ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଗୁଜୁରାଟରେ ୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ ଆଦାନୀ ଗ୍ରୁପ୍‌

ମୁମ୍ବାଇ: ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଗୁଜୁରାଟରେ ଗ୍ରୀନ୍‌ ଏନର୍ଜି ଆଣ୍ଡ୍‌ ରିନ୍ୟୁଏବଲ୍‌ ସେକ୍ଟର (ସବୁଜ ଶକ୍ତି ଏବଂ ନବୀକରଣ ଯୋଗ୍ୟ କ୍ଷେତ୍ରରେ) ୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାର ଯୋଜନା ରଖିଛି ଆଦାନୀ ଗ୍ରୁପ୍। ବୁଧବାର ଏ ସଂପର୍କରେ ଗ୍ରୁପ୍‌ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି। ଭାଇବ୍ରାଣ୍ଟ୍‌ ଗୁଜୁରାଟ ସମ୍ମିଳନୀ ୨୦୨୪ରେ ଯୋଗ ଦେଇ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏହି ଘୋଷଣା କରିଛନ୍ତି।
ସମ୍ମିଳନୀରେ ଆଦାନୀ ପୁଞ୍ଜି ବିନିଯୋଗର ରଣନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ଆମେ ଆତ୍ମନିର୍ଭର ଭାରତ ପାଇଁ ସବୁଜ ଯୋଗାଣ ଶୃଙ୍ଖଳା ବିସ୍ତାର କରୁଛୁ ଏବଂ ସର୍ବବୃହତ ଏକୀକୃତ, ଅକ୍ଷୟ ଶକ୍ତିର ଇକୋସିଷ୍ଟମ ସୃଷ୍ଟି କରୁଛୁ। ଫଳରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ୍‌ ଗୁଜୁରାଟରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିବ।’’

ଏହି ମଲ୍ଟି ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ଅନେକ ଉଦ୍ଭାବନ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଗୁଜୁରାଟରେ ଅକ୍ଷୟ ଶକ୍ତି କ୍ଷେତ୍ରର ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ରହିବ। ଆଦାନୀ ସୂଚାଇ ଦେଇଛନ୍ତି ଯେ ଏହି ବିନିଯୋଗ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ୧ ଲକ୍ଷ ଚାକିରି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଗୁଜୁରାଟ ପାଇଁ ସଂଗଠନର ପୁଞ୍ଜି ବିନିଯୋଗ ଯୋଜନା ବିଷୟରେ ବର୍ଣ୍ଣନା କରିବା ବ୍ୟତୀତ ଆଦାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ହାସଲ କରିଥିବା ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ଅ‌ାଲୋକପାତ କରିଛନ୍ତି।

ସେ ୨୦୧୪ ମସିହାରୁ ଭାରତର ଜିଡିପି ଅଭିବୃଦ୍ଧି ଏବଂ ମୁଣ୍ଡପିଛା ଆୟ ଉପରେ ଆଲୋକପାତ କରି କହିଛନ୍ତି ଯେ “ଆହୁରି ଭଲ ଦିନ ଆସିବ”। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର ଭାରତ ଆସନ୍ତାକାଲିର ବିଶ୍ୱ ଭବିଷ୍ୟତ ଗଠନ ପାଇଁ ପ୍ରସ୍ତୁତ ଅଛି।

ସମ୍ବନ୍ଧିତ ଖବର