ପଦ୍ମ ଛାଡ଼ିଲେ ବିଜେପି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଏସଟି ମୋର୍ଚ୍ଚାର ଉପସଭାପତି

ରାଇରଙ୍ଗପୁର: ବିଜେପି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ଏସଟି ମୋର୍ଚ୍ଚାର ଉପ ସଭାପତି, ବରିଷ୍ଠ ନେତା ତଥା ସମାଜସେବୀ ଗୋପାଲ ଚନ୍ଦ୍ର ବେଶ୍ରା ଦଳରୁ ଇସ୍ତଫା ଦେଇଛନ୍ତି।ଶ୍ରୀ ବେଶ୍ରା ଭାରତ ସରକାରଙ୍କ ଜଣେ ଦକ୍ଷ ଆକାଉଣ୍ଟ ଅଫିସର ଭାବରେ କାର୍ଯ୍ୟରତ ଥିଲେ। ମୟୂରଭଞ୍ଜ ଜିଲ୍ଲାର ବଣ ଜଙ୍ଗଲ ପରିବେଷ୍ଟିତ ଅପହଞ୍ଚ ଇଲାକା ତିରିଂ ଥାନା ଅନ୍ତର୍ଗତ ବଡ଼ ନାରାୟଣୀ ଗ୍ରାମରେ ତାଙ୍କର ଜନ୍ମ। ଯଦି ଆମେ ତାଙ୍କର ଅତୀତ ଏବଂ ବର୍ତ୍ତମାନକୁ ପୃଷ୍ଠାମୋଚନ କରିବା, ତେବେ ଜନହୀତ କାର୍ଯ୍ୟ ପାଇଁ ବିଭିନ୍ନ ଆନ୍ଦୋଳନରେ ଜଡିତ ଘଟଣା ବଳୀ ସବୁ ସ୍ପଷ୍ଟ ଭାବରେ ଦୃଶ୍ୟପଟ ହେବ। ଛାତ୍ର ଜୀବନ ହେଉ କିମ୍ବା ଅବସର କାଳୀନ ଜୀବନ ଏଯାବତ୍ ପ୍ରତ୍ୟେକଟି ପାହାଚରେ ସେବାର ମନବୃତ୍ତି ନିଶ୍ଚିତ ଭାବରେ ତାଙ୍କର ଶିରା ପ୍ରଶିରାରେ ପ୍ରବହମାନ କହିଲେ ଅତ୍ୟୁକ୍ତି ହେବ ନାହିଁ ।
୧୯୭୪ ମସିହାର ଘଟଣା, ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ବରେ ଗଠିତ ବିହାର ଛାତ୍ର ଆନ୍ଦୋଳନରେ ଶ୍ରୀ ବେଶ୍ରାଙ୍କ ଅବଦାନ ଅତୁଳନୀୟ। ସେ ବିହାର ଛାତ୍ର ଆନ୍ଦୋଳନରେ ଲହୁ ଲୁହାଣ ଲାଠି ମାଡକୁ ଆଜି ପର୍ଯ୍ୟନ୍ତ ଭୂଲି ପାରି ନାହାଁନ୍ତି। ତାଛଡା ଶ୍ରୀଯୁକ୍ତ ବେଶ୍ରା ଚାକିରି ଜୀବନରେ ବହୁ ବର୍ଷ ଧରି ଓଡ଼ିଶା ଅଡିଟ୍ ଏବଂ ଆକାଉଣ୍ଟ ସଂଘର ସଭାପତି ମଧ୍ୟ ଥିଲେ। ଚାକିରି ଜୀବନରେ ପ୍ରତ୍ୟେକଟି ମୁହୂର୍ତ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ବାବୁଙ୍କ ଆଦର୍ଶ ଏବଂ ସ୍ବଚ୍ଛ ଅଫିସରର ପ୍ରତୀକ ହୋଇ ରହିଥିଲେ।ସମାଜ ସେବୀ ଶ୍ରୀ ବେଶ୍ରା ବାବୁ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବଡ ନାରାୟଣୀ ଗ୍ରାମରେ ସୁର୍ମିଧୁର୍ମି ୱେଲ୍ ଫେୟାର କମିଟିର ସଭାପତି ଏବଂ ମାର୍ଗ ଦର୍ଶକ। ତାଙ୍କ ପ୍ରଚେଷ୍ଟାରେ ଆଜି ତିରିଂ ଥାନା ଅନ୍ତର୍ଗତ ବଡ ନାରାୟଣୀଠାରେ ସୁର୍ମିଧୁର୍ମି ଷ୍ଟାଡିୟମର ପ୍ରତିଷ୍ଠା ହେବା ସଂଗେ ସଂଗେ ନିକଟ ଅତୀତରେ ଝାରଖଣ୍ତ ଏବଂ ଓଡିଶା ସୀମାନ୍ତରେ ଥିବା ଖଡଖାଇ ନଦୀରେ ଲୋକମାନଙ୍କ ଗମନା ଗମନର ସୁବିଧା ପାଇଁ ଏକ ଅସ୍ଥାୟୀ ପୋଲର ନିର୍ମାଣ ମଧ୍ୟ ହୋଇ ପାରିଛି।
ଅବସର ପରେ ଅବଶିଷ୍ଟ ଜୀବନକୁ ଜନ ସାଧାରଣଙ୍କ ଦୁଃଖରେ ସମଭଗୀ ଏବଂ ସୁଖରେ ସମଅନୁଭବୀ ହେବାର ସ୍ବପ୍ନ ଦେଖି ନିଜ ସମର୍ଥକଙ୍କ ସମର୍ଥନକୁ ସ୍ବାଗତ ଜଣାଇ ୩୦ ଡିସେମ୍ବର ୨୦୨୧ ରେ ବିଜେପି ଯୋଗଦେଇଥିଲେ। ସ୍ବାସ୍ଥ୍ୟ ଏବଂ ଶିକ୍ଷାର ଉନ୍ନତି ସାଧନ, ଦୁଃଖି ଦରୀଦ୍ର ମାନଙ୍କ ସେବା ତଥା ସେମାନଙ୍କ ଅର୍ଥ ନୀତି କିପରି ସୁଦୃଢ ହେବ ସେ ଦିଗରେ ପ୍ରତିବଦ୍ଧ ଥିଲେ ।କିନ୍ତୁ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି। ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ନିଶ୍ଚିତ ଭାବରେ ପାଣିର ଗାର ହୋଇ ରହିଗଲା। ଜନସେବା କରିବାର ଆଶା ଆଉ ଆକାଂକ୍ଷା ସ୍ବପ୍ନରେ ହିଁ ରହିଗଲା। ବିଜେପିରେ ଅସନ୍ତୁଷ୍ଟ ହୋଇ ଆଉ ଅଧିକ ଦିନ ଦଳରେ ରହିବାକୁ କୁଣ୍ଠାବୋଧ କଲେ।ଶ୍ରୀ  ବେଶ୍ରା ବର୍ତ୍ତମାନ ଦଳର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ଏସଟି ମୋର୍ଚ୍ଚାର ଉପସଭାପତି ପଦ ଏବଂ ପଂଜୀକରଣ କରିଥିବା ପ୍ରାଥମିକ ଦଳ ସଦସ୍ୟତା ନମ୍ବର(୯୯୮୭)ରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ଜନ ସେବାକୁ ନିଜର ବ୍ରତ ବୋଲି ଭାବି ନିଶ୍ଚିତ ଭାବରେ ଆଗାମୀ ଦିନରେ ଏହାକୁ ଜାରି ରଖିବେ ବୋଲି ମତବ୍ୟକ୍ତ କରିଥିଲେ।ଶ୍ରୀ ଗୋପାଲଙ୍କ ମତରେ, ବଣର ମଲ୍ଲୀ ବଣରେ ଥିଲେ ମଧ୍ୟ ତା’ର ସୁଗନ୍ଧ ଚତୁଃ ଦିଗକୁ ସୁଗନ୍ଧିତ କରେ।
ସମ୍ବନ୍ଧିତ ଖବର