ଶିଶୁମାନେ କମ୍ ସଂକ୍ରମିତ ହୋଇଥାଆନ୍ତି; କାରଣ ଜଣାଇଲେ ଗବେଷକ

ହଷ୍ଟନ(ଟେକ୍ସାସ, ଆମେରିକା): ଶିଶୁମାନଙ୍କର ଫୁସ୍‌ଫୁସ୍‌ର ଗଠନ ଏବଂ ସେମାନଙ୍କ ରୋଗପ୍ରତିରୋଧ ପ୍ରଣାଳୀ ହିଁ ସେମାନଙ୍କୁ ପ୍ରାପ୍ତବୟସ୍କଙ୍କ ତୁଳନାରେ କମ୍ ସଂକ୍ରମଣଶୀଳ କରିଥାଏ। ଆମେରିକାର ଟେକ୍ସାସ ବିଶ୍ବବିଦ୍ୟାଳୟ ସ୍ବାସ୍ଥ୍ୟ ବିଜ୍ଞାନ କେନ୍ଦ୍ରର ଗବେଷକମାନଙ୍କ ଦ୍ବାରା ପରିବେଷିତ ଏହି ନୂତନ ତଥ୍ୟ ଘାତକ ସଂକ୍ରାମକ କୋଭିଡ୍-୧୯ ପଛରେ ରହିଥିବା ଜୈବିକ ପ୍ରକ୍ରିୟା ସମ୍ପର୍କରେ ଯଥେଷ୍ଟ ଆଲୋକପାତ କରିବ ବୋଲି ଆଶା କରାଯାଉଛି।

ଏହି ଗବେଷକମାନଙ୍କ ଅନୁଧ୍ୟାନ ଅନୁଯାୟୀ, ଆମେରିକାର ମୋଟ ଜନସଂଖ୍ୟାର ୨୨ ପ୍ରତିଶତ ହେଉଛନ୍ତି ୧୮ ବର୍ଷରୁ କମ୍‌ ବୟସର। ତେବେ କୋଭିଡ୍-୧୯ ଦ୍ବାରା ସଂକ୍ରମିତ ଦେଶର ପ୍ରଥମ ୧,୪୯,୦୮୨ ଜଣଙ୍କ ଭିତରେ ମାତ୍ର ୧.୭ ପ୍ରତିଶତ ହେଉଛନ୍ତି ସେହି କିଶୋର ପର୍ଯ୍ୟାୟର। ଆମ ଦେହରେ ରହିଥିବା ଆଞ୍ଜିଓଟେନସିନ୍‌-କନ୍‌ଭର୍ଟିଂ ଏଞ୍ଜାଇମ୍‌-୨ ବା ଏସିଇ-୨ ହିଁ କରୋନାଭୂତାଣୁ ସାର୍ସ-କୋଭ୍-୨କୁ ଆମ ଶରୀରରେ ପ୍ରବେଶ କରାଇବାରେ ସହାୟକ ହୋଇଥାଏ। ତେବେ ଏହି ସ୍ବତନ୍ତ୍ର ପ୍ରକାରର ଏଞ୍ଜାଇମ୍ ବୟସ୍କଙ୍କ ଅପେକ୍ଷା କିଶୋରମାନଙ୍କ ଠାରେ ଅପେକ୍ଷାକୃତ କମ୍ ରହିଥାଏ ବୋଲି ଅନ୍ୟତମ ଗବେଷକ ମାଥ୍ୟୁ ହାର୍ଟିଂ କହିଛନ୍ତି। ଏଥି ସହିତ ବୟସ୍କଙ୍କ ଅପେକ୍ଷା ଶିଶୁମାନଙ୍କର ରୋଗପ୍ରତିରୋଧ ପ୍ରଣାଳୀ କରୋନାଭୂତାଣୁକୁ ଭିନ୍ନ ପ୍ରକାରେ ପ୍ରତିକ୍ରିୟା ଦେଖାଇ ଥାଏ ଯାହା କି ସେମାନଙ୍କ ଠାରେ କ୍ବଚିତ୍ କୋଭିଡ୍‌ ଅସୁସ୍ଥତା ଦେଖାଯାଇଥାଏ।

ବିଶେଷ କରି ଶିଶୁମାନଙ୍କ ରୋଗପ୍ରତିରୋଧ ପ୍ରଣାଳୀରେ ରହିଥିବା ଟି-କୋଷିକାଗୁଡ଼ିକର ଅବଧାରଣ କ୍ଷମତା ଯଥେଷ୍ଟ ଅଧିକ। ସେହିପରି ଶିଶୁମାନଙ୍କ ଫୁସ୍‌ଫୁସ୍‌ରେ ନିୟମିତ ଟି-କୋଷିକାଗୁଡ଼ିକର ସାନ୍ଦ୍ରତା ପ୍ରାକୃତିକ ଭାବେ ମଧ୍ୟ ଅଧିକ। ତେଣୁ ଏହି ସବୁ କାରଣରୁ ବୟସ୍କଙ୍କ ତୁଳନାରେ ଶିଶୁମାନଙ୍କୁ କୋଭିଡ୍ ସଂକ୍ରମଣର ଆଶଙ୍କା କମ୍‌ ବୋଲି ଗବେଷକମାନେ କହିଛନ୍ତି।

ସମ୍ବନ୍ଧିତ ଖବର