ସରିଲା ବିରୋଧୀ ଦଳଙ୍କ ମାନସମନ୍ଥନ, ଶିମଲାରେ ହେବ ପରବର୍ତ୍ତୀ ବୈଠକ

ପାଟନା: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ ଆଜି ବିହାରର ପାଟନାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଆଜିକାର ବୈଠକରେ ୩୦ରୁ ଅଧିକ ବିରୋଧୀଦଳ ସାମିଲ ହୋଇଥିଲେ। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ -୨୦୨୪ରେ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ବିରୋଧୀ ଦଳର ଏହି ବୈଠକ ପ୍ରାୟ ୪ ଘଣ୍ଟା ଧରି ଚାଲିଥିବାବେଳେ ଏହି ବୈଠକ ପରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ଉଦ୍ଧବ ଠାକରେ ଏବଂ ଆମେ ଗତ ୨୫ ବର୍ଷ ଧରି ପରସ୍ପର ବିରୋଧରେ ନିର୍ବାଚନ ଲଢୁଥିଲୁ, କିନ୍ତୁ ସବୁକିଛି ଭୁଲି ଆମେ ଏକାଠି ହୋଇଥିଲୁ। ନୀତୀଶ କୁମାର କହିଛନ୍ତି ଯେ ଆମେ ସମସ୍ତେ ଏକାଠି ରହିବୁ, ୧୦୦ଟି ଆସନରେ ବିଜେପିକୁ ହରେଇବୁ । ଯଦି ଆମେ ସମସ୍ତେ ଏକାଠି ରହିବୁ, ତେବେ ବିଜେପି ନିଶ୍ଚିତ ଭାବେ ପରାସ୍ତ ହେବ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶକୁ ବଞ୍ଚାଇବା ପାଇଁ କଂଗ୍ରେସ ବଳିଦାନ ଦେବାକୁ ପ୍ରସ୍ତୁତ। ବିରୋଧୀ ଦଳର ବୈଠକର ବଡ କଥା ହେଉଛି ଆମେ ସମସ୍ତେ ଏକାଠି ହେବୁ । ବିରୋଧୀ ଦଳଙ୍କ ପରବର୍ତ୍ତୀ ବୈଠକ ଶିମଲାରେ ଅନୁଷ୍ଠିତ ହେବ ଏବଂ ଖୁବ ଶୀଘ୍ର ତାରିଖ ଘୋଷଣା କରାଯିବ। ଉଲ୍ଲେଖ ଥାଉ କି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦ୍ୱାରା ଆୟୋଜିତ ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା। ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଏନସିପି ଅଧ୍ୟକ୍ଷ ଶରଦ ପାୱାର, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ନ୍ୟାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ନେତ୍ରୀ ମେହବୁବା ମୁଫତି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ବୈଠକରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର