ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଜଳ ସଂକ୍ରାନ୍ତ ସର୍ବଭାରତୀୟ ରାଜ୍ୟମନ୍ତ୍ରିସ୍ତରୀୟ ସମ୍ମିଳନୀକୁ ଭିଡିଓ ବାର୍ତ୍ତା ଜରିଆରେ ଆଜି ସମ୍ବୋଧିତ କରିଛନ୍ତି। ସମ୍ମିଳନୀର ବିଷୟବସ୍ତୁ ହେଉଛି “ୱାଟର ଭିଜନ@୨୦୪୭’ ଏବଂ ଏହି ମଞ୍ଚର ଲକ୍ଷ୍ୟ ହେଉଛି ସ୍ଥାୟୀ ନିରନ୍ତର ଓ ମାନବ ବିକାଶ ନିମନ୍ତେ ଜଳ ସମ୍ପଦର ଉପଯୋଗ ତଥା ଏ ଦିଗରେ ନୀତି ନିର୍ଦ୍ଧାରକମାନଙ୍କ ଦ୍ୱାରା ଆଲୋଚନା ମାଧ୍ୟମରେ ନିଷ୍ପତ୍ତି।

Advertisment

ସମବେତ ଅତିଥିମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରଥମ ସର୍ବଭାରତୀୟ ରାଜ୍ୟମନ୍ତ୍ରୀମାନଙ୍କ ଜଳ ସମ୍ବିଳନୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜଳସୁରକ୍ଷା ଦିଗରେ ଭାରତ ଯେଉଁ ପଦକ୍ଷେପମାନ ଗ୍ରହଣ କରିଛି ସେ ତାହା ଉପରେ କହିଥିଲେ। ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଗୁଡ଼ିକ ଉଦ୍ୟମ କରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। କେବଳ ସରକାରୀ ଉଦ୍ୟମ ଦ୍ୱାରା ସଫଳତା ହାସଲ ହୁଏନାହିଁ ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ ଦିଗରେ ଜନସାଧାରଣ, ସାମାଜିକ ସଂଗଠନ ଓ ବେସାମରିକ ସମାଜର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଥିଲେ ଯେ ଜନସାଧାରଣଙ୍କ ସହଯୋଗ ଯୋଗୁଁ ସରକାରଙ୍କ ଉତ୍ତରଦାୟିତ୍ୱ ହ୍ରାସ ପାଏ ନାହିଁ। ଜନସାଧାରଣଙ୍କ ଉପରେ ସବୁ ଦାୟିତ୍ୱ ମଧ୍ୟ ଲଦି ଦେବା ଏହାର ଉଦ୍ଦେଶ୍ୟ ନୁହଁ। ଯେତେବେଳେ ଜନସାଧାରଣ ଏକ ଅଭିଯାନ ସହ ଯୋଡି ହୁଅନ୍ତି, ସେମାନେ କାର୍ଯ୍ୟର ଗୁରୁତ୍ୱକୁ ଉପଲବ୍ଧି କରିଥାନ୍ତି। ସେଥିପାଇଁ ଯେକୌଣସି ଯୋଜନା ଓ ଅଭିଯାନ ନେଇ ଜନସାଧାରଣଙ୍କ ମନରେ ଏକ ମାଲିକାନା ମନୋବୃତ୍ତି ମଧ୍ୟ ଆସିଥାଏ ବୋଲି ସେ କହିଥିଲେ।

ଜଳ ଉଭୟ କାରଖାନା ଓ କୃଷି କ୍ଷେତ୍ର ପାଇଁ ଆବଶ୍ୟକ। ଫସଲ ବିବିଧୀକରଣ ଓ ଜୈବିକ କୃଷି ପଦ୍ଧତିର ଉଦାହରଣ ଦେଇ ଏହା ଜଳ ସଂରକ୍ଷଣରେ ସହାୟକ ହେଉଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀ କୃଷି ଓ ଜଳସେଚନ ଯୋଜନା ଅଧୀନରେ ‘ପ୍ରତି ବୁନ୍ଦା ଜଳ, ଅଧିକ ଅମଳ’ ଅଭିଯାନ ଉପରେ ଆଲୋକପାତ କରି ଏ ପର୍ଯ୍ୟନ୍ତ ଦେଶରେ ୭୦ଲକ୍ଷ ହେକ୍ଟରରୁ ଅଧିକ ଜମି ଅଣୁ-ଜଳସେଚନ ଅଧୀନକୁ ଆସିପାରିଛି ବୋଲି କହିଥିଲେ।
ଜଳ ସଂରକ୍ଷଣ ନିମନ୍ତେ ଜଙ୍ଗଲ ବୃଦ୍ଧିର ଆବଶ୍ୟକତା ଅଛି। ସ୍ଥାନୀୟଭାବେ ଉପଲବ୍ଧ ଜଳ ଉତ୍ସଗୁଡିକର ସଂରକ୍ଷଣ ଉପରେ ଧ୍ୟାନ ଆକର୍ଷଣ କରି ଗ୍ରାମ ପଞ୍ଚାଯତଗୁଡିକ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ଜଳ ଯୋଗାଣଠାରୁ ଆରମ୍ଭ କରି ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବା ଉଚିତ। କେଉଁ ଗ୍ରାମରେ କେତେ ପାଣି ଦରକାର ଓ ସେଥିପାଇଁ କି ପଦକ୍ଷେପ ନିଆଯାଇ ପାରିବ ତାହା ଅନୁଧ୍ୟାନ କରି ପଞ୍ଚାୟତ ସ୍ତରରେ ଜଳ ବଜେଟ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ବର୍ଷାକୁ ଅପେକ୍ଷା କରିବା ପରିବର୍ତ୍ତେ ବର୍ଷା ଋତୁ ପୂର୍ବରୁ ସମସ୍ତ ଯୋଜନା କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ପ୍ରଥମ ବାର୍ଷିକ ରାଜ୍ୟ ଜଳମନ୍ତ୍ରୀମାନଙ୍କ ସମ୍ମିଳନୀରେ ସବୁ ରାଜ୍ୟର ଜଳ ସମ୍ପଦ ମନ୍ତ୍ରୀମାନେ ଯୋଗଦେଇଥିଲେ।