ଏଲୋର୍ଡା କପ୍‌ ମୁଷ୍ଟିଯୁଦ୍ଧ: ପୂର୍ବତନ ବିଶ୍ବବିଜେତାକୁ ହରାଇ ସ୍ବର୍ଣ୍ଣ ଜିତିଲେ ଆଲ୍‌ଫିଆ

ନୁର ସୁଲତାନ: ଯୁବ ବିଶ୍ବ ବିଜେତା ଆଲ୍‌ଫିଆ ପଠାନ ଓ ଗିତିକା ଏଲୋର୍ଡା କପ୍‌ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଅନ୍ୟ ଦୁଇ ଭାରତୀୟ କଲାଇବାଣୀ ଶ୍ରୀନିବାସନ ଓ ଜମୁନା ବୋରୋ ରୌପ୍ୟ ପଦକ କରାୟତ୍ତ କରିଥିଲେ। ୮୧ କେଜି ମହିଳା ଫାଇନାଲ୍‌ରେ ନାଗପୁର ଝିଅ ଆଲ୍‌ଫିଆ ୫-୦ରେ ୨୦୧୬ ବିଶ୍ବ ପ୍ରତିଯୋଗିତାର ବିଜେତା ଲତାତ କୁଙ୍ଗେଇବାୟେଭାଙ୍କୁ ପରାସ୍ତ କରିଥିଲେ। ସେହିଭଳି ୪୮ କେଜିରେ ଗିତିକା ୪-୧ରେ ନିଜ ଦେଶର କଲାଇବାଣୀଙ୍କୁ ହରାଇଥିଲେ। ଆଲ୍‌ଫିଆ ଓ ଗିତିକା ପ୍ରଥମ ଥର ଲାଗି ବରି‌ଷ୍ଠ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୫୪ କେଜି ଫାଇନାଲ୍‌ରେ ୨୦୧୯ ବିଶ୍ବ ପ୍ରତିଯୋଗିତା କାଂସ୍ୟ ବିଜେତା ଜମୁନା ୦-୫ରେ ଉଜବେକିସ୍ତାନର ନିଗିନା ଉକ୍ତାମୋଭାଙ୍କଠୁ ହାରି ଯାଇଥିଲେ। ଏଥିସହ ଭାରତ ଏହି ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ, ୨ ‌ରୌପ୍ୟ ଓ ୧୦ କାଂସ୍ୟ ସହ ମୋଟ ୧୪ ପଦକ ସହ ଅଭିଯାନ ଶେଷ କରିଛି।

ସମ୍ବନ୍ଧିତ ଖବର