ଭାରତୀୟଙ୍କୁ ମିଳିଲା ଆଶ୍ୱସ୍ତି

ଓ୍ଵାସିଂଟନ: ଟ୍ରମ୍ପ ପ୍ରଶାସନ ଏଚ୍‌-୧ବି ଭିସା ନିୟମରେ ପରିବର୍ତ୍ତନ ସଂକ୍ରାନ୍ତୀୟ ମାମଲାର ଶୁଣାଣି ଘୁଞ୍ଚାଇବା ପରେ ବିଶେଷ କରି ଏହି ଭିସା ମାଧ୍ୟମରେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ସାମାନ୍ୟ ନିସ୍ତାର ମିଳିଛି। ଏହି ଭିସା ଦ୍ୱାରା ଆମେରିକାରେ ଚାକିରୀ କରୁଥିବା ବ୍ୟକ୍ତିଙ୍କ ସ୍ୱାମୀ ବା ସ୍ତ୍ରୀଙ୍କୁ ମଧ୍ୟ କାମ କରିବାର ସୁଯୋଗ ମିଳିଥାଏ। ମାତ୍ର ଟ୍ରମ୍ପ ପ୍ରଶାସନର ‘ବାୟ ଆମେରିକାନ,ହାୟର ଆମେରିକାନ’ପଲିସି ମୁତାବକ, ଆମେରିକୀୟଙ୍କୁ ଚାକିରୀର ସମସ୍ତ ସୁଯୋଗ ଦେବା ପାଇଁ ଏହି ଭିସା ନିୟମରେ ପରିବର୍ତ୍ତନ କରାଯିବ ଓ ସେମାନଙ୍କୁୁ ଗ୍ରୀନ୍‌ କାର୍ଡ ଯୋଗେ ସ୍ଥାୟୀ ବାସିନ୍ଦା କରାଯିବ ନାହିଁ ବୋଲି ହ୍ଵାଇଟ ହାଉସ ପକ୍ଷରୁ ସୂଚନା ମିଳିବା ପରେ ସମସ୍ତ ଭିସା ଧାରକ ଏନେଇ ଚିନ୍ତିତ ଥିଲେ। ମିଳିଥିବା ଖବର ମୁତାବକ, ଆମେରିକାର ଅନ୍ତ୍ରୀଣ ସୁରକ୍ଷା ବିଭାଗ (ଡିଏଚ୍‌ଏସ୍‌) ସ୍ଥାନୀୟ ଅଦାଲତଙ୍କୁ ଦେଇଥିବା ଉତ୍ତରରେ କହିଛନ୍ତି ଯେ, ଏଚ୍‌-୧ବି ଭିସା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏନେଇ ନିଷ୍ପତ୍ତି ନେବାକୁ ସରକାରଙ୍କ ପର୍ଯ୍ୟାପ୍ତ ସମୟ ଆବଶ୍ୟକ। ତେଣୁ ଆସନ୍ତା ଜୁନ୍‌ ମାସରେ ହ୍ଵାଇଟ ହାଉସ୍‌ ଏହି ଭିସା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ଭିସା ମାଧ୍ୟମରେ ଆମେରିକାରେ ରହୁଥିବା ବିଦେଶୀ ନାଗରିକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ହେଉଛନ୍ତି ଭାରତୀୟ।

ସମ୍ବନ୍ଧିତ ଖବର