ଗ୍ରାମୀଣ ଟ୍ୟାପ୍ ଜଳ ସଂଯୋଗ ୬୨.୮୪% କୁ ବୃଦ୍ଧି

ଭୁବନେଶ୍ବର : ଜୀବନ ରକ୍ଷା, ମହିଳା ସଶକ୍ତୀକରଣ ଏବଂ ଜୀବନଯାପନକୁ ସହଜ କରିବାରେ ଆମେ ନିରାପଦ ପାନୀୟ ଜଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡକ୍ଟର ଭି କେ ପଲ ଆଜି ହର୍‌ ଘର୍‌ ଜଳ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନୂଆ ରିପୋର୍ଟର ଶୁଭାରମ୍ଭ ଅବସରରେ କହିଛନ୍ତି। ଶାରୀରିକ, ମାନସିକ ଏବଂ ଆର୍ଥିକ ଦୃଷ୍ଟିରୁ ବ୍ୟକ୍ତି ଏବଂ ପରିବାରର ଜୀବନରେ ଉନ୍ନତି ଆଣିବା ପାଇଁ କୌଣସି କାର୍ଯ୍ୟକ୍ରମରେ ଏହି ପ୍ରକାରର ପ୍ରତ୍ୟକ୍ଷ ପ୍ରଭାବ ନାହିଁ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମର ଅଗ୍ରଗତିକୁ ଡକ୍ଟର ପଲ୍ ପ୍ରଶଂସା କରି କହିଛନ୍ତି ଯେ ପ୍ରତି ସେକେଣ୍ଡରେ ଏକ ନୂତନ ସଂଯୋଗ ଯୋଡ଼ାଯାଉଛି ଏବଂ ଆଜି ଭାରତରେ ଜନସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସୁଛି।

ଏହି ଘୋଷଣା ସମୟରେ ସଚିବ ଭିନି ମହାଜନ ଜଳ ଜୀବନ ମିସନର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ସେ ଦର୍ଶାଇଛନ୍ତି ଯେ ଗ୍ରାମାଞ୍ଚଳର ଟ୍ୟାପ୍ ଜଳ ସଂଯୋଗ ୨୦୧୯ ରେ ୧୬.୬୪% ଥିଲା। ୪୧ମାସ ମଧ୍ୟରେ ଏହା ୬୨.୮୪% କୁ ବୃଦ୍ଧି ପାଇଛି। ଜଳ ଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ ସଚିବ ଭିନି ମହାଜନ ଏବଂ ସ୍ୱାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ, ଭାରତୀୟ ଚିକିତ୍ସା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବାହଲ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭାରତୀୟ ପ୍ରତିନିଧି ଡକ୍ଟର ରୋଡେରିକୋ ଏଚ୍ ଅଫ୍ରିନ୍ ମଧ୍ୟ ଉପସ୍ଥିତ ଥିଲେ। ନାଗରିକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ହର୍‌ ଘର୍‌ ଜଳର ସଫଳତାକୁ ଆଇସିଏମଆର ଡିଜି ଡକ୍ଟର ବାହଲ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର