ହିଜାବ ମାମଲାରେ ମୁସ୍‌ଲିମ ପକ୍ଷଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: ବିବାଦର ସମାଧାନ ଆମେ ନକଲେ କରିବ କିଏ?

ଇସ୍‌ଲାମିକ ଅଭ୍ୟାସ ଉପରେ ଆକ୍ରମଣ ଏକ ଧାରାରେ ପରିଣତ ହେଲାଣି: ମୁସ୍‌ଲିମ ପକ୍ଷ

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନରେ ହିଜାବକୁ ନିଷିଦ୍ଧ କରାଇବା, ମହିଳାଙ୍କୁ ନିଜ ପସନ୍ଦର ପୋଷାକ ପିନ୍ଧିବା, ସ୍ବାଧୀନ ମତ ପ୍ରକାଶ କରିବା ଓ ଗୋପନୀୟତା ଅଧିକାର ଉପରେ ଯୁକ୍ତି କରି ସୁପ୍ରିମ୍‌କୋର୍ଟରେ ମୁସଲିମ ପକ୍ଷରୁ ବୁଧବାର କୁହାଯାଇଛି ଯେ, ଇସଲାମିକ୍ ଅଭ୍ୟାସ, ପରମ୍ପରା ଓ ପୂଜାସ୍ଥଳକୁ ଟାର୍ଗେଟ କରିବା ସଂଖ୍ୟାଗୁରୁ ସମ୍ପ୍ରଦାୟର ଏକ ଧାରାରେ ପରିଣତ ହୋଇଗଲାଣି। ଆବେଦନକାରୀ ଆଲିଆ ଆସାଦିଙ୍କ ତରଫରୁ ଯୁକ୍ତି କରୁଥିବା ବରିଷ୍ଠ ଓକିଲ ରାଜୀବ ଧାବନ କହିଛନ୍ତି ଯେ, ଗୋମାଂସ ପାଇଁ ଲିଞ୍ଚିଂ (ଭିଡ଼ହତ୍ୟା) ହେଉ ବା ଧାର୍ମିକ ସ୍ଥଳ ହେଉ ମୁସଲମାନଙ୍କ ଉପରେ ବହୁସଂଖ୍ୟକମାନେ ଟାର୍ଗେଟ କରୁଛନ୍ତି। ଏହାପରେ ଜଷ୍ଟିସ ହେମନ୍ତ ଗୁପ୍ତ ଓ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଧାବନଙ୍କୁ କହିଥିଲେ ଯେ ସେ ତାଙ୍କର ଯୁକ୍ତି କେବଳ ହିଜାବ ପ୍ରସଙ୍ଗ ଉପରେ ସୀମିତ ରଖନ୍ତୁ। ଧାବନ କହିଲେ ଯେ ଯେ ସୁପ୍ରିମ୍‌କୋର୍ଟ ବିଚାରପତିମାନେ ମୌଲବି ବା ପଣ୍ଡିତ ନୁହନ୍ତି ଯେ କେଉଁଟା ଅତ୍ୟାବଶ୍ୟକ ଧାର୍ମିକ ଅଭ୍ୟାସ ବା କେଉଁଟା ନୁହେଁ ତାହା ସେମାନେ ସ୍ଥିର କରିବେ। ଧର୍ମଗୁରୁମାନେ ଏହା ତାଙ୍କ ଧର୍ମରେ ଅଛି ବୋଲି କହୁଛନ୍ତି ମାନେ କୋର୍ଟ ନାହିଁ ବୋଲି କହିପାରିବେ ନାହିଁ। ଏହାପରେ ଖଣ୍ଡପୀଠ କହିଥିଲେ, ତା’ହେଲେ କୌଣସି ନିର୍ଦ୍ଦିଷ୍ଟ ଧାର୍ମିକ ଅଭ୍ୟାସକୁ ନେଇ ଯେତେବେଳେ ବିବାଦ ଆସିବ, କୋର୍ଟ କରିବେନି ତ କିଏ ତା’ର ସମାଧାନ କରିବ?

ଧାବନ କଥା ବଦଳେଇ କହିଥିଲେ, ଅଭ୍ୟାସ ଓ ପରମ୍ପରା ଏକ ଧର୍ମ ପାଇଁ ଗୁରୁତ୍ବପୂର୍ଣ୍ଣ। ତେବେ ମୁଁ ବେଦ ବା ମନୁସ୍ମୃତିରେ ଥିବା ଧାର୍ମିକ ଅଭ୍ୟାସର କଥା କହୁନାହିଁ ବୋଲି ସେ କହିଥିଲେ। କର୍ଣ୍ଣାଟକ ମୁସଲମାନ ଝିଅମାନେ ହିଜାବ ପିନ୍ଧିବା ଏକ ପରମ୍ପରା ଏବଂ ଏହାକୁ ବନ୍ଦ କରିହେବନାହିଁ ବୋଲି ସେ ଯୁକ୍ତି କରିଥିଲେ।

ଛାତ୍ରୀ ବିଦ୍ୟାଳୟ ଛାଡ଼ିଥିବା ସଂଖ୍ୟା ଅଛି କି?
ନୂଆଦିଲ୍ଲୀ: ହିଜାବ ନିଷି‌ଦ୍ଧ ହେବା କାରଣରୁ କର୍ଣ୍ଣାଟକରେ କେତେଜଣ ପିଲା, ବିଶେଷକରି ଛାତ୍ରୀ ପାଠପଢ଼ା ଛାଡ଼ିଛନ୍ତି ସେ ନେଇ କିଛି ସଂଖ୍ୟା ରହିଛି କି? କର୍ଣ୍ଣାଟକ ସରକାର ହିଜାବକୁ ନିଷିଦ୍ଧ କରିବା ଏବଂ ତାହା ପରେ କର୍ଣ୍ଣାଟକ ହାଇକୋର୍ଟ ଏ ସଂକ୍ରାନ୍ତରେ ରାୟ ଦେବାପରେ ଶିକ୍ଷାନୁଷ୍ଠାନରୁ ୨୦, ୩୦, ୪୦ କିମ୍ବା ୫୦ ଜଣ ଛାତ୍ର ଅଧାରୁ ପାଠପଢ଼ା ଛାଡ଼ିଛନ୍ତି କି? ଜଣେ ଆଇନଜୀବୀ ବିଦ୍ୟାର୍ଥୀମାନେ ବିଦ୍ୟାଳୟ ଛାଡ଼ିବା ପ୍ରସଙ୍ଗ ଉଠାଇବା ପରେ ସୁପ୍ରିମକୋର୍ଟର ବିଚାରପତି ହେମନ୍ତ ଗୁପ୍ତା ଏବଂ ବିଚାରପତି ସୁଧାଂଶୁ ଧୂଳିଆ ଏହା ପଚାରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ହଜେଫା ଅହମଦି ଏକ ରିପୋର୍ଟ ଉଦ୍ଧାର କରିବା ସହିତ ଏ ସଂପର୍କରେ ପ୍ରମାଣ ରହିଛି ବୋଲି କହିବା ପରେ ସୁପ୍ରିମକୋର୍ଟ ଏହା କହିଛନ୍ତି।

ସମ୍ବନ୍ଧିତ ଖବର