କର୍କଟ ରୋଗ ଠାରୁ ବି ଭୟଙ୍କର ‘ଇଣ୍ଡିଆ ମେଣ୍ଟ’: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କହିଛନ୍ତି ଯେ ସପା ଏବଂ କଂଗ୍ରେସ ତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଉଚ୍ଛେଦ କରିବେ, ସରକାରଙ୍କ ଦ୍ୱାରା ନିର୍ମିତ ଘର ଗୁଡ଼ିକୁ ଛଡ଼ାଇ ନେବେ, ଲୋକଙ୍କ ଜନଧନ ଆକାଉଣ୍ଟ ବନ୍ଦ କରିବେ, ବିଦ୍ୟୁତ୍‌ ସଂଯୋଗ କାଟିବେ ଏବଂ ପାଣି ଟ୍ୟାପ୍‌ ହଟାଇବେ।

‘ଇଣ୍ଡିଆ ମେଣ୍ଟ’ କର୍କଟ ଠାରୁ ମଧ୍ୟ ଖରାପ ରୋଗ ବୋଲି ଉଲ୍ଲେଖ କରି ମୋଦୀ କହିଛନ୍ତି ଯେ ’ଇଣ୍ଡି ମେଣ୍ଟ’ର ସହଯୋଗୀ ଦଳଗୁଡ଼ିକ କଠୋର ସାମ୍ପ୍ରଦାୟିକ, ଜାତିବାଦୀ ଏବଂ ପରିବାର କେନ୍ଦ୍ରୀତ। ଏହି ରୋଗ ଦେଶ ପାଇଁ କର୍କଟ ଠାରୁ ବି ଭୟଙ୍କର ବୋଲି ସେ କହିଛନ୍ତି।

ଉତ୍ତରପ୍ରଦେଶର ଶ୍ରାବସ୍ତିରୁ ବିଜେପି ପ୍ରାର୍ଥୀ ସାକେତ ମିଶ୍ରଙ୍କ ସମର୍ଥନରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମୋଦୀ ଏହା କହିଛନ୍ତି। ମୋଦୀ କହିଛନ୍ତି ଯେ ଯେତେବେଳେ ଲୋକମାନେ ସେମାନଙ୍କୁ ପଚାରନ୍ତି ଯେ ସେମାନେ ଗତ ୬୦ ବର୍ଷ ମଧ୍ୟରେ କ’ଣ କରିଛନ୍ତି, ସେମାନେ ସେମାନଙ୍କର କାର୍ଡ ବାହାର କରନ୍ତି, ଯାହା ସମାଜକୁ ବିଭାଜିତ କରିବା ଏବଂ ଭୋଟ୍‌ ଜିହାଦ କରାଇବା ପାଇଁ ଉଦ୍ଦିଷ୍ଟ।

‘ଇଣ୍ଡିଆ ମେଣ୍ଟ’ର ସହଯୋଗୀ ଦଳମାନେ ତୁଷ୍ଟୀକରଣ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରି ସେ କହିଛନ୍ତି, କଂଗ୍ରେସ କହୁଛି ଦେଶର ସମ୍ପତ୍ତି ଉପରେ ପ୍ରଥମ ଅଧିକାର ମୁସଲମାନଙ୍କର। କିନ୍ତୁ ମୋଦୀ କହୁଛନ୍ତି ଦେଶର ଗରିବଙ୍କ ସମ୍ପତ୍ତି ଉପରେ ପ୍ରଥମ ଅଧିକାର ରହିଛି।

କଂଗ୍ରେସ ଆପଣଙ୍କ ରୋଜଗାର ଛଡ଼ାଇ ଭୋଟ ଜିହାଦ କରୁଥିବା ନିଜ ଭୋଟ୍‌ ବ୍ୟାଙ୍କକୁ ଦେବାକୁ ଚାହୁଁଛି ବୋଲି ସେ ଜନସାଧାରଣଙ୍କୁ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ମୋଦୀ ୪ କୋଟି ଗରିବ ଲୋକଙ୍କୁ ସ୍ଥାୟୀ ଘର ଦେଇଛନ୍ତି। ଏବେ ସପା ଓ କଂଗ୍ରେସ ସବୁ କିଛି ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି, ଅର୍ଥାତ୍‌ ସେମାନେ ଆପଣଙ୍କ ଠାରୁ ୪ କୋଟି ଘରର ଚାବି ନେବେ, ଘର ଛଡ଼ାଇ ନେବେ ଏବଂ ସେମାନଙ୍କ ଭୋଟ୍‌ ବ୍ୟାଙ୍କକୁ ଦେବେ।

ଏହାବ୍ୟତୀତ ମୋଦୀ ୫୦ କୋଟିରୁ ଅଧିକ ଲୋକଙ୍କ ଜନଧନ ଆକାଉଣ୍ଟ ଖୋଲିଛନ୍ତି। ସେମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରି ଆପଣଙ୍କ ଟଙ୍କା ନେଇଯିବେ। ମୋଦୀ ପ୍ରତ୍ୟେକ ଗାଁକୁ ବିଜୁଳି ଯୋଗାଇଦେଲେ, ଆପଣଙ୍କ ଘରେ ଥିବା ବିଦ୍ୟୁତ୍‌ ସଂଯୋଗ କାଟି ପୁଣି ଅନ୍ଧାର କରିଦେବେ।

ସମ୍ବନ୍ଧିତ ଖବର