ମୁମ୍ବାଇ ସିଟିକୁ ଦ୍ବିତୀୟ ଆଇଏସ୍‌ଏଲ୍‌ ଟ୍ରଫି

କୋଲକାତା: ମୁମ୍ବାଇ ସିଟି ଏଫ୍‌ସି ଦ୍ବିତୀୟ ଥର ପାଇଁ ଆଇଏସ୍‌ଏଲ୍‌ର ଟ୍ରଫି ବିଜେତା ହୋଇଛି। କୋଲ୍‌କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ମୁମ୍ବାଇ ୩-୧ ଗୋଲ୍‌ରେ ମୋହନ ବାଗାନ ସୁପର ଜାଏଣ୍ଟ୍‌ସକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ସୁଦ୍ଧା ଘରୋଇ ମୋହନ ବାଗାନ ୧-୦ରେ ଆଗୁଆ ଥିଲା। ଦ୍ବିତୀୟାର୍ଦ୍ଧ ଘଟଣାବହୁଳ ଥିଲା। ଜାସନ୍‌ କମିଙ୍ଗ୍ସ ୪୪ ମିନିଟ୍‌ରେ ଘରୋଇ ମୋହନ ବାଗାନ୍‌ ପାଇଁ ଗୋଲ୍‌ ସ୍କୋର କରିଥିଲେ। କିନ୍ତୁ ୯ ମିନିଟ୍‌ ପରେ ଜର୍ଜ ପେରେୟା ଡାଏଆଜ୍‌ ଏହାକୁ ଶୁଝିବାରୁ ସ୍ଥିତି ବରାବର ହୋଇଥିଲା। ୮୧ ମିନିଟ୍‌ରେ ବିପିନ୍‌ ସିଂହ ଓ ୯୦+୭ ମିନିଟ୍‌ରେ ଜାକବ ‌ଭଜତୁସ୍‌ ଦୁଇଟି ଗୋଲ୍‌ ଲଦି ମୁମ୍ବାଇକୁ ବିଜେତା କରାଇଥିଲେ। ପୂର୍ବରୁ ୨୦୨୦-୨୧ ସଂସ୍କରଣରେ ମୁମ୍ବାଇ ସିଟି ୨-୧ରେ ଏଟିକେ ମୋହନ ବାଗାନ୍‌କୁ ହରାଇ ବିଜେତା ହୋଇଥିଲା। ରବିବାରର ପରାଜୟ ସହ ଚଳିତ ଋତୁରେ ଡୁରାଣ୍ଡ୍ କପ୍‌ ଓ ଆଇଏସ୍ଏଲ୍ ସିଲ୍ଡ ବିଜେତା‌ ଥିବା ମୋହନ ବାଗାନ ଟ୍ରେବଲ୍ ‌ଗୌରବ ଅର୍ଜନରେ ବିଫଳ ହୋଇଛି।

ସମ୍ବନ୍ଧିତ ଖବର