କମିବାର ନାମ ନେଉନାହିଁ ରିବାବାଙ୍କ ଟେନସନ୍: ନଣନ୍ଦଙ୍କ ପରେ ଏବେ ବିରୋଧ କଲେ ଶ୍ୱଶୁର

ଜାମନଗର: ଡିସେମ୍ବର ୧ ଏବଂ ୫ ତାରିଖରେ ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ତେବେ ବର୍ତ୍ତମାନ ଗୁଜୁରାଟର ଜାମନଗର ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ ଏଠାରୁ କ୍ରିକେଟର ରବିନ୍ଦ୍ର ସିଂ ଜାଡେଜାଙ୍କ ପତ୍ନୀ ରିବାବା ବିଜେପି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧରେ ଖୁଲମଖୁଲା ନିର୍ବାଚନ ପ୍ରଚାର କରୁଛନ୍ତି ତାଙ୍କ ନଣନ୍ଦ ତଥା ରବିନ୍ଦ୍ରଙ୍କ ଭଉଣୀ | ଏହାକୁ ନେଇ ରିବାବା ଟେନସନରେ ପଡିଯାଇଥିବାବେଳେ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି | ବାସ୍ତବରେ ରିବାବାଙ୍କ ଶ୍ୱଶୁର ତଥା ରବିନ୍ଦ୍ରଙ୍କ ପିତା ଅନିରୁଦ୍ଧ ସିଂ ଜାଡେଜାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଗୁଜୁରାଟର ଜାମନଗର ଉତ୍ତର ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଥିବା ଦେଖିବାକୁ ମିଳିଛି।

କ୍ରିକେଟରଙ୍କ ପତ୍ନୀ ରିବାବା ଜାଡେଜା ସମାନ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବାରୁ ଅନିରୁଦ୍ଧ ସିଂ ଜାଡେଜାଙ୍କ ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନିରୁଦ୍ଧ କହିଛନ୍ତି ଯେ କଂଗ୍ରେସ ପ୍ରାର୍ଥୀ ମୋର ସାନ ଭାଇ ପରି। ମୁଁ ବିଶେଷ କରି ରାଜପୁତ ଭୋଟରଙ୍କୁ ଭୁପେନ୍ଦ୍ର ସିଂଙ୍କୁ ଭୋଟ୍ ଦେବାକୁ ନିବେଦନ କରୁଛି। ଅନ୍ୟପଟେ କ୍ରିକେଟର ରବିନ୍ଦ୍ର ସିଂ ଜାଡେଜା ଜାମନଗରରେ ତାଙ୍କ ପତ୍ନୀଙ୍କ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି | କୁହାଯାଉଛି ଯେ ରବିନ୍ଦ୍ର ସିଂ ଜାଡେଜାଙ୍କ ଭଉଣୀ ନୟନବା ଜାଡେଜା ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଛୁକ ଥିଲେ। କିନ୍ତୁ ଯେତେବେଳେ ବିଜେପି ରିବାବା ଜାଡେଜାଙ୍କ ନାମ ଘୋଷଣା କଲା, ସେତେବେଳେ କଂଗ୍ରେସ ନୟନବାଙ୍କୁ ଛାଡି ଭୁପେନ୍ଦ୍ର ସିଂଙ୍କୁ ମନୋନୀତ କରିଥିଲା। ଆଉ ଏଥିରେ ଖପ୍ପା ହୋଇ ନୟନବା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ଏବଂ ତାଙ୍କ ଭାଉଜଙ୍କୁ ଟାର୍ଗେଟ କରିବାକୁ କୁଣ୍ଠାବୋଧ କରୁନାହାଁନ୍ତି।

ସୂଚନା ଥାଉ କି ଯେ ଡିସେମ୍ବର ୮ରେ ଗୁଜୁରାଟ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର