ଦରଦାମ୍ ମୁକାବିଲା ପଦକ୍ଷେପ: ଗହମ ପରେ ମଇଦା, ସୁଜି ରପ୍ତାନି ନିଷିଦ୍ଧ

ନୂଆଦିଲ୍ଲୀ : ଦରଦାମ୍‌ ସ୍ଥିତିର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ କଠୋର ନିଷ୍ପତ୍ତି ନେଉଛନ୍ତି। ଖାଦ୍ୟ ସାମଗ୍ରୀ ଉପଲବ୍ଧତାକୁ ନିଶ୍ଚିତ କରିବା ଲାଗି ଗହମରୁ ପ୍ରସ୍ତୁତ ଅଟା, ସୁଜି ଓ ମଇଦା ରପ୍ତାନିକୁ ନିଷିଦ୍ଧ କରାଯାଇଛି। କିଛି ଦିନ ପୂର୍ବେ ଗହମ ରପ୍ତାନି ଉପରେ କଟକଣା ଲଗାଯାଇଥିଲା। ଆଗାମୀ ଦିନରେ ଚାଉଳ ରପ୍ତାନି ନିଷିଦ୍ଧ କରିବା ଉପରେ ସରକାର ବିଚାର କରୁଛନ୍ତି।

ଅଟା, ସୁଜୁକି ଓ ମଇଦା ରପ୍ତାନିକୁ ନିଷିଦ୍ଧ କରିବା ସମ୍ପର୍କିତ ବିଜ୍ଞପ୍ତିକୁ ବିଦେଶ ବାଣିଜ୍ୟ ମହାନିର୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଜାରି କରାଯାଇଛି। କିନ୍ତୁ କେତେକ ନିର୍ଦିଷ୍ଟ ମାମଲରେ ଏହି ସାମଗ୍ରୀଗୁଡ଼ିକର ରପ୍ତାନି ଲାଗି ଅନୁମତି ଦେବାର କ୍ଷମତା ସରକାରଙ୍କ ପାଖରେ ରହିଛି ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ରପ୍ତାନି ଲାଗି ପୂର୍ବରୁ ଏହି ସାମଗ୍ରୀଗୁଡ଼ିକ ‘ମୁକ୍ତ’ ବର୍ଗରେ ଥିଲା। ଏବେ ତାହାକୁ ନିଷିଦ୍ଧ ବର୍ଗରେ ସାମିଲ କରାଯାଇଛି। ୨୦୧୫-୨୦ର ବିଦେଶ ବାଣିଜ୍ୟ ନୀତିରେ ରହିଥିବା ବ୍ୟବସ୍ଥା ମଧ୍ୟ ଏଥିପାଇଁ ଲାଗୁ ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଶ୍ବର ଦୁଇ ପ୍ରମୁଖ ଗହମ ଉତ୍ପାଦନକାରୀ ରାଷ୍ଟ୍ର ରୁଷ୍ ଓ ୟୁକ୍ରେନ୍ ପରସ୍ପର ସହ ଯୁଦ୍ଧ କରୁଥିବାରୁ ସେଠାରୁ ଖାଦ୍ୟଶସ୍ୟ ବାହାରକୁ ଆସିପାରୁନାହିଁ। ଏହି ଦୁଇ ଦେଶ ବିଶ୍ବ ଗହମ ଚାହିଦାର ଏକ ପଞ୍ଚାମଂଶ ପୂରଣ କରୁଥିଲେ। ଯେଉଁ ଦେଶଗୁଡ଼ିକ ସେମାନଙ୍କ ଉପରେ ନିର୍ଭରଶୀଳ ଥିଲେ ସେଠାରେ ଏବେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଯେହେତୁ ଭାରତରେ ବିଶ୍ବର ସର୍ବାଧିକ ଗହମ ଉତ୍ପାଦନ ହେଉଛି ତେଣୁ ସେହି ଦେଶଗୁଡ଼ିକ ଏବେ ଭାରତୀୟ ଗହମ ଉପରେ ଆଖି ପକାଇଛନ୍ତି। ତାହାର ସୁଯୋଗ ନେଇ କିଛି ବ୍ୟବସାୟ ରପ୍ତାନି ଉପରେ ମନୋନିବେଶ କରିବା ପରେ ଦେଶ ଭିତରେ ଗହମ ଓ ସେଥିରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀର ଦାମ୍‌ ବୃଦ୍ଧି ପାଇଛି। ସେହି ଦରବୃଦ୍ଧି ଉପରେ ରୋକ ଲଗାଇବା ଲାଗି ରପ୍ତାନି କଟକଣା ଲାଗୁ କରାଯାଇଛି। ଭବିଷ୍ୟତର ସମ୍ଭାବ୍ୟ ଅଭାବକୁ ଦୃଷ୍ଟିରେ ରଖି ଓ ଖାଦ୍ୟ ନିରାପତ୍ତାକୁ ନିଶ୍ଚିତ କରିବା ଲାଗି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁଲାଇ ଭିତରେ ଗହମ ରପ୍ତାନିରେ ୨୦୦% ବୃଦ୍ଧି ଘଟିଛି। ୨୦୨୧-୨୨ରେ ଭାରତ ୨୪୬ ନିୟୁତ ଡଲାର ମୂଲ୍ୟର ଗହମ ରପ୍ତାନି କରିଥିଲା। ଚଳିତ ବର୍ଷର ଏପ୍ରିଲ୍‌ରୁ ଜୁନ୍ ଭିତରେ ୧୨୮ ନିୟୁତ ଡଲାରର ଗହମ ରପ୍ତାନି ହୋଇସାରିଲାଣି। ଭାରତରେ ଗହମର କିଲୋପିଛା ହାରାହାରି ମୂଲ୍ୟ ଅଗଷ୍ଟ ୨୨ ସୁଦ୍ଧା ୩୧ ଟଙ୍କା ୪ ପଇସାକୁ ବୃଦ୍ଧି ପାଇଛି ଯାହା ବର୍ଷକ ପୂର୍ବରୁ ଏହି ସମୟରେ ମାତ୍ର ୨୫ ଟଙ୍କା ୪୧ ପଇସା ଥିଲା। ସେହିପରି ଅଟା ମୂଲ୍ୟ ୧୭ ପ୍ରତିଶତ ବୃଦ୍ଧି ପାଇ କେଜି ପିଛା ୩୫ ଟଙ୍କା ୧୭ ପଇସା ହୋଇଛି ଯାହା ପୂର୍ବବର୍ଷ ଏହି ସମୟରେ ୩୦ ଟଙ୍କା ୪ ପଇସା ଥିଲା।

୨୦୨୧-୨୨ରେ ୧୦୬.୮୪ ନିୟୁତ ଟନ୍‌ ଗହମ ଉତ୍ପାଦନ ହେବା ଏବଂ ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଗହମ ଫସଲ ନଷ୍ଟ ହୋଇଥିବାରୁ ଉଭୟ ଖୁଚୁରା ଓ ପାଇକାରୀ ବଜାରରେ ଏହାର ମୂଲ୍ୟ ବଢ଼ିଛି। ଗହମ ଅଭାବ ଓ ଦରଦବୃଦ୍ଧିକୁ ନେଇ ରୋଲ୍ ଫ୍ଲୋର ମିଲର୍ସ ମହାସଂଘ ଚିନ୍ତା ପ୍ରକଟ କରିଛି।

ସମ୍ବନ୍ଧିତ ଖବର