଅଞ୍ଚଳର ଚୀନ୍‌ର ଜବରଦଖଲ ଏବଂ ଅଯର୍ଥାତ ଦାବିକୁ ଭାରତ ଗ୍ରହଣ କରେନାହିଁ। କୂଟନୈତିକ ମାଧ୍ୟମରେ ଭାରତ ସରକାର ସବୁବେଳେ ଏଭଳି କାର୍ଯ୍ୟକଳାପ ବିରୋଧରେ ତୀବ୍ର ପ୍ରତିବାଦ ଜଣାଇଛି ଏବଂ ଆଗକୁ ମଧ୍ୟ ଏଭଳି ଜଣାଇ ଚାଲିବ।

ସୂଚନାଯୋଗ୍ୟ, ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକା ଦେଇଥିବା ପ୍ରତିରକ୍ଷା ରିପୋର୍ଟରେ କହିଛି, ତିବ୍ବତ ସ୍ବୟଂଶାସିତ ଅଞ୍ଚଳ ଏବଂ ପୂର୍ବାଞ୍ଚଳ ସେକ୍ଟର୍‌ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ପାଖ ଭାରତର ଅରୁଣାଚଳ ପ୍ରଦେଶ ମଧ୍ୟସ୍ଥ ବିବାଦୀୟ କ୍ଷେତ୍ରରେ ଚୀନ୍‌ ୧୦୦ଟି ଘର ଥିବା ଏକ ବେସାମରିକ ଗ୍ରାମ ନିର୍ମାଣ କରିଛି।

ସମ୍ବନ୍ଧିତ ଖବର