ବିଜେପି ଏତେ ବଡ ହୋଇଯାଇଛି ଯେ କର୍ମୀଙ୍କ ଅବଦାନ ଆଉ ଦେଖିପାରୁନାହିଁ: ଇସ୍ତଫା ଦେଇ ଏଭଳି କହିଲେ ଗୋଆର ମନ୍ତ୍ରୀ

ପାଣାଜୀ: ଗୋଆରେ ବିଜେପିକୁ ବଡ ଝଟକା ଲାଗିଛି | ଗୋଆରେ ବିଜେପି ସରକାରରେ ମନ୍ତ୍ରୀ ଥିବା ମାଇକେଲ ଲୋବୋ ମନ୍ତ୍ରୀ ଓ ବିଧାନସଭା ପଦରୁ ଇସ୍ତଫା ଦେଇଛନ୍ତି। ଲୋବୋ କଂଗ୍ରେସ ସହିତ ହାତ ମିଳାଇବାର ସମ୍ଭାବନା ରହିଛି। ତାଙ୍କ ଇସ୍ତଫା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ପାଇଁ କେନ୍ଦ୍ର କିମ୍ବା ରାଜ୍ୟର କୌଣସି ନେତାଙ୍କୁ ଦାୟୀ କରିନାହାଁନ୍ତି। ସେ କହିଛନ୍ତି ଯେ ମୋ ପ୍ରତି ହେଉଥିବା ବ୍ୟବହାର ହେତୁ ମୁଁ ବିରକ୍ତ ହୋଇଥିଲି। ତୃଣମୂଳ ସ୍ତରର କର୍ମୀମାନଙ୍କୁ ଅଣଦେଖା କରାଯାଇଛି। ମୁଁ ନିଜ ଆଖିରେ ଦେଖିଛି, କାନରେ ଶୁଣିଛି |

ଦଳ ଏତେ ବଡ ହୋଇଛି ଯେ ତୃଣମୂଳ ସ୍ତରର କର୍ମୀଙ୍କ ଅବଦାନକୁ ଆଉ ସମ୍ମାନ ମିଳୁନାହିଁ । ଅନେକ ଲୋକ ଅଭିଯୋଗ କରିବାକୁ ମୋ ପାଖକୁ ଆସିଥିଲେ। ପାର୍ଟିରେ ବିଶୃଙ୍ଖଳା ଦେଖାଦେଇଛି, ତଥାପି କର୍ମୀମାନଙ୍କୁ ଅଣଦେଖା କରାଯାଇପାରିବ ନାହିଁ’। ଲୋବୋ କହିଛନ୍ତି, “ମୁଁ ଦୀର୍ଘ ଦିନ ଧରି ଏହା କହୁଛି କିନ୍ତୁ ଶୁଣିବାକୁ କେହି ପ୍ରସ୍ତୁତ ନଥିଲେ’। ସେ କହିଛନ୍ତି ଯେ ସେ ଅନେକ ରାଜନୈତିକ ଦଳ ସହ ଆଲୋଚନା କରୁଛନ୍ତି, କିନ୍ତୁ ତାଙ୍କ ଭବିଷ୍ୟତ କଣ ହେବ ସେନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ।

ସୂଚନା ଥାଉ କି ପ୍ରମୋଦ ସାୱନ୍ତଙ୍କ କ୍ୟାବିନେଟର ଲୋବୋ ଅନ୍ୟତମ ସଦସ୍ୟ ଥିଲେ। ସେ ହେଉଛନ୍ତି ତୃତୀୟ ଖ୍ରୀଷ୍ଟିଆନ ବିଧାୟକ ଯିଏ ଦଳରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ଦଳ ଏକ ଭିନ୍ନ ମୋଡ଼ ନେଇଛି ବୋଲି ଏହି ତିନିଜଣ କହିଛନ୍ତି। ଲୋବୋଙ୍କ ପୂର୍ବରୁ ଦୁଇ ବିଜେପି ବିଧାୟକ ଆଲିନା ସଲଦାନହା ଏବଂ କାର୍ଲୋସ ଆଲମାଇଡା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।

ସମ୍ବନ୍ଧିତ ଖବର