ବିଜେପି ବିରୋଧୀ ମେଣ୍ଟ, ରାହୁଲ, ପାୱାରଙ୍କୁ ଭେଟିଲେ ନାଇଡ଼ୁ

କଂଗ୍ରେସ-ଟିଡିପି ମେଣ୍ଟ ଘୋଷଣା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ମେଣ୍ଟ ଗଠନ ପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। କିଛି ମାସ ତଳେ ଏନ୍‌ଡିଏରୁ ଅଲଗା ହୋଇଯାଇଥିବା ଟିଡିପି ସୁପ୍ରିମୋ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏ ଦିଗରେ ସକ୍ରିୟ ହୋଇଉଠିଥିବା ବେଳେ ଆଜି ଦିଲ୍ଲୀରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ ନ୍ୟାସ୍‌ନାଲ କନ୍‌ଫରେନ୍‌ସ ନେତା ଫାରୁକ୍‌ ଅବଦୁଲ୍ଲାଙ୍କ ସହିତ ଆଲୋଚନା କରିଛନ୍ତି। ସମସ୍ତ ବିରୋଧୀ ଦଳକୁ ଏକଜୁଟ୍‌ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାୟ ୧୪ଟି ଦଳ ମିଳିତ ହେବେ ବୋଲି ନାଇଡ଼ୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କ୍ଷମତାରୁ ବିଜେପିକୁ ହଟାଇବା ଏବଂ ଦେଶରେ ଏକାଚାଟିଆ ଶାସନର ପରିସମାପ୍ତି ଘଟାଇବା ଏହି ବୈଠକର ଉଦ୍ଦେଶ୍ୟ ଥିଲା ବୋଲି ନାଇଡ଼ୁ କହିଛନ୍ତି। ଶରଦ ପାୱାର କହିଛନ୍ତି ଯେ ଦେଶ ଏବଂ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ବିରୋଧୀ ଦଳ ଏକଜୁଟ୍‌ ହେବାକୁ ହେବ। ସିବିଆଇ ସଙ୍କଟ ପ୍ରସଙ୍ଗ ଉଲ୍ଲେଖ କରି ଫାରୁକ୍‌ ଅବଦୁଲ୍ଲା କହିଛନ୍ତି, ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସଂସ୍ଥା ଏବେ ବିପଦରେ ରହିଛି ଏବଂ ସିବିଆଇ ଏହାର ଏକ ଜ୍ବଳନ୍ତ ପ୍ରମାଣ। ନାଇଡ଼ୁ ଆଜି ବାମଦଳ ନେତାମାନଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ରାହୁଲଙ୍କୁ ଭେଟିବା ପରେ ନାଇଡ଼ୁ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍‌ କରିବା ପ୍ରୟାସ ସାକାର ହେଲେ ଦେଶର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିବ। ଅତୀତର ତିକ୍ତତାକୁ ଭୁଲି ସମସ୍ତ ହାତ ମିଳାଇଲେ ଦେଶର ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି। ନାଇଡ଼ୁଙ୍କ ବୟାନକୁ କଂଗ୍ରେସ ସ୍ବାଗତ କରିଥିବା ବେଳେ ୨୦୧୯ ନିର୍ବାଚନ ପାଇଁ ଟିଡିପି-କଂଗ୍ରେସ ମେଣ୍ଟ କରିବେ ବୋଲି ଘୋଷଣା କରାଯାଇଛି। ନାଇଡ଼ୁଙ୍କ ମଧ୍ୟସ୍ଥତାରେ କଂଗ୍ରେସ-ଆପ୍‌-ଏସ୍‌ପି-ବିଏସ୍‌ପି ନେତାଙ୍କ ଆଲୋଚନା ମଧ୍ୟ ଖୁବ୍‌ଶୀଘ୍ର ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର