ଧୂସର ଦିଗନ୍ତ

ଭାରତ ଏବ˚ ଚୀନ ମଧ୍ୟରେ ଥିବା ‘ପ୍ରକୃତ ନିୟନ୍ତ୍ରଣ ରେଖା’ ବା ‘ଲାଇନ୍‌ ଅଫ୍‌ ଆକ୍‌ଚୁଆଲ୍‌ କ˚ଟ୍ରୋଲ’ (ଏଲ୍‌.ଏ.ସି.)ର ପୂର୍ବ ପାର୍ଶ୍ବରେ ଚୀନ ଦ୍ବାରା ପୁନର୍ବାର ଏକ ବିବାଦର ସୃଷ୍ଟି ଭାରତ ସକାଶେ ନୂତନ ମୁଣ୍ତ ବ୍ୟଥାର କାରଣ ହୋଇଛି। ଗଲା ତିନି ବର୍ଷ ଧରି ଏହି ନିୟନ୍ତ୍ରଣ ରେଖାର ପଶ୍ଚିମ ପାର୍ଶ୍ବସ୍ଥ ଲଦାଖ ଅଞ୍ଚଳରେ ଚୀନ ଦ୍ବାରା ସୃଷ୍ଟ ବିବାଦ ଏବ˚ ତଜ୍ଜନିତ ଏକ ଯୁଦ୍ଧ ପ୍ରାୟ ପରିସ୍ଥିତି ସ˚ପୂର୍ଣ୍ଣ ରୂପେ ପ୍ରଶମିତ ହେବା ପୂର୍ବରୁ ପୁଣି ଏକ ବିବାଦର ଜନ୍ମ ଚୀନର ଏକ ସୁଦୂରପ୍ରସାରୀ ଦୁରଭିସନ୍ଧି ଆଡ଼କୁ ଇଙ୍ଗିତ କରିବା ସହିତ ଏହା ପଛରେ ରହିଥିବା ପଥିକୃତ୍‌ ଉଦ୍ୟମ ଉପରେ ମଧ୍ୟ ଆଲୋକପାତ କରିଥାଏ।

କହିବା ବାହୁଲ୍ୟ ଯେ ଏଭଳି ସ୍ଥିତି ଦ୍ବାରା ବାସ୍ତବ ନିୟନ୍ତ୍ରଣ ରେଖା ସ˚ଲଗ୍ନ ପ୍ରାୟ ଚାରି ହଜାର ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳ ବିବାଦୀୟ ହୋଇପଡ଼ିଛି, ଯାହା ପ୍ରକୃତରେ ଭୁଟାନ ଓ ଭାରତର ଅନ୍ତର୍ଗତ, ଏବ˚ ଯାହା ଦ୍ବାରା ଆନ୍ତର୍ଜାତିକ ମାନଚିତ୍ରମାନ ସତେ ଯେମିତି ମୂଲ୍ୟହୀନ ହୋଇଗଲା ଭଳି ମନେ ହୋଇଥାଏ। ସା˚ପ୍ରତିକ ଘଟଣାରେ ଅରୁଣାଚଳ ପ୍ରଦେଶର ଏଗାରଟି ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରିବା ସହିତ ସେହି ସବୁ ସ୍ଥାନର ଚୀନୀୟ ବା ତିବ୍ବତୀୟ ନାମମାନ ଜାରି କରିଛି। ତା’ ସହିତ ଆଉ ଯାହା ଘଟିଛି, ତାହା ହେଲା ଭୁଟାନ ପକ୍ଷରୁ ଏହି ସୀମାରେଖା ବିବାଦ ନେଇ ପ୍ରକାଶିତ ମତରେ ଚୀନକୁ ଅଧିକ ସୁହାଇଲା ଭଳି ଆଭିମୁଖ୍ୟର ପ୍ରଦର୍ଶନ, ଯାହା ପୂର୍ବରୁ ଭାରତ ଅନୁକୂଳ ହୋଇ ରହି ଆସିଥିଲା। ସୁତରା˚, ଏହି ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ ବୋଲି ମନେ ହୋଇଥାଏ।

ଏହି ପରିପ୍ରେକ୍ଷୀରେ ଚୀନ ବ୍ୟାପାର ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଥିବା ଭାରତୀୟ ବିଦ୍ବାନ ଅଦିଲ ବ୍ରାରଙ୍କ ମତ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଏହା ହେଉଛି ଚୀନ ଦ୍ବାରା ଅନୁସୃତ ‘ଲଫେୟାର‌୍‌’ ପଦ୍ଧତିର ଅ˚ଶବିଶେଷ। ‘ଲଫେୟାର’ ହେଉଛି ଏକ ଇ˚ରେଜୀ ଶବ୍ଦ, ଯାହାର ଅର୍ଥ ହେଲା ବିଧିବଦ୍ଧ ଓ ଆନୁଷ୍ଠାନିକ ଉଦ୍ୟମ ଦ୍ବାରା ଏକ ନ୍ୟାୟସ˚ଗତ ବିଷୟକୁ ବିବାଦୀୟ କରି ପକାଇବା ସହିତ ଏକ ଭୁଲ୍‌ ଧାରଣାକୁ ଠିକ୍‌ ବୋଲି ପ୍ରତିଷ୍ଠିତ କରିବାର ଉଦ୍ୟମ କରିବା। କହିବା ଅନାବଶ୍ୟକ ଯେ ଏଭଳି ଅଯଥା ବିବାଦ ସୀମା ଅତିକ୍ରମ କରିଗଲେ ତହିଁରୁ ମୁକ୍ତି ପାଇବା ଲାଗି ଏକ ଆଲୋଚନା ବା ବୁଝାମଣା ଲାଗି ସମ୍ଭାବନା ସୃଷ୍ଟି ହୋଇପାରେ, ଯାହା ମାଧ୍ୟମରେ ଏହି ପଦ୍ଧତିକୁ ଅନୁସରଣ କରୁଥିବା ସନ୍ଦିଗ୍‌ଧ ରାଷ୍ଟ୍ର (ବା ବ୍ୟକ୍ତି) ତା’ର ଅଭିସନ୍ଧି ପୂରଣରେ ହୁଏ’ତ ସଫଳ ମଧ୍ୟ ହୋଇପାରେ। ଚୀନ କିଭଳି ଭାରତ ସହିତ ‘ଲଫେୟାର’ ପଦ୍ଧତିର ପ୍ରୟୋଗ କରୁଛି, ତାହାର ଏକ ଦୃଷ୍ଟାନ୍ତ ହେଲା ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକର ଚୀନୀୟ ନାମକରଣ ସହିତ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତ ବୋଲି ଉଠାଇଥିବା ଦାବି।

ଏକ ଆଦର୍ଶ ‘ଲଫେୟାର’ ଅନୁସରଣକାରୀ ଭାବେ ଚୀନ ଦ୍ବାରା ଏଭଳି ନୂତନ ନାମକରଣ କାର୍ଯ୍ୟକ୍ରମ ଗଲା ୨୦୧୭ ଏବ˚ ୨୦୨୧ ମସିହାରେ ମଧ୍ୟ ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ ଏହି ନାମଗୁଡ଼ିକ ତିବ୍ବତୀୟ ସ˚ସ୍କୃତି ଅନୁସାରେ ବେଶ୍‌ ଅର୍ଥପୂର୍ଣ୍ଣ ଏବ˚ ଏଭଳି ନାମକରଣରେ ସ˚ଶ୍ଳିଷ୍ଟ ଅଛନ୍ତି ‘ଚାଇନିଜ ଏକାଡେମି ଅଫ୍‌ ସୋସିଆଲ ସାଇନ୍‌ସେସ୍‌’ର ଗବେଷକ ଏବ˚ ବିଦ୍ବାନ ଗଣ। ଏହି ଗବେଷକମାନେ ଭୁଟାନ ସହିତ ଚୀନର ସା˚ସ୍କୃତିକ ସ˚ପର୍କକୁ ନାଭିନାଡ଼ ସଦୃଶ ବୋଲି ବର୍ଣ୍ଣନା କରି ବ୍ୟାଖ୍ୟାନମାନ ପ୍ରସ୍ତୁତି ଓ ପ୍ରସାରଣରେ ବ୍ୟସ୍ତ, ଯାହା କହିଥାଏ ଯେ ସୀମା ସ˚ଲଗ୍ନ ଅନ୍ୟାନ୍ୟ ପଡ଼ୋଶୀ ରାଷ୍ଟ୍ରଙ୍କ ସହିତ ଚୀନର କୌଣସି ବିବାଦ ନ ଥିବା ବେଳେ ଭୁଟାନ ସହିତ ତାହା ଅସମାହିତ ହୋଇ ରହିବାର କାରଣ ହେଲା ଭାରତର ଅଯଥା ହସ୍ତକ୍ଷେପ, ଯହିଁରେ ଭୁଟାନ ଭଳି ଏକ କ୍ଷୁଦ୍ର ଓ ଶାନ୍ତିିପ୍ରିୟ ରାଷ୍ଟ୍ର ଉପରେ ଭାରତ ପ୍ରଭୁତ୍ବ ଜାହିର କରିବାରେ ପ୍ରମତ୍ତ।

ଚୀନ ଦ୍ବାରା ଏଭଳି ନିରନ୍ତର ଅପପ୍ରଚାର କିଭଳି ପରିଣାମ ସୃଷ୍ଟି କରିପାରେ, ତାହାର ପ୍ରମାଣ ମିଳିଛି ଏକ ବେଲଜିଅମ ଖବରକାଗଜକୁ ଭୁଟାନର ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିବା ସାକ୍ଷାତକାରରେ, ଯହିଁରେ ସେ କହିଛନ୍ତି ଯେ ଚୀନ ଭୁଟାନର କୌଣସି ଅଞ୍ଚଳକୁ ଅତିକ୍ରମଣ କରି ନାହିଁ, ଯଦିଓ ବିଭିନ୍ନ ଉପଗ୍ରହରୁ ପ୍ରାପ୍ତ ମାଳମାଳ ଫଟୋଚିତ୍ର ସ୍ପଷ୍ଟ ଧାରଣା ପ୍ରଦାନ କରିଥାଏ ଯେ ଭୁଟାନର ସୀମାକୁ ଲାଗି ଯେଉଁ ସବୁ ଜନବସତିମାନ ଚୀନ ଗଢ଼ିବାରେ ଲାଗିଛି, ସେ ସବୁ ପ୍ରକୃତରେ ଭୁଟାନ ସୀମା ଅନ୍ତର୍ଗତ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୭ ମସିହାରେ ଭୁଟାନର ଡେକଲାମ ଠାରେ ଚୀନ ଦ୍ବାରା ହେଉଥିବା ରାଜପଥ ନିର୍ମାଣକୁ ଭାରତ ପକ୍ଷରୁ ବିରୋଧ କରାଯିବା ପରେ ଦୁଇ ରାଷ୍ଟ୍ର ମଧୢରେ ଏକ ସ˚ଘାତମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ଭୁଟାନ ସରକାର ନିରବ ରହି ଭାରତର ହସ୍ତକ୍ଷେପକୁ ସ୍ବୀକୃତି ପ୍ରଦାନ କରିଥିଲେ। ତଦ୍ଦ୍ବାରା ଭାରତ ସକାଶେ ଡୋକଲାମର ଅତ୍ୟନ୍ତ ସମ୍ବେଦନଶୀଳ ଅବସ୍ଥିତିର ଗୁରୁତ୍ବ ମଧ୍ୟ ରେଖାଙ୍କିତ ହୋଇଥିଲା।

କିନ୍ତୁ ଉପର ବର୍ଣ୍ଣତ ସାକ୍ଷାତକାରରେ ଭୁଟାନର ପ୍ରଧାନମନ୍ତ୍ରୀ ଯାହା କହିଥିବା ଶୁଣିବାକୁ ମିଳିଛି, ତାହା ହେଲା ଡୋକଲାମ ହେଉଛି ଭାରତ, ଚୀନ ଏବ˚ ଭୁଟାନ ସୀମାକୁ ସ୍ପର୍ଶ କରିଥିବା ବିନ୍ଦୁ ଏବ˚ ଏହା ସ˚ଲଗ୍ନ ଯେ କୌଣସି ସୀମା ବିବାଦର ସମାଧାନ ଏହି ତିନି ରାଷ୍ଟ୍ରଙ୍କ ଉପସ୍ଥିତିରେ ହିଁ କେବଳ ସମାହିତ ହୋଇପାରିବ। ସୁତରା˚, ଡୋକଲାମ ମାମଲାରେ ଏ‌େବ ଭାରତ ଓ ଭୁଟାନ ମଝିରେ ଚୀନର ପ୍ରାବେଶକୁ ଭୁଟାନ ସ୍ବୀକୃତି ଦେଇଛି, ଯହିଁରୁ ସ୍ପଷ୍ଟ ହୋଇଥାଏ ଯେ ଚୀନ ପ୍ରତି ଏକଦା ବିରୋଧାଚରଣ କରୁଥିବା ଭୁଟାନ କ୍ରମେ ଚୀନର ଆଧିପତ୍ୟ ସମ୍ମୁଖରେ ନତମସ୍ତକ ହେବାରେ ଲାଗିଛି ଏବ˚ ଏପରିକି ଚୀନର ସୀମା ଅତିକ୍ରମଣକୁ ଅସ୍ବୀକାର କରି ନିଜର କିଛି ଅଞ୍ଚଳ ହୁଏ’ତ ଚୀନକୁ ସମର୍ପଣ କରି ସାରିଲାଣି। ଏଥିରେ ଚୀନ ସ୍ବାଭାବିକ ଭାବେ ଅଧିକ ଉତ୍ସାହିତ ହୋଇଛି, ଯାହାକୁ ‘ଗ୍ଲୋବାଲ ଟାଇମ୍‌ସ’ (ଚୀନର ଇଂରେଜୀ ସରକାରୀ ମୁଖପତ୍ର) ଏକ ବିଜୟ ରୂପେ ଅଭିହିତ କରିଛି।

ଉଲ୍ଲେଖଯୋଗ୍ୟ ଯେ ୨୦୦୬ ମସିହାରେ ପ୍ରଥମ କରି ଚୀନ ଦ୍ବାରା ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତ ରୂପେ ଅଭିହିତ କରାଯିବାର ଉଦ୍ୟମ ଆରମ୍ଭ ହୋଇଥିଲା, କାରଣ, ସେହି ବର୍ଷ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବେସାମରିକ ଆଣବିକ ଚୁକ୍ତି ସଂପାଦିତ ହୋଇଥିଲା ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସମେତ ପାଶ୍ଚାତ୍ୟ ‘ବ୍ଲକ୍‌’ ସହିତ ଭାରତର ଆଣବିକ ସହଯୋଗର ଘନିଷ୍ଠତା ବୃଦ୍ଧି ପାଇଥିଲା। ଏହା ଚୀନ ଲାଗି ଅସ୍ବସ୍ତିକର ହୋଇଥିବା ନିଶ୍ଚିତ, ଯେଉଁ କାରଣରୁ ଅଭିସନ୍ଧିମୂଳକ ଭାବେ ଚୀନ ‘ଲଫେୟାର’ ପଦ୍ଧତିିର ଆଶ୍ରୟ ନେବା ଆରମ୍ଭ କରିଥିଲା। ଏହାର ପରବର୍ତ୍ତୀ ଦୁଇ ଦଶନ୍ଧି ମଧୢରେ ଏକ ବୃହତ୍‌ ଏସୀୟ ଶକ୍ତି ରୂପେ ଭାରତର ଶିରୋତ୍ତୋଳନ ଚୀନ ଲାଗି ଅଧିକ ଅସହ୍ୟ ହୋଇଛି, ଯାହା ତାକୁ ଅଧିକ ଆକ୍ରମଣାତ୍ମକ କରି ପକାଇଛି।

କହିବା ବାହୁଲ୍ୟ, ୧୯୧୪ ମସିହାରେ ଭାରତ ଓ ଚୀନ ମଧୢରେ ଟଣାଯାଇଥିବା ‘ମାକମୋହନ ଲାଇନ’ରେ ନିହିତ ବିଭିନ୍ନ ଜଟିଳ ସମସ୍ୟା ସତ୍ତ୍ବେ ତାହା ବାସ୍ତବ ନିୟନ୍ତ୍ରଣ ରେଖା ରୂପେ ସ୍ବୀକୃତ ହୋଇ ଆସିଛି, ଯାହାକୁ ଭାରତ ସମ୍ମାନ ଦେଇଥାଏ। କିନ୍ତୁ, ଚୀନ ତାହାକୁ ବାରମ୍ବାର ଲ˚ଘନ କରି ଧାରଣା ସୃଷ୍ଟି କରିବାରେ ଲିପ୍ତ ଯେ ଏହା ବିବାଦୀୟ ଓ ଚୀନ ଦ୍ବାରା ସ୍ବୀକୃତ ନୁହେଁ; ଏବ˚ ଇଷ୍ଟ ଇଣ୍ତିଆ କ˚ପାନି ଦ୍ବାରା ନିୟୋଜିତ ଜଣେ ବ୍ରିଟିସ ଭଦ୍ରଲୋକ ତାଙ୍କ ଦନ୍ଥଡ଼ା ନିବ୍‌ ଧାରୀ କଲମରେ ମାନଚିତ୍ର ବକ୍ଷରେ ଗାରଟିଏ ଟାଣି ଚୀନର ଶରୀରରୁ ତା’ର ନ୍ୟାୟୋଚିତ ଅ˚ଶକୁ ବିଚ୍ଛିନ୍ନ କରି ଦେଇଛନ୍ତି! ସୁତରା˚, ଚୀନ ତା’ର ପୁରୁଣା ଅଧିକାରକୁ ସାବ୍ୟସ୍ତ କରିବାର ଭୂମିକାରେ ଅବତୀର୍ଣ୍ଣ ବୋଲି ଧାରଣା ସୃଷ୍ଟି କରିବାର ଉଦ୍ୟମରତ।

ଅବଶ୍ୟ, ଇତିମଧୢରେ ଭାରତ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଭିତ୍ତିଭୂମିର ସଘନ ବିକାଶ ସହିତ ସେଠାରେ ସାମରିକ ଉପସ୍ଥିତିିକୁ ପୂର୍ବାପେକ୍ଷା ଅଧିକ ଦୃଢ଼ କରିଛି। କିନ୍ତୁ, ଅନେକ ବିଶେଷଜ୍ଞଙ୍କ ମତରେ ଏ ପରିପ୍ରେକ୍ଷୀରେ ଏକ ମନସ୍ତାତ୍ତ୍ବିକ ସ୍ତରୀୟ ସ˚ଘର୍ଷ କରିବାରେ ଭାରତ ପଛରେ ପଡ଼ି ଯାଇଛି। ସେମାନେ କହନ୍ତି ଯେ ସ୍ଥଳ ବିଶେଷରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପ୍ରତି ବାଚନିକ ଆକ୍ରମଣରେ ଭାରତର ବିଦେଶ ମନ୍ତ୍ରଣାଳୟ ଯେଉଁଭଳି ମୁଖର, ଚୀନ ବିପକ୍ଷରେ ସେଭଳି ଦୃଷ୍ଟିଗୋଚର ହୋଇ ନ ଥାଏ। ଚୀନ ତାର ‘ଲଫେୟାର‌୍‌’ ପଦ୍ଧତି ଅନୁସାରେ ଅନେକ ସମୟରେ ଉଦ୍ଭଟ ଏପରିକି କାଳ୍ପନିକ ବ୍ୟାଖ୍ୟାନମାନ ସୃଷ୍ଟି କରି ସ୍ପଷ୍ଟ ଦିଗନ୍ତଗୁଡ଼ିକୁ ଧୂସର କରି ପକାଉଥିବା ବେଳେ ଭାରତର ନିରବତା ତାର ଅଧିକାର ପରିସରକୁ ମଧୢ ସନ୍ଦେହାସ୍ପଦ କରି ପକାଉଛି। ତେଣୁ ସାମରିକ ଶକ୍ତିରେ ଅଭିବୃଦ୍ଧି, ରଣନୈତିକ ଚାତୁର୍ଯ୍ୟ ଓ ନିରନ୍ତର ପ୍ରସ୍ତୁତି ସହିତ ଆଉ ଯାହା ଲୋଡ଼ା ତାହା ହେଲା ବ୍ୟାଖ୍ୟାନର ସୃଷ୍ଟି, ଯାହା ଧୂସର ଦିଗନ୍ତକୁ ପରିଷ୍କାର କରିବ।

ସମ୍ବନ୍ଧିତ ଖବର