ଚାକିରି ନାଁରେ ଠକେଇ ମାମଲା: ରିମାଣ୍ଡରେ ଆସିବ ବିଭୂତି

ଭୁବନେଶ୍ବର: ସରକାରୀ ଚାକିରି କରାଇଦେବା ନାଁରେ ଆଶାୟୀଙ୍କୁ ଠକିବା ମାମଲାରେ ଗିରଫ ହୋଇଥିବା ବିଭୂତି ଭୂଷଣ ମିଶ୍ର (୫୮)କୁ ରିମାଣ୍ଡରେ ଆଣିବ ଲକ୍ଷ୍ମୀସାଗର ଥାନା ପୁଲିସ୍‌। ଏନେଇ ଆସନ୍ତାକାଲି ପୁଲିସ୍‌ କୋର୍ଟରେ ଆବେଦନ କରିବ ବୋଲି ଜଣାଯାଇଛି। ଏକ ଦମ୍ପତିଙ୍କୁ ଚାକିରି କରାଇଦେବାର ଲୋଭ ଦେଖାଇ ୧୩ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଗିରଫ ହୋଇଥିବା ବିଭୂତି ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସେ ଗିରଫ ହେବା ପରେ ଗତକାଲି ଭୁବନେଶ୍ବରର ପୀତବାସ ସାହୁ, କେନ୍ଦୁଝରର ପ୍ରତାପ ନାୟକ ଓ ମୟୂରଭଞ୍ଜର ଖଗେନ୍ଦ୍ର ନାୟକଙ୍କ ସହ ଆହୁରି କିଛି ଲୋକ ଲକ୍ଷ୍ମୀସାଗର ଥାନାକୁ ଆସିଥିଲେ।

ସେମାନଙ୍କୁ ମଧ୍ୟ ବିଭୂତି ଚୂନ ମାରିଛି ବୋଲି ଗଣମାଧ୍ୟମରେ ଅଭିଯୋଗ କରିଥିଲେ। କିନ୍ତୁ ଏ ସଂପର୍କରେ ଥାନାରେ ସେମାନେ କୌଣସି ଲିଖିତ ଅଭିଯୋଗ କରିନଥିଲେ। ତେବେ ବିଭୂତି ପଛରେ ଏକ ରୢାକେଟ୍‌ ସାମିଲ ଥିବା ସନ୍ଦେହ କରି ପୁଲିସ୍‌ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି। ତା’ ସହ ଅନ୍ୟ କେଉଁ କେଉଁମାନେ ସାମିଲ ଅଛନ୍ତି, କେତେ ଲୋକଙ୍କୁ ସେ ଚାକିରି ଦେବା ନାଁରେ ଚୂନ ମାରିଛି ଓ ସେମାନେ କେଉଁ ଉପାୟରେ ଠକୁଥିଲେ, ଆଦି ସଂପର୍କରେ ତାକୁ ପଚରାଉଚରା କରାଯିବ ବୋଲି ଥାନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ମିଳିଥିବା ଏକ ସୂଚନାନୁଯାୟୀ, ପାଖାପାଖି ୩୦୦ ଚାକିରି ଆଶାୟୀଙ୍କଠାରୁ ପ୍ରାୟ ୪ କୋଟି ଟଙ୍କାର ଚୂନ ଲଗାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ବିଭୂତି ଗ୍ରାମ୍ୟ ଉନ୍ନୟନ ବିଭାଗ, ନୟାଗଡ଼ ରଣପୁର ଡିଭିଜିନ୍‌ରେ କିରାଣି ଭାବେ କାର୍ଯ୍ୟରତ। ବଡ଼ ବଡ଼ ସରକାରୀ ଅଧିକାରୀଙ୍କ ସହ ତା’ର ଚିହ୍ନା ଅଛି ଓ ସରକାରୀ ଚାକିରି କରାଇଦେବା ତା’ର ବାମ ହାତ ଖେଳ କହି ସେ ଲୋକଙ୍କୁ ଚୂନ ମାରୁଥିଲା। ତେବେ ତା’ ଦ୍ବାରା ୧୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଭୁବନେଶ୍ବରର ଏକ ଦମ୍ପତି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ତଦନ୍ତ କରି ଗତକାଲି ପୁରୀ ବାସେଳିସାହିସ୍ଥିତ ଘରୁ ବିଭୂତିକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର