ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ, ୱାୟନାଡ଼ରେ ହେବ ଉପନିର୍ବାଚନ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଶକ୍ତ ଝଟ୍‌କା ଲାଗିଛି। ରାହୁଲ ୨୦୧୯ ମସିହାର ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇବାର ଦିନକ ପରେ ଆଜି ତାଙ୍କ ଲୋଭସଭା ସଦସ୍ୟତା ରଦ୍ଦ ହୋଇଛି। ଲୋକସଭା‌ ସଚିବାଳୟ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରି ରାହୁଲଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ ତାରିଖରେ ରାହୁଲ ଦୋଷୀସାବ୍ୟସ୍ତ ହୋଇଥିବାରୁ ଏହି ଦିନଠାରୁ ହିଁ ନିଷ୍ପତ୍ତି କାର୍ଯ୍ୟକାରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ରାହୁଲଙ୍କ ସଦସ୍ୟତା ରଦ୍ଦ ହେବାସହ ରାହୁଲ ପ୍ରନିନିଧିତ୍ବ କରୁଥିବା ୱାୟନାଡ଼ ନିର୍ବାଚନମଣ୍ଡଳୀ ଏବେ ଖାଲି ହୋଇଯାଇଛି। ନିର୍ବାଚନ କମିସନ ଏହି ଆସନରେ ଉପନିର୍ବାଚନ ପାଇଁ ଘୋ‌ଷଣା କରିପାରନ୍ତି। ଲୋକସଭା ସଚିବାଳୟର ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, କେରଳର ୱାୟନାଡ଼ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଥିବା ଶ୍ରୀ ରାହୁଲ ଗାନ୍ଧି ଦୋଷୀସାବ୍ୟସ୍ତ ହେବା ଦିନଠାରୁ ହିଁ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ କର‌ାଯାଇଛି। ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୮ (୩) ଅନୁଯାୟୀ ସଂସଦର ସଦସ୍ୟ ଯଦି କୌଣସି ଅପରାଧରେ ଦୋଷୀସାବ୍ୟସ୍ତ ହୋଇ ୨ବର୍ଷ ଜେଲ୍‌ ଦଣ୍ଡ ପାଆନ୍ତି ତେବେ ସେ ସଂସଦରୁ ଅଯୋଗ୍ୟ ଘୋଷିତ ହେବେ। ମିଳିଥିବା ସୂଚନାନୁଯାୟୀ ରାହୁଲ ଗାନ୍ଧି ତାଙ୍କ ସରକାରୀ ବାସଭବନ ଛାଡ଼ିବାପାଇଁ ମାସେ ସମୟ ପାଇବେ।

ତେବେ ରାହୁଲ ଅଯୋଗ୍ୟ ଘୋଷିତ ହେବା ଘଟଣାକୁ କଂଗ୍ରେସ ତୀବ୍ର ବିରୋଧ କରିଛି। କଂଗ୍ରେସ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲଗାତାର ଟାର୍ଗେଟ୍‌ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମୁହଁ ବନ୍ଦ କରିବାପାଇଁ ଷଡ଼୍‌ଯନ୍ତ୍ର ହୋଇଛି। କଂଗ୍ରେସ କହିଛି ଆମେ ଉଭୟ ଆଇନଗତ ଏବଂ ରାଜନୈତିକ ଭାବେ ଏହି ଯୁଦ୍ଧ ଲଢ଼ିବୁ। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ଆମକୁ କେହି ଭୟଭୀତ କରିପାରିବେନି କି ଚୁପ୍‌ କରିପାରିବେନି। ଶିଳ୍ପପତି ଆଦାନି ମାମଲାରେ ଜେପିସି ତଦନ୍ତ ପରିବର୍ତ୍ତେ ରାହୁଲଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି କଂଗ୍ରେସ କହିଛି। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ରାହୁଲଙ୍କ ବିରୋଧରେ ଏତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଦେଖି ମୁଁ ଆଶ୍ଚର୍ଯ୍ୟ। ଏହା ଗଣତନ୍ତ୍ର ପାଇଁ ଏକ ଅଶୁଭ ସଙ୍କେତ।

ତେବେ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ସମର୍ଥନ କରି କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ର ମନ୍ତ୍ରୀ ଏସ୍‌ପିଏସ ବାଘେଲ କହିଛନ୍ତି, ଯେଉଁ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ତାହା ନ୍ୟାୟସଙ୍ଗତ। କେହି ଆଇନର ଊର୍ଦ୍ଧ୍ବରେ ନୁହନ୍ତି। ନିକଟରେ ଉତ୍ତରପ୍ରଦେଶରେ ଜଣେ ବିଜେପି ବିଧାୟକ ଅପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ତାଙ୍କ ସଦସ୍ୟତା ରଦ୍ଦ ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାହୁଲଙ୍କ ସଦସ୍ୟତା ରଦ୍ଦ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ମମତା କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ଭାରତରେ ବିରୋଧୀ ନେତାମାନେ ବିଜେପିର ମୁଖ୍ୟ ଟାର୍ଗେଟ୍‌ରେ ରହୁଛନ୍ତି। ଅନ୍ୟପକ୍ଷେ ଅପରାଧିକ ପୃଷ୍ଠଭୂମିର ବିଜେପି ନେତାମାନଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳୁଛି। ବିରୋଧୀ ନେତାଙ୍କୁ ସେମାନଙ୍କ ଟିପ୍ପଣୀ ପାଇଁ ଅଯୋଗ୍ୟ‌ ଘୋଷଣା କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର