ରବି କିଷାନଙ୍କୁ ନିଜ ଝିଅର ବାପା ବୋଲି ଦାବି କରୁଥିବା ମହିଳାଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ

ଲକ୍ଷ୍ନୌ: ବିଜେପିର ଗୋରଖପୁର ସାଂସଦ ରବି କିଷାନ ଶୁକ୍ଲାଙ୍କୁ ତାଙ୍କ ଝିଅର ପିତା ବୋଲି ଦାବି କରୁଥିବା ଜଣେ ମହିଳାଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ବୁଧବାର ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ରବି କିଷନଙ୍କ ପତ୍ନୀ ପ୍ରୀତି ଶୁକ୍ଲାଙ୍କ ଅଭିଯୋଗ ପରେ ମଙ୍ଗଳବାର ବିଳମ୍ବିତ ରାତିରେ ହଜରତଗଞ୍ଜ ପୁଲିସ ଷ୍ଟେସନରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିବା ସୂଚନା ରହିଛି।

ଏଫ୍ଆଇଆରରେ ଅଭିଯୁକ୍ତା ମହିଳା ଅପର୍ଣ୍ଣା ଠାକୁରଙ୍କ ସମେତ ତାଙ୍କ ସ୍ୱାମୀ ରାଜେଶ ସୋନି, ଝିଅ ସେନୋଭା ସୋନି, ପୁଅ ସୋନକ ସୋନି, ସମାଜବାଦୀ ପାର୍ଟି ନେତା ବିବେକ କୁମାର ପାଣ୍ଡେ ଏବଂ ସାମ୍ବାଦିକ ଖୁର୍ସିଦ ଖାନଙ୍କ ନାମ ମଧ୍ୟ ରହଛି।

ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି ଧାରା ୧୨୦-ବି (ଷଡଯନ୍ତ୍ର), ୧୯୫ (ମିଥ୍ୟା ପ୍ରମାଣ ଦେବା), ୩୮୬ (ଭୟଭୀତ କରାଇବା), ୩୮୮ (ଧମକ ଦେବା), ୫୦୪ (ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ୫୦୬ (ଅପରାଧିକ ଧମକ) ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ କହିଛି।

ବିଜେପି ସାଂସଦଙ୍କ ପତ୍ନୀ ମଧ୍ୟ ଏଫ୍ଆଇଆରରେ ଅଭିଯୋଗ କରିଛନ୍ତି ଯେ ଅପର୍ଣ୍ଣା ତାଙ୍କୁ ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଅଣ୍ଡରୱାର୍ଲ୍ଡ ସହିତ ସମ୍ପର୍କ ଅଛି। ସେ ଅଭିଯୋଗ କରିଛନ୍ତି ଯେ ଅପର୍ଣ୍ଣା ୨୦ କୋଟି ଟଙ୍କା ଦାବି କରି ତାଙ୍କ ସ୍ବାମୀଙ୍କ ନାମରେ ଏଭଳି ଘୃଣ୍ୟ ଅଭିଯୋଗ ଆଣିଛନ୍ତି।

ଏହି ପ୍ରସଙ୍ଗରେ ମୁମ୍ବାଇ ପୁଲିସରେ ନିକଟରେ ଅଭିଯୋଗ କରାଯାଇଥିଲା। ଅପର୍ଣ୍ଣା ଏପ୍ରିଲ ୧୫ ତାରିଖରେ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରି ମିଥ୍ୟା ଅଭିଯୋଗ ଆଣିଥିଲେ।

 

ସମ୍ବନ୍ଧିତ ଖବର